ଭୁବନେଶ୍ବର: ଭୁବନେଶ୍ବର ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି ସୁରଭି-୨୦୨୨। ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରୁ ବହୁ ଅନୁଭୂତି ସଂଗ୍ରହ କରି ଫେରିଛନ୍ତି। ତେବେ ପ୍ରାୟ ସମସ୍ତଙ୍କ ମନରେ ଛାପ ହୋଇରହିଯାଇଛି ଅଜୟ ମିଶ୍ରଙ୍କ ସଂଗ୍ରହାଳୟ ‘ମିଶ୍ରଶାଳ’। ଏଠାରେ ପିଲାମାନେ ଦେଖିବାକୁ ପାଇଛନ୍ତି ଶଗଡ଼, ଲଙ୍ଗଳ, ମାଛଧରା ମୁଗୁରା, ଓଜନ ପାଇଁ ବ୍ୟବହୃତ ବିଶାକାଠି ଭଳି ପୁରୁଣାକାଳୀଆ ଯନ୍ତ୍ରପାତି।
କଟକ ମଧୁପାଟଣାରେ ରୁହନ୍ତି ଅଜୟ। ତାଙ୍କୁ ଏବେ ୬୬ ବର୍ଷ ବୟସ।

Advertisment

ଓଡ଼ିଆମାନେ ବ୍ୟବହାର କରୁଥିବା ପୁରୁଣା ଯନ୍ତ୍ରପାତିର ମଡେଲ୍‌ ତିଆରି କରିବା ତାଙ୍କ ନିଶା। ଶଗଡ଼, ଲଙ୍ଗଳଠାରୁ ଆରମ୍ଭ କରି ଜଳସେଚନ ପାଇଁ ବ୍ୟବହାର କରାଯାଉଥିବା ତେଣ୍ଡା ତଥା ବିଭିନ୍ନ କୃଷି ଉପକରଣର ମଡେଲ ତିଆରି କରି ସେ ସାଇତିଛନ୍ତି। ସେହିଭଳି ଘରେ ଘରେ ବ୍ୟବହାର ହେଉଥିବା ଅନ୍ଦୁଲି, ଘୁମ, ରଣପା, ଶିକା, ଢିଙ୍କି, ଶିଳ, ଚକି, ଅରଟ, ମାଛଧରା ଭଉଁରି ଜାଲ ଭଳି ହଜି ଯାଇଥିବା ସେତେବେଳର ଉପକରଣର ମଡେଲ୍‌ ତିଆରି କରିଛନ୍ତି। ସେହିଭଳି ମାପ ବା ଓଜନ ପାଇଁ ବ୍ୟବହାର କରାଯାଉଥିବା ବିଶାକାଠି ବି କରି ରଖିଛନ୍ତି। ଅତ୍ୟାଧୁନିକ ଯନ୍ତ୍ରପାତି ନିର୍ମାଣ ହେବା ପୂର୍ବରୁ ମଣିଷ କିଭଳି ସେତେବେଳେ ଉପରୋକ୍ତ ଉପକରଣ ବ୍ୟବହାର କରୁଥିଲା ଏବଂ ଶାରୀରିକ ପରିଶ୍ରମ କରୁଥିଲା, ସେବାବଦରେ ଆଜିକାଲିର ଆଧୁନିକ ପିଲାଙ୍କୁ ବତାଇବାକୁ ସେ ଏହି ଉଦ୍ୟମ କରିଛନ୍ତି। ୨୦୨୦ ମସିହାରୁ ଅଜୟ ଏମିତି ପ୍ରାୟ ୧୫୦ ଉପକରଣର ମଡେଲ ତିଆରି କରି ନିଜ ସଂଗ୍ରହାଳୟରେ ରଖିଛନ୍ତି।