ଭୁବନେଶ୍ୱର: ୩ ଦଫା ଦାବିରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ପକ୍ଷରୁ ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଏସଆରଟିସି ଅଧୀନରେ ପରିଚାଳିତ ସମସ୍ତ ସରକାରୀ ବସ୍ରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତାୟାତ ସୁବିଧା, ସମସ୍ତ ଘରୋଇ ବସ୍ରେ ଛାତ୍ରଛାତ୍ରୀଙ୍କ ପାଇଁ ଭଡ଼ାରେ ୫୦% ରିହାତି ଓ କର୍ପୋରେଟ୍ ସଂସ୍ଥାମାନଙ୍କ ସିଏସ୍ଆର ଫଣ୍ଡ୍ରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ବସ୍ ଚଳାଚଳ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ସଂଘର ରାଜ୍ୟସଭାପତି ସଂଘମିତ୍ରା ଜେନା କହିଛନ୍ତି, ଯାତାୟାତ ଖର୍ଚ୍ଚ ଯଦି ସୁଲଭ ନହୁଏ, ତାହା ହେଲେ ଶିକ୍ଷା କେବେ ବି ସାର୍ବଜନୀନ ହୋଇପାରିବ ନାହିଁ। ଉପରୋକ୍ତ ଦାବି ଦୃଷ୍ଟିକୋଣରୁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଦାବି ପୂରଣ କରନ୍ତୁ। ନଚେତ୍ ଆସନ୍ତା ଦିନରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟସମ୍ପାଦକ କାହ୍ନୁଚରଣ ପରିଡ଼ାଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦରେ ରାଜ୍ୟ ଉପସଭାପତି ରାଜାରାମ ଡଙ୍ଗରୀ, ପପୁ ରାଉତ, ମନୋରଞ୍ଜନ ରାଉତ, ସାଗର ପ୍ରଧାନ, ଅମରେଶ ପରିଡ଼ା ଓ ସୋନାଲି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।
‘ଆମ ବସ’ ଭଡ଼ା ବୃଦ୍ଧି ବିରୋଧରେ ଏସ୍ୟୁସିଆଇର ବିକ୍ଷୋଭ
ଭୁବନେଶ୍ୱର: ଭୁବନେଶ୍ୱରର ‘ଆମ ବସ୍’ ଭଡା ବୃଦ୍ଧି ପାଇଁ କର୍ତ୍ତୃପକ୍ଷଙ୍କ ମସୁଧା ବିରୋଧରେ ଓ ସହରରେ ଆହୁରି ଅଧିକ ସଂଖ୍ୟକ ବସ୍ ଚଳାଇବା ଦାବିରେ ଆଜି ଏସ୍ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ମାଷ୍ଟର୍କ୍ୟାଣ୍ଟିନ ବସ୍ଷ୍ଟାଣ୍ଡ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏସ୍ୟୁସିଆଇ ପକ୍ଷରୁ କୁହାଯାଇଛି ଯେ ସହରର ‘ଆମ ବସ’ରେ ଜଣେ ଯାତ୍ରୀ ୭୫୦ ଟଙ୍କାର ମାସିକିଆ ଟିକେଟ୍ କାଟି ଉଭୟ ଏସି ଓ ନନ୍ଏସି ବସ୍ରେ ଏକାଧିକ ଥର ଯା’ଆସ କରିପାରୁଥିଲା। କିନ୍ତୁ ଏବେ ସେହି ମାସିକିଆ ପାସ୍ ଏସି ବସ୍ ପାଇଁ ଲାଗୁ ହେଉ ନାହିଁ। ନନ୍ ଏସି ବସ୍ରେ ମଧ୍ୟ ଜଣେ ଦିନକୁ ୪ଥର ଉଠିପାରିବାର ନିୟମ କରାଯାଇଛି। ସାଧାରଣ ଭାବେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ ଜଣ ଜଣକୁ ତିନିଟି ବସ ବଦଳାଇବାକୁ ପଡୁଛି।
ଏହି କ୍ଷେତ୍ରରେ ତାଙ୍କୁ ମାସିକ ଟିକେଟ ଥିଲେ ମଧ୍ୟ ତାଙ୍କୁ ଅଧିକ ପଇସା ଦେବାକୁ ପଡୁଛି। ସେହିପରି ରାଜଧାନୀରେ ଆହୁରି ଅଧିକ ବସ୍ ଚଳାଇବା ପାଇଁ ଦାବି କରାଯାଇଛି। ଏନେଇ ଆଜି ଏସ୍ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇ ବସ୍ ଭଡ଼ି ବୃଦ୍ଧି ଯୋଜନା ବନ୍ଦ କରିବା ସହ ମାସିକିଆ ପାସ୍ରେ ଉଭୟଏସି ଓ ନନ୍ ଏସି ବସ୍ରେ ଅସୀମିତ ବସଯାତ୍ରାର ସୁଯୋଗ ଓ ଅଧିକ ବସ୍ ଚଳାଇବା ପାଇଁ ଦାବି କରାଯାଇଛି। ଏହା ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ଯାତ୍ରା ପାଇଁ ରିହାତି ଦାବି କରାଯାଇଛି। ବିକ୍ଷୋଭକାରୀମାନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ‘ଆମ ବସ୍ ସେବା’ ମୁଖ୍ୟ କାର୍ଯ୍ୟଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଭୁବନେଶ୍ୱର ଜିଲ୍ଲା କମିଟି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମା, ସନ୍ତୋଷ ରଥ, ପ୍ରଭାମଞ୍ଜୁଳା ବ୍ରହ୍ମ, ବିଜୟଲକ୍ଷ୍ମୀ ପାତ୍ର, ସପ୍ତର୍ଷିନୀ ରାଉଳ ପ୍ରମୁଖ ଏହି ବିକ୍ଷୋଭର ଉପସ୍ଥିତ ଥିଲେ।