ବିମାନବନ୍ଦରରେ ପାର୍କିଂ ନିର୍ଯାତନା: ନିୟମ ହୋଇଛି ମାଗଣା, ଆଦାୟ ହେଉଛି ୨୦ଟଙ୍କା

ଯାତ୍ରୀ ଛାଡ଼ି ଆସିଲେ ବି ପାର୍କିଂ ଫି’ ଦେବାକୁ ପଡ଼ୁଛି

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୋମବାର ଠାରୁ ନୂଆ ପାର୍କିଂ ନିୟମ ଲାଗୁ ହୋଇଥିଲେ ହେଁ ଏହାକୁ କଡ଼ାକଡ଼ି ଲାଗୁ କରାଯାଇପାରିନି। ଏବେବି ‌ଗାଡ଼ି ଚାଳକଙ୍କୁ ଶୋଷଣ କରି ଟଙ୍କା ଆଦାୟ କରାଯାଉଛି। ପୂର୍ବରୁ ଗାଡ଼ି ପିଛା‌ ୫୫ଟଙ୍କା ପାର୍କିଂ ଫି’ ଆଦାୟ ହେଉଥିଲା। ଏବେ ଘରୋଇ ଗାଡ଼ି ଠାରୁ ୨୦ଟଙ୍କା ଏବଂ ଟ୍ୟାକ୍ସି ଠାରୁ ୪୦ଟଙ୍କା ଆଦାୟ ହେଉଛି। ବେଆଇନ ଭାବେ ଶତାଧିକ ଗାଡ଼ିରୁ ପାର୍କିଂ ଫି’ ଆଦାୟ ହେଉଥିଲେ ହେଁ ବିମାନବନ୍ଦର କର୍ତ୍ତୃପକ୍ଷ ନୀରବ ରହିଛନ୍ତି। ଏପ୍ରିଲ ୧ରୁ ନୂଆ ପାର୍କିଂ ନୀତି ଲାଗୁ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସଂସଦରେ କହିଥିଲେ। କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ ଏହାକୁ ୧ତାରିଖରୁ ଲାଗୁ କରିପାରିଲେନି। ଏପ୍ରିଲ ୮, ଅପରାହ୍ନ ୨ଟାରୁ ନୂଆ ନିୟମ ଲାଗୁ ହେଲା। ଏନେଇ ପାର୍କିଂ ଗେଟ୍‌ ନିକଟରେ ମଧ୍ୟ ସୂଚନା ଦିଆଯାଇଛି। କିନ୍ତୁ ପାର୍କିଂ ସଂସ୍ଥା ଏହାକୁ ମାନିବାକୁ ନାରାଜ। ଦୁଇ ଚକିଆ ଯାନ, ଘରୋଇ ଗାଡ଼ିରୁ ପାର୍କିଂ ଫି’ ଆଦାୟ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲେ ହେଁ ପ୍ରତି ଗାଡ଼ି ପିଛା ୨୦ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଏହାକୁ ଯଦି ଗାଡ଼ି ଚାଳକ ବିରୋଧ କରୁଛନ୍ତି ତେବେ ପାର୍କିଂ ସଂସ୍ଥାର କର୍ମଚାର ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି। ନୂଆ ପାର୍କିଂ ନୀତି ଲାଗୁ ହେବା ପରେ ବି କାହିଁକି ପାର୍କିଂ ଫି’ ଦେବୁ ବୋଲି ବାଇକ୍‌ ଓ ଘରୋଇ ଗାଡ଼ି ଚାଳକ କହିଲେ ବି ପାର୍କିଂ ସଂସ୍ଥା ପକ୍ଷରୁ କୁହାଯାଉଛି ଯେ, ନୂଆ ନିୟମ ଅନୁଯାୟୀ ହିଁ ଆମେ ଫି’ ଆଦାୟ କରୁଛୁ। ଆଗରୁ ୫୫ଟଙ୍କା ଆଦାୟ ହେଉଥିଲା ଏବେ ୨୦ଟଙ୍କା ଆଦାୟ ହେଉଛି।

ସୂଚନାଯୋଗ୍ୟ ଯେ, ନୂଆ ନିୟମ ଅନୁଯାୟୀ ଏଣିକି ବିମାନବନ୍ଦରକୁ ପ୍ରବେଶ କରୁଥିବା ଏବଂ ବାହାରୁଥିବା କୌଣସି ଘରୋଇ ଗାଡ଼ି ଉପରେ ପାର୍କିଂ ଫି’ ଲାଗୁ ହେବନି। କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଏବଂ ଟ୍ୟାକ୍ସିକୁ ଫି’ ବାବଦକୁ ୪୦ଟଙ୍କା ଦେବାକୁ ପଡ଼ିବ। ନିୟମ କହୁଛି ବିମାନବନ୍ଦରରେ ଥିବା ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କଲେ ହିଁ ଫି’ ଦେବାକୁ ପଡ଼ିବ। ଦୁଇ ଚକିଆ ଯାନ ପାଇଁ ଅଧ ଘଣ୍ଟାକୁ ୧୦ଟଙ୍କା, କାର୍‌ ପାଇଁ ୨୦ଟଙ୍କା, ଅଟୋ, ଏସ୍‌ୟୁଭି, ମିନି ବସ୍‌ ପାଇଁ ୨୦ଟଙ୍କା ଏବଂ କୋଚ୍, ବସ୍‌, ଟ୍ରକ ପାଇଁ ୩୦ଟଙ୍କା। ୨ଘଣ୍ଟାକୁ ଯଥାକ୍ରମେ ୧୫, ୫୫, ୬୦ ଓ ୭୦ଟଙ୍କା, ୨ରୁ ୭ଘଣ୍ଟା ପାଇଁ ଦୁଇ ଚକିଆ ଯାନ ପିଛା ଅତିରିକ୍ତ ୫ଟଙ୍କା ଏବଂ ଅନ୍ୟ ଗାଡ଼ି ପାଇଁ ଅତିରିକ୍ତ ୧୦ଟଙ୍କା ଦେବାକୁ ପଡ଼ିବ। ସେହିପରି ୨୪ଘଣ୍ଟା ଗାଡ଼ି ପାର୍କିଂ କଲେ ଦୁଇ ଚକିଆ ଯାନ ପାଇଁ ୪୫ଟଙ୍କା, କାର୍‌ ପାଇଁ ୧୬୫ଟଙ୍କା, ଅଟୋ, ଏସ୍‌ୟୁଭି ଓ ମିନି ବସ୍‌ ପାଇଁ ୧୮୦ଟଙ୍କା ଏବଂ କୋଚ୍‌, ବସ୍‌, ଟ୍ରକ୍ ପାଇଁ ୨୧୦ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ବିମାନବନ୍ଦରକୁ ଛାଡ଼ିବାକୁ ଯାଉଥିବା ବା ଲୋକଙ୍କୁ ଆଣିବାକୁ ଯାଉଥିବା ଘରୋଇ ଗାଡ଼ି ଠାରୁ ପାର୍କିଂ ଫି’ ଆଦାୟ କରାଯାଉଛି। କେତେକ ଲୋକ ତରବରିଆ ଭାବେ ଆସୁଥିବାରୁ ଏବଂ ଆଉ କିଛି ଲୋକ ନୂଆ ନିୟମ ସମ୍ପର୍କରେ ଜାଣିନଥିବାରୁ ପାର୍କିଂ ସଂସ୍ଥାର କର୍ମଚାରୀଙ୍କ ଦ୍ବାରା ଶୋଷଣ ହେଉଛନ୍ତି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ କିଛି ବି କାର୍ଯ୍ୟାନୁଷ୍ଠାନ ନନେବା ଯାତ୍ରୀଙ୍କୁ ଚକିତ କରିଛି। ଅପରପକ୍ଷେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀ କହିଛନ୍ତି ଯେ, ବିମାନବନ୍ଦର କତ୍ତକର୍ତ୍ତୃପକ୍ଷ ନୂଆ ନିୟମ କରିଥିଲେ ହେଁ ଏନେଇ ପାର୍କିଂ ସ୍ଥଳ, ଟର୍ମିନାଲ ପରିସର, ପ୍ରବେଶ ଓ ପ୍ରସ୍ଥାନ ଗେଟ ନିକଟରେ କୌଣସି ସୂଚନା ଦେଇନଥିବାରୁ ଆମେ ଅଯଥାରେ ହଇରାଣ ହେଉଛୁ।

ସମ୍ବନ୍ଧିତ ଖବର