ଅଜୟଙ୍କ ବିୟୋଗ ଜୀବବିଜ୍ଞାନ ଗବେଷଣା କ୍ଷେତ୍ରରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିବ

ସ୍ମୃତିସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ

ଭୁବନେଶ୍ୱର: ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଅଜୟ କୁମାର ପରିଡ଼ାଙ୍କ ବିୟୋଗ ଦେଶର ବୌଦ୍ଧିକ ଜଗତ ପାଇଁ ଏକ ଦୁଃସମ୍ବାଦ। ତାଙ୍କ ବିୟୋଗ ଦେଶର ଜୀବ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି। ସ୍ବର୍ଗତ ପରିଡ଼ାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶା ପରିବେଶ କଂଗ୍ରେସ ଆହ୍ବାନକ୍ରମେ ଆୟୋଜିତ ୱେବିନାର୍‌ରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ଏପରି ମତ ପୋଷଣ କରିଛନ୍ତି। କୃଷି, ସ୍ୱାସ୍ଥ୍ୟ, ଉଦ୍ଭିଦ ବିଜ୍ଞାନ କ୍ଷେତ୍ରରେ ଅନେକ କାଳଜୟୀ କୃତି ଓ ଉପାଦେୟ ଗବେଷଣାଭିତ୍ତିକ ସନ୍ଦର୍ଭ ଡ. ପରିଡ଼ାଙ୍କୁ ଅମର କରି ରଖିବ। ଖାଲି ବୈଜ୍ଞାନିକ ଉଦ୍ଭାବନ ବା ଗବେଷଣା ନୁହେଁ, ସାଧାରଣ ମଣିଷର ଜୀବନରେ ତା’ର ପ୍ରୟୋଗ କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଭୂମିକା ଥିଲା ବୋଲି ବକ୍ତାମାନେ କହିଥିଲେ।

ବିଶିଷ୍ଟ ଲେଖକ ତଥା ପ୍ରାକ୍ତନ ପ୍ରଶାସକ ଡ. ଅରବିନ୍ଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ୱେବିନାର୍‌ରେ ଓଡ଼ିଶା ପରିବେଶ କଂଗ୍ରେସର ସାଂଗଠନିକ ସମ୍ପାଦକ ସୁଦର୍ଶନ ଦାସ ସ୍ବାଗତଭାଷଣ ଦେଇଥିଲେ। ଶ୍ରୀ ଜଗଦାନନ୍ଦ, ପ୍ରଫେସର୍‌ ସୂର୍ଯ୍ୟନାରାୟଣ ପାତ୍ର, ପ୍ରଫେସର୍‌ ଜୟକୃଷ୍ଣ ପାଣିଗ୍ରାହୀ, ପ୍ରଫେସର୍‌ ମିତାଲି ଚିନାରା, ପ୍ରଫେସର୍‌ ତମସା ପାଲଟାସିଂହ, ଡ. ସନ୍ଦୀପ ମିଶ୍ର, ଭୃଗୁ ବକ୍ସିପାତ୍ର, ପ୍ରଫେସର୍‌ ଶିଶିରକାନ୍ତ ବେହେରା, ରଘୁନାଥ ମଣ୍ଡଳ, ବିଜୟ ପ୍ରଧାନ, ପ୍ରଫେସର୍‌ ପ୍ରେମାନନ୍ଦ ପଣ୍ଡା ପ୍ରମୁଖ ଡ. ପରିଡ଼ାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚାରଣ କରିଥିଲେ।
ପ୍ରକାଶଥାଉକି ଡ. ପରିଡ଼ା ଓଡ଼ିଶା ପରିବେଶ କଂଗ୍ରେସର ଆରମ୍ଭରୁ ଏହାର ଉପଦେଷ୍ଟାମଣ୍ଡଳୀ ସଦସ୍ୟ ରହିଥିଲେ। ଡ. ପରିଡ଼ାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପରିବେଶ କଂଗ୍ରେସ ପ୍ରତିବର୍ଷ ଶ୍ରେଷ୍ଠ ଯୁବ ବିଜ୍ଞାନୀ ପୁରସ୍କାର ପ୍ରଦାନ କରିବା ପାଇଁ ଏହି ସ୍ମୃତିସଭାରେ ଘୋଷଣା କରାଯାଇଥିଲା। ସଭା ପ୍ରାରମ୍ଭରେ ପ୍ରଭାସିନୀ ରାଉତ ‘ବୈଷ୍ଣବ ଜନତୋ…’ ଭଜନ ଗାନ କରିଥିବା ବେଳେ ବିଜୟ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର