ବିମାନବନ୍ଦରରୁ ଏଜି ଛକ ପାଇଁ ୨୨କୋଟି

ସଚିବାଳୟ ମାର୍ଗ ଉନ୍ନତୀକରଣ ପାଇଁ ପ୍ରଶାସନିକ ଅନୁମତି

ଭୁବନେଶ୍ୱର: ସ୍ମାର୍ଟ ଜନପଥ ଭଳି ସ୍ମାର୍ଟ ସଚିବାଳୟ ମାର୍ଗ ନିର୍ମାଣ ହେବ। ସହରୀ ପାର୍କିଂ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଅତ୍ୟାଧୁନିକ ସୁବିଧା ସୁଯୋଗକୁ ରଖି ଆଚାର୍ଯ୍ୟ ବିହାର ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ରାସ୍ତାକୁ ନୂଆ ରୂପ ଦିଆଯିବ। ଏହି ରାସ୍ତାବ୍ୟତୀତ ଏହାକୁ ସଂଯୋଗ କରୁଥିବା ଉଦ୍ୟାନ ମାର୍ଗ, ରାଜପଥ, ମହାତ୍ମା ଗାନ୍ଧୀ ମାର୍ଗ, ମଧୁସୂଦନ ମାର୍ଗ, ବାୟାବାବା ରାସ୍ତା ସମେତ ସମସ୍ତ ଗଳିକନ୍ଦି ରାସ୍ତାକୁ ମିଶାଇ ମୋଟ୍‌ ୯.୩କିମି ରାସ୍ତାକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରାୟ ୩୦୦କୋଟି ଖର୍ଚ୍ଚ ହେବ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦର ଗୋଲେଇରୁ ଆରମ୍ଭ କରି ଏଜି ଛକ ପର୍ଯ୍ୟନ୍ତ ୧.୬୮୦କିମି ରାସ୍ତାର ନବୀକରଣ କରାଯିବ। ଏଥିପାଇଁ ପ୍ରଶାସନିକ ଅନୁମତି ମିଳିଥିବାବେଳେ ୨୨କୋଟି ୩୦ଲକ୍ଷ ୭୫ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ସ୍ମାର୍ଟ ସିଟି ଅଧୀନ ଅଞ୍ଚଳରେ ଏହି ରାସ୍ତା ଯାଉ ନ ଥିବାରୁ ଏହାର ନବୀକରଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ,୨୦୫୦ ପର୍ଯ୍ୟନ୍ତ ଏହି ରାସ୍ତାକୁ ନ ଖୋଳି, ସୌନ୍ଦର୍ଯ୍ୟକରଣକୁ ନଷ୍ଟ ନକରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରି ହେବ ସେହିଭଳି ଡିଜାଇନ୍‌ ପ୍ରସ୍ତୁତ ହୋଇଛି।

ଆଚାର୍ଯ୍ୟ ବିହାରରୁ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରାୟ ୬କିମିର ରାସ୍ତା ଥିବାବେଳେ ଏହି ରାସ୍ତା ସଂଲଗ୍ନ ପ୍ରାୟ ୩କିମି ରାସ୍ତାର ବି ଉନ୍ନତିକରଣ ହେବ। ଏହି ରାସ୍ତାରେ ଜନପଥ ତୁଳନାରେ କମ୍‌ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଏହାର ଢାଞ୍ଚା ଜନପଥଠାରୁ ସାମାନ୍ୟ ଭିନ୍ନ ହେବ। ଏଠାରେ ଦୁଇଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହେବ। ସ୍ମାର୍ଟ ସଚିବାଳୟ ମାର୍ଗରେ ପ୍ରଶସ୍ତ ଓ ଚକାଚକ୍‌ ରାସ୍ତା, ଆଧୁନିକ ଟ୍ରାଫିକ ସିଗନାଲ୍‌, ଦୁର୍ଘଟଣା ମୁକ୍ତ ଅଞ୍ଚଳ, ଜବରଦଖଲମୁକ୍ତ, ପଥଚାରୀଙ୍କ ପାଇଁ ଫୁଟପାଥ୍‌, ସ୍ୱତନ୍ତ୍ର ସାଇକେଲ୍‌ ଟ୍ରାକ୍‌ ଆଦି ରହିବ। ଗୋଟିଏ ସ୍ଥାନରେ ସୁ-ଉଚ୍ଚ ବିଲ୍‌ଡିଂରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଆବାସିକ ପ୍ରକଳ୍ପ ରହିବ। ଏହି ରାସ୍ତାରେ ଅଧିକ ସରକାରୀ କାର୍ଯ୍ୟାଳୟ, ସଚିବାଳୟ, ବିଧାନସଭା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ, ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଜୟଦେବ ଭବନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ପେଣ୍ଠସ୍ଥଳୀ ଥିବାରୁ ଏହି ରାସ୍ତାର ଡିଜାଇନ୍‌ ସେହି ଅନୁଯାୟୀ ପ୍ରସ୍ତୁତ ହେବ। ସେହପିରି ଆଇଜି ପାର୍କ, ବିଡିଏ ସିଟି ସେଣ୍ଟର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭଳି ଆମୋଦପ୍ରମୋଦ ସ୍ଥାନ ଥିବାରୁ ଏହାକୁ ବିଶେଷ ଧ୍ୟାନ ଦିଆଯିବ। ଏହି ରାସ୍ତା ଯେପରି ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ବିଭିନ୍ନ ସଂସ୍ଥା ସହ ଆଲୋଚନା କରି ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହେବାକୁ ଥିବା ୧.୬୮୦କିମିର ରାସ୍ତା ପ୍ରଶସ୍ତୀକରଣ ପାଇଁ ୬କୋଟି ୨ହଜାର ଟଙ୍କା, ବିଭିନ୍ନ ଛକର ଉନ୍ନତିକରଣ ପାଇଁ ୯୦ଲକ୍ଷ ୩୯ହଜାର ୫୨୮ଟଙ୍କା, ରାସ୍ତାରେ ବିଭିନ୍ନ ସଂକେତ ଳଗାଇବା ପାଇଁ ୨୦ଲକ୍ଷ ୪୦ହଜାର ୬୨୭ଟଙ୍କା, ସଚିବାଳୟ ମାର୍ଗକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ଉନ୍ନତୀକରଣ ପାଇଁ ୩କୋଟି ୪୬ଲକ୍ଷ ୧୪ହଜାର ୮୨୧ଟଙ୍କା, ଡ୍ରେନ୍‌ ଏବଂ ଅନ୍ୟାନ୍ୟ ୟୁଟିଲିଟି କରିଡର ପାଇଁ ୭କୋଟି ୭୧ଲକ୍ଷ ୯୫ହଜାର ୫୧୪ଟଙ୍କା, ବକ୍ସ କଲଭର୍ଟ ପାଇଁ ୪୮ଲକ୍ଷ ୩ହଜାର ୨୯୬ଟଙ୍କା ଖର୍ଚ୍ଚ ହେବ।

ଏହି ରାସ୍ତା ଉନ୍ନତୀକରଣ ପାଇଁ ଏଠାରେ ହେବାକୁ ଥିବା ସୌନ୍ଦର୍ଯ୍ୟକରଣ, ପାଣି ପାଇପ୍‌ ସ୍ଥାନାନ୍ତରଣ, ବସ୍‌ ଷ୍ଟାଣ୍ଡ, ସିସିଟିଭି ପୋଲ୍‌ ସ୍ଥାନାନ୍ତରଣ, ଗଛ କାଟିବ ଏବଂ ଚାରା ରୋପଣ ବାବଦକୁ ବି ଖର୍ଚ୍ଚ ଅଟକଳ ହୋଇଛି। ଏଥିରେ ୮ଟି ବସ୍‌ ସେଲଟର୍‌ ନିର୍ମାଣ ପାଇଁ ୪୦ଲକ୍ଷ, ଲ୍ୟାଣ୍ଡ ସ୍କେପିଂ ପାଇଁ ୧୬ଲକ୍ଷ, ସିସିଟିଭି ପୋଲ୍‌ ସ୍ଥାନାନ୍ତରଣ ପାଇଁ ୫ଲକ୍ଷ, ବିଦ୍ୟୁତ ତାର ପାଇଁ ୫ଲକ୍ଷ, ପାଣି ପାଇପ୍‌ ସ୍ଥାନାନ୍ତର ପାଇଁ ୧୦ଲକ୍ଷ, ଗଛ କାଟିବା ଏବଂ ଚାରା ରୋପଣ ପାଇଁ ୧୫ଲକ୍ଷ ଖର୍ଚ୍ଚ ହେବ। ଏତିକି ଅର୍ଥରେ ସମସ୍ତ କାର୍ଯ୍ୟ କରିବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଖର୍ଚ୍ଚ ଅଟକଳ ବଢ଼ିବନି।

ସମ୍ବନ୍ଧିତ ଖବର