ନିଯୁକ୍ତି ହରାଇବେ ଏୟାର୍‌ ଲାଇନ୍ ଗ୍ରାଉଣ୍ଡ ଷ୍ଟାଫ୍‌, ପୁନଃନିଯୁକ୍ତି ଦାବିରେ ଶ୍ରମ କମିସନରଙ୍କୁ ଦାବିପତ୍ର

ଭୁବନେଶ୍ବର: ଦୀର୍ଘ ୬ ବର୍ଷ ହେଲା ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଠିକାରେ କାମ କରୁଥିବା ଏୟାର୍‌ ଲାଇନ୍‌ ଗ୍ରାଉଣ୍ଡ ଷ୍ଟାଫ୍‌ ଛଟେଇ ହେବାକୁ ଯାଉଛନ୍ତି। କରୋନା ସଂକଟ ବେଳେ ଛଟେଇକୁ ବିରୋଧ କରି ଓ ପୁନଃନିଯୁକ୍ତି ଦାବି କରି ଆଜି ଏହି କର୍ମଚାରୀମାନେ ରାଜ୍ୟ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ଦେଇଛନ୍ତି। ଏଥିସହିତ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ସାକ୍ଷାତ କରି ଦୁଃଖ ଜଣାଇଛନ୍ତି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସେମାନଙ୍କ କଥା ଶୁଣିବା ପ‌ରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏୟାର୍‌ ଲାଇନ୍ ଗ୍ରାଉଣ୍ଡ ଷ୍ଟାଫ୍‌ ଭାବେ ଜାନୁସ୍ ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡ୍ କର୍ମଚାରୀମାନେ କାମ କରୁଛନ୍ତି। ଜାନୁସ୍ ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡ୍ ଏକ ଠିକା ସଂସ୍ଥା। ୬ ବର୍ଷ ହେଲା ଏହି ଠିକା ସଂସ୍ଥା ଜରିଆରେ କର୍ମଚାରୀମାନେ ନିଯୁକ୍ତି ପାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସବୁ ବିମାନବନ୍ଦରରେ ଏୟାର୍‌ ଇଣ୍ଡିଆ ଏୟାର୍‌ପୋର୍ଟ ସର୍ଭିସେସ୍ (ଏଆଇଏଏସଏଲ)ଲିମିଟେଡ୍‌କୁ ଏହି କାମ ହସ୍ତାନ୍ତର କରାଯାଇଛି। ଜୁଲାଇ ୨୧ରୁ ଏଆଇଏଏସ୍‌ଏଲ୍‌ ଏହି ଦାୟିତ୍ବ ଗ୍ରହଣ କରିବ ଓ ଜାନୁସ୍‌ ଆଭି‌ଏସନ୍‌ ଠିକା ସଂସ୍ଥାକୁ କାର୍ଯ୍ୟରୁ ବିରତ କରାଯିବ। ଫଳରେ ଜାନୁସ୍ ଅଧୀନରେ ୬ ବର୍ଷ ହେଲା କାମ କରୁଥିବା ଗ୍ରାଉଣ୍ଡ ଷ୍ଟାଫ୍‌ ମଧ୍ୟ ଛଟେଇ ହୋଇଯିବେ। କରୋନା ସଂକଟ ବେଳେ ଛଟେଇ ସେମାନଙ୍କ ପେଟକୁ ଲାତ ସଦୃଶ ହେବ। ତେଣୁ ଏହି କର୍ମଚାରୀମାନଙ୍କୁ ନୂତନ ସଂସ୍ଥା ଏଆଇଏଏସ୍‌ଏଲ୍‌ରେ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ ସେମାନେ ଆଜି ରାଜ୍ୟ ଶ୍ରମ କମିସନରଙ୍କୁ ଦାବିପତ୍ର ଦେଇଛନ୍ତି। ସେମାନଙ୍କ ପୁନଃନିୟୁକ୍ତି ନେଇ ଖୁବ୍‌ଶୀଘ୍ର ଏୟାର୍‌ପୋର୍ଟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସହକାରୀ ଶ୍ରମ କମିସନର ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର