ଭୁବନେଶ୍ବର: ବିଶିଷ୍ଟ ଗାଳ୍ପିକ, କବି, ଔପନ୍ୟାସିକ ଅଜୟ ସ୍ବାଇଁଙ୍କ ଗଳ୍ପ ଓ କବିତା ପ୍ରେକ୍ଷାଳୟରେ ନାଟକୀୟ ପରିବେଶ ସୃଷ୍ଟି କରିଥିଲେ। କେତେବେଳେ ତାଙ୍କ ଗଳ୍ପ ଶ୍ରୋତାଙ୍କୁ ପ୍ରେମିକାର ବାହୁ ବନ୍ଧନରେ ବାନ୍ଧି ରଖୁଥିଲା ତ’ ଆଉ କେତେବେଳେ ତାଙ୍କ କବିତା କଳ୍ପନା ରାଇଜକୁ ଟାଣି ନେଉଥିଲା। ମଞ୍ଚ ଉପରେ ପଠନ କରାଯାଉଥିବା ତାଙ୍କର ଗପ/କବିତା ଶ୍ରୋତା ମନରେ ନାଟକୀୟତା ଭରି ଦେବାରେ କୌଣସି ଅବସର ହାତ ଛଡ଼ା କରି ନ ଥିଲା। ଏହାସହ ସାକ୍ସୋଫୋନ୍ ବାଦକ ସୀମାଦ୍ରି ରାଓଙ୍କ ଦ୍ବାରା ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକଙ୍କ ସଙ୍ଗୀତ ‘ଜୀବନ ପାତ୍ର ମୋ ଭରିଛ କେତେ ମୋତେ...’ର ଯନ୍ତ୍ରସଙ୍ଗୀତ ପରିବେଷଣ ଶ୍ରୋତାଙ୍କୁ ବିମୋହିତ କରିଥିଲା। ଅବସର ଥିଲା ଅଜୟ ଉତ୍ସବ କମିଟି ପକ୍ଷରୁ ଅଜୟ ସ୍ବାଇଁଙ୍କ ନାମରେ ନାମିତ ସାରସ୍ବତ କାର୍ଯ୍ୟକ୍ରମ ପ୍ରଥମ ‘ଅଜୟ ଉତ୍ସବ’ର। ଏହି ଉତ୍ସବକୁ ପ୍ରତିବର୍ଷ ବସନ୍ତ ପଞ୍ଚମୀ ତିଥିରେ ପାଳନ କରିବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଛି।
ଭାରତୀୟ ବିଦ୍ୟାଭବନ ପରିସରରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ କବି ହରପ୍ରସାଦ ଦାସ, ବିଶିଷ୍ଟ କଥାକାର ଗୌରହରି ଦାସ, ଗୀତିକାର ଦେବଦାସ ଛୋଟରାୟ, ସାହିତ୍ୟିକ ତରୁଣକାନ୍ତି ମିଶ୍ର, ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା, ବିଶିଷ୍ଟ ସଂଳାପକାର ରଜନୀ ରଞ୍ଜନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଗାଳ୍ପିକ, ଔପନ୍ୟାସିକ ଅଜୟ ମହାପାତ୍ରଙ୍କୁ ‘ଅଜୟ ଉତ୍ସବ ସମ୍ମାନ-୨୦୨୦’ (ସାହିତ୍ୟ) ପ୍ରଦାନ କରାଯାଇଥିବା ବେଳେ ତରୁଣ ପିଢିର କବି ଦୀପୁନ୍ ପୁହାଣଙ୍କୁ ଅଜୟ ଉତ୍ସବ ତରୁଣ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ସାହିତ୍ୟିକ ତରୁଣକାନ୍ତି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। କମିଟିର ଅଧ୍ୟକ୍ଷା ସାବିତ୍ରୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ଅକ୍ଷୟ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବକୁ ପରିଚାଳନା କରିଥିଲେ କମିଟିର ସଭାପତି କବି ଅଶୋକ କୁମାର ପୁହାଣ। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକଙ୍କ ଦ୍ୱାରା ଅଜୟ ଉତ୍ସବର ଥିମ୍ ସଙ୍ଗ୍ ପରିବେଷଣ କରାଯାଇଥିଲା। ବିଶିଷ୍ଟ ସଂଳାପକାର ଡ. ରଜନୀ ରଞ୍ଜନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅଜୟ ଉତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀ ଏଥିରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/dgjhd5g4jhd7h98fgh98fhsfsfsfsfsfsfsfsfsfsfsfsfsfsfsf.jpg)