ଆଣ୍ଠେଇଛି ବିମାନବନ୍ଦର ଉନ୍ନତୀକରଣ

୧୨୦୩ କୋଟିର ପ୍ରକଳ୍ପ; ଶିଳାନ୍ୟାସ କରିଥିଲେ ଦୁଇ ମନ୍ତ୍ରୀ
ଅଢ଼େଇ ବର୍ଷ ପରେ ଗୋଟିଏ ବି ପ୍ରକଳ୍ପର କାମ ସରିନି
ସମୀକ୍ଷା କଲେ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ଭୁବନେଶ୍ବର, (ବିଶ୍ବଜିତ ଦାଶ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦେଶର ଏକ ଅଗ୍ରଣୀ ବିମାନବନ୍ଦରରେ ପରିଣତ କରିବା ପାଇଁ ଅଢ଼େଇ ବର୍ଷ ତଳେ ୧୨୦୨କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ଘୋଷଣା ହୋଇଥିଲା ଦୁଇବର୍ଷ ମଧ୍ୟରେ ସବୁ ପ୍ରକଳ୍ପ କାମ ଶେଷ ହେବ। କିନ୍ତୁ ବିଡ଼ମ୍ବନାର ବିଷୟ ଅଢ଼େଇ ବର୍ଷ ପରେ ବି ଗୋଟିଏ ପ୍ରକଳ୍ପ କାମ ଶେଷ ହୋଇନି। ଅଧିକାଂଶ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହିଥିବାବେଳେ ବଡ଼ବଡ଼ ପ୍ରକଳ୍ପର କ‌ାମ ଏଯାଏ ଆରମ୍ଭ ହୋଇନି। ଏହା ମଧ୍ୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରର ଦୁଇ ଜଣ ନିର୍ଦ୍ଦେଶକ ବଦଳି ଯାଇଥିବାବେଳେ ଏସବୁ ପ୍ରକଳ୍ପର ଭାଗ୍ୟ ନୂଆ ନିର୍ଦ୍ଦେଶକଙ୍କ କାର୍ଯ୍ୟଦକ୍ଷତା ଓ ନେତୃତ୍ବ ଉପରେ ନିର୍ଭର କରୁଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ ହେବ ନା ବର୍ତ୍ତମାନ ଭଳି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଅଧୀନରେ ରହିବ ତାହା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇପାରୁନି। ତେଣୁ ପ୍ରକଳ୍ପ କାମ କରିବାକୁ ଏଏଆଇ ଅର୍ଥ ଖର୍ଚ୍ଚ କରିବ ନା ନାହିଁ ସେନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛି। ଯେଉଁଥିପାଇଁ ଟି-୩ ଟର୍ମିନାଲ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ବି କାମ ଆରମ୍ଭ ହୋଇପାରୁନି। ଏପରିକି ଟି-୧ ଓ ଟି-୨ ଟର୍ମିନାଲର ସଂଯୋଗୀକରଣ ବିଲ୍‌ଡିଂ, ୩୨.୫୪ କୋଟିରେ ନିର୍ମାଣ ହେଉଥିବା ନୂଆ ଏଟିସି ଟାୱାର ଏବେ ଅଧାଗଢ଼ା ହୋଇ ପଡ଼ିଥିବାବେଳେ ଏହା କେବେ ସରିବ କେହି କହିପାରୁନାହାନ୍ତି। ସ୍ଥିତି ଏପରି ହୋଇଛି ଯେ, ୧୨୦୨.୭୫ କୋଟିର ପ୍ରକଳ୍ପ ଏବେ ଏକରକମ ଆଣ୍ଠେଇଛି।

୨୦୧୯ ଫେବ୍ରୁଆରି ୨୬ରେ ଭୁବନେଶ୍ବର ବିମାନବନ୍ଦରର ଉନ୍ନତୀକରଣ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ତତ୍କାଳୀନ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏଏଆଇର ତତ୍କାଳୀନ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ଶିଳାନ୍ୟାସ କରିଥିଲେ। ସମସ୍ତ କାମ ୨ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଶିଳାନ୍ୟାସ ବେଳର ଯୋଜନା ଏବଂ ବର୍ତ୍ତମାନର ସ୍ଥିତି ମଧ୍ୟରେ ଆକାଶପାତାଳ ଫରକ ହୋଇଯାଇଛି।

ବିମାନବନ୍ଦରର ବହୁ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଗତକାଲି ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। କେଉଁ ପ୍ରକଳ୍ପ କେବେ ଆରମ୍ଭ ହୋଇଥିଲା, କାହିଁକି ସରିନି, କ’ଣ ବାଧକ ସାଜିଛି, କେବେ ସରିବ ସେନେଇ ଆଲୋଚନା କରିଛନ୍ତି। ଠିକା ସଂସ୍ଥା ଓ ବିମାନବନ୍ଦର ଅଧିକାରୀଙ୍କଠାରୁ ସବୁ ଜାଣିବା ପରେ ସେ ଏହାର ସମାଧାନ ବାଟ ମଧ୍ୟ ବାହାର କରିଥିବା ଜଣାପଡ଼ିଛି।

India Today

କେମିତି ଖର୍ଚ୍ଚ ହୋଇଥାନ୍ତା ୧୨୦୨.୭୫କୋଟି
୨୦୨୮-୨୯ ବର୍ଷକୁ ନଜରରେ ରଖି ଭୁବନେଶ୍ବର ବିମାନବନ୍ଦରର ଭିତ୍ତିଭୂମି ବିକାଶ କରିବାକୁ ୨୦୧୮-୧୯ରେ ଯୋଜନା ହୋଇଥିଲା। ଏଥିପାଇଁ ୧୨୦୨.୭୫କୋଟି ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିରେ ଟି-୩ ଟର୍ମିନାଲ ପାଇଁ ୯୧୩କୋଟି, ଟି-୧ ଓ ଟି-୨ ସଂଯୋଗ ପାଇଁ ୮୭.୨୧କୋଟି, ପାରାଲାଲ୍‌ ଟ୍ୟାକ୍ସି ଟ୍ରାକ୍‌ ଏବ˚ ରାପିଡ୍‌ ଏକଜିଟ୍‌ ଟ୍ୟାକ୍ସି ୱେ ଓ ଟି-୩ରେ ୯ଟି ଏ-୩୨୦ ବିମାନ ପାର୍କି˚ ପାଇଁ ୧୩୮କୋଟି, ନିଉ ଟେକନିକାଲ୍‌ ବ୍ଲକ୍‌ ଏବ˚ କଣ୍ଟ୍ରୋଲ ଟାଵାର ପାଇଁ ୩୨.୫୪କୋଟି, ଅଗ୍ନିଶମ କେନ୍ଦ୍ର ଏବ˚ ଇଞ୍ଜିନିୟରି˚ ଓ ମରାମତି ଵାର୍କସପ୍‌ ପାଇଁ ୩୨କୋଟି ଖର୍ଚ୍ଚ ହୋଇଥାନ୍ତା। ଏବେ କିଛି ଆରମ୍ଭ ହୋଇଥିଲେ ହେଁ ଅଧାପନ୍ତରିଆ ହୋଇପଡ଼ିଛି।

Wikimapia

ଟି-୧ ଓ ଟି-୨ ଲିଙ୍କ୍‌ ବିଲଡିଂ କାମ କେବେ ସରିବ?
ଏବେ ଟି-୧ ଟର୍ମିନାଲରେ ଘରୋଇ ବିମାନ ଯାତ୍ରୀ ଓ ଟି-୨ ଟର୍ମିନାଲରେ ଅନ୍ତର୍ଜାତୀୟ ବିମାନ ଯାତ୍ରୀ ଯାତାୟାତ କରୁଛନ୍ତି। ହେଲେ ଟି-୨ ଟର୍ମିନାଲରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ନାହିଁ। ଏପରିକି ଅନ୍ତର୍ଜାତୀୟ ଟର୍ମିନାଲରେ ଏରୋ ବ୍ରିଜ୍‌ ଲଗାଇବା ବ୍ୟବସ୍ଥା ନାହିଁ। ତେଣୁ ଯାତ୍ରୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବା ଏବଂ ଅଧିକ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଏକସଙ୍ଗେ ଯାତାୟାତ କରିବାର ସୁବିଧା ଯୋଗାଇବା ପାଇଁ ଅଢେଇ ବର୍ଷ ତଳେ ଟି-୧ ଓ ଟି-୨ ସଂଯୋଗୀକରଣ ବା ଦୁଇ ମହଲା ବିଶିଷ୍ଟ ଲିଙ୍କ୍‌ ବିଲଡିଂ କାମ ଆରମ୍ଭ ହୋଇଥିଲା। ଏଥିରେ ଦୁଇ ଟର୍ମିନାଲ ମଝିରେ ଥିବା ୨୦୦ ମିଟର ଖୋଲା ସ୍ଥାନକୁ ସଂଯୋଗ କରାଯାଉଥିଲା। ହେଲେ ନିର୍ମାଣ ସମୟରେ ୨୦୨୦ ଜାନୁଆରି ୨୫ରେ ଛାତ ସେଣ୍ଟ୍ରିଂ ଖସିପଡ଼ିବାରୁ ଏବଂ ଜଣେ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବାରୁ କାମ ବନ୍ଦ ହୋଇଯାଇଥିଲା। ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରୁନି।

ପ୍ରାୟ ୮୭.୨୧କୋଟିର ଏହି ପ୍ରକଳ୍ପ କାମ ଆରମ୍ଭ କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ୮ ମାସ ତଳୁ ସବୁଜ ସଂକେତ ଦେଇଥିଲେ ହେଁ ଠିକା ସଂସ୍ଥା ଏପର୍ଯ୍ୟନ୍ତ କାମ ଆରମ୍ଭ କରୁନି। ଦୁଇ ବର୍ଷରେ ଏହି ପ୍ରକଳ୍ପ ଶେଷ ହେବାକୁ ଥିବାବେଳେ ଦେଢ଼ ବର୍ଷ ବିନା କାମରେ ଗଲାଣି। ଏପଟେ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଆସୁନଥିଲେ ହେଁ ଏହାପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଲେ ବି କିଛି ଫାଇଦା ହେବନି। ଭଲ ଟର୍ମିନାଲ ନଥିବାରୁ ବିଦେଶୀ ଯାତ୍ରୀ, ଅନ୍ତର୍ଜାତୀୟ ବିମାନ ଉଡ଼ାଣ କମ୍ପାନି ଏଠାକୁ ଆସୁନାହାନ୍ତି। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଲିଙ୍କ୍‌ ବିଲ୍‌ଡିଂ କାମ ହେବାର ଥିଲା ତାହା ହୋଇପାରିଲାନି।

ଭୁବନେଶ୍ବର ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଟି-୩ ଟର୍ମିନାଲ ନିର୍ମାଣ ହେଲେ ଏହାକୁ ଘରୋଇ ପର୍ଯ୍ୟଟକ ପାଇଁ ଖୋଲାଯିବ। ଟି-୧ ଓ ଟି-୨ ଟର୍ମିନାଲରେ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇ ଦିଆଯିବ। ବର୍ତ୍ତମାନ ଟି-୨ ଟର୍ମିନାଲରେ ଏରୋବ୍ରିଜ୍‌ ଲଗାଇବା ସମ୍ଭବ ନଥିବାରୁ ଏହି ନୂଆ ବିଲ୍‌ଡି˚ ନିର୍ମାଣ ହେଲେ ଅନ୍ତର୍ଜାତୀୟ ଯାତ୍ରୀମାନେ ଏରୋବ୍ରିଜ୍‌ ସେବା ପାଇପାରିବେ। ଦୁଇଟି ମହଲାରେ ପୃଥକ ପୃଥକ ଭାବେ ଯାତ୍ରୀଙ୍କୁ ସେବା ଯୋଗାଇ ହେବ। ଏପରିକି ଏକସଙ୍ଗେ ଦୁଇରୁ ଅଧିକ ବିମାନ ପରିଚାଳନା କରିହେବ। ଏହାସହ ଦୁଇଟି କନଭେୟର ବେଲ୍ଟ, ଏସ୍‌କାଲେଟର‌୍‌, ଲିଫ୍ଟ, ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ସପି˚, ଖାଦ୍ୟପାନୀୟ, ଚେକି˚ ବ୍ୟବସ୍ଥା ଉପଲବ୍ଧ ହେବ। ଦୁଇଟି ଯାକ ଟର୍ମିନାଲ ମଧୢରେ ପ୍ରାୟ ୨୦୦ମିଟର ଜାଗା ଥିବାବେଳେ ଏଠାରେ ଏକ ଦୁଇ ମହଲା ବିଶିଷ୍ଟ ବିଲ୍‌ଡି˚ ନିର୍ମାଣ ହେବ। ଯାହା ଦୁଇଟି ଯାକ ଟର୍ମିନାଲକୁ ସ˚ଯୋଗ କରିବ। ଏହି ବିଲ୍‌ଡି˚ ଦେଇ ଅନ୍ତର୍ଜାତୀୟ ଯାତ୍ରୀ (ଏବେ ଟି-୨ ଟର୍ମିନାଲ ଦେଇ ଯାଉଥିବା ଯାତ୍ରୀ) ପ୍ରସ୍ଥାନ କରିବେ। ଯେଉଁ ଯାତ୍ରୀମାନେ ବିଦେଶରୁ ଆସିବେ ସେମାନେ ଏହି ବିଲ୍‌ଡି˚ ଦେଇ ବାହାରକୁ ବାହାରିବେ।

Kalinga TV

୯୧୩କୋଟିର ଟି-୩ ଟର୍ମିନାଲ ନେଇ ନିଷ୍ପତ୍ତି ହୋଇପାରୁନି
ବିମାନବନ୍ଦରର ଟି-୧ ଏବ˚ ଟି-୨ ଟର୍ମିନାଲରେ ବାର୍ଷିକ ପ୍ରାୟ ୨.୫ ମିଲିଅନ ଯାତ୍ରୀ ଯାତାୟାତ କରିବା ଭଳି ବ୍ୟବସ୍ଥା ଥିବାବେଳେ ବର୍ଷକ ମଧୢରେ (କରୋନା ପୂର୍ବରୁ) ଯାତ୍ରୀ ଯାତାୟାତ ପ୍ରାୟ ୩୯% ବୃଦ୍ଧି ପାଇଥିଲା। ଯାତ୍ରୀ ଯାତାୟାତ ବୃଦ୍ଧିରେ ଭୁବନେଶ୍ବର ଦେଶର ୫ଟି ପ୍ରମୁଖ ବିମାନବନ୍ଦର ମଧୢରେ ଥିବାରୁ ୨୦୨୮-୨୯ ପର୍ଯ୍ୟନ୍ତ ନଜରରେ ରଖି ଆଉ ଗୋଟିଏ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ତେଣୁ ଟି-୧ ଟର୍ମିନାଲ ନିକଟରେ ଟି-୩ ଟର୍ମିନାଲ ନିର୍ମାଣ ହେବାକୁ ଜାଗା ଚିହ୍ନଟ ହୋଇଛି। ହେଲେ ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ ହେବ ବୋଲି ପ୍ରସ୍ତାବ ଆସିବା ପରେ ଏହା ଅଟକିଗଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ କ’ଣ କହିଲା କେଜାଣି ଏହି ପ୍ରକଳ୍ପ ନେଇ କିଛି ପଦକ୍ଷେପ ନିଆଗଲାନି। ଏବେ ପ୍ରଶ୍ନ ଉଠିଲାଣି ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ହେବ ନା ହେବନି।

ସ˚ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବ˚ ଅତ୍ୟାଧୁନିକ ସୁବିଧା ସୁଯୋଗ ଟର୍ମିନାଲ ଭାବେ ଏହାକୁ ନିର୍ମାଣ କରାଯା‌ଇଥାନ୍ତା। ଟି-୩ ଟର୍ମିନାଲ ଟି-୧ ଟର୍ମିନାଲଠାରୁ ବହୁତ ବଡ଼ ହୋଇଥାନ୍ତା। ୬୪୬୫୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲର ବାର୍ଷିକ ଯାତ୍ରୀ ଯାତାୟାତ କ୍ଷମତା ୮ମିଲିଅନ ରହିବ। ଏହାଦ୍ବାରା ଭୁବନେଶ୍ବର ବିମାନବନ୍ଦରର ବାର୍ଷିକ ଯାତ୍ରୀ କ୍ଷମତା ୩.୫ମିଲିଅନରୁ ୧୧.୫ମିଲିଅନକୁ ବୃଦ୍ଧି ପାଇବ। ଏହି ଟର୍ମିନାଲର ବିଶେଷତ୍ବ ହେବ ଘଣ୍ଟାକରେ ଏକସଙ୍ଗେ ୨୯୦୦ ଯାତ୍ରୀ ଯାତାୟାତ କରିପାରିବେ। ଏହାସହ ୯ଟି ଏ-୩୨୦ ଏୟାରବସ୍‌ ବିମାନ ପାର୍କି˚ କରିପାରିବ।। ଏଥିପାଇଁ ସ୍ବତନ୍ତ୍ର ଭାବେ ଅଗ୍ନିଶମ କେନ୍ଦ୍ର ବି ନିର୍ମାଣ ହେବ।

ସମ୍ବନ୍ଧିତ ଖବର