ସିପିଙ୍କ ପାଖରେ ବାପାଙ୍କ ଫେରାଦ୍‌

ମାର୍ବଲ ମିସ୍ତ୍ରି ଅଜିତ୍‌ ହତ୍ୟା ମାମଲା

ଖଣ୍ଡଗିରି: ବରମୁଣ୍ଡା ଗୋଦାମ ସାହି ବସ୍ତିର ମାର୍ବଲ ମିସ୍ତ୍ରି ଅଜିତ୍‌ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ କ୍ଷତିପୂରଣ ଦାବିରେ ଆଜି ପରିବାର ଲୋକେ ପୁଲିସ କମିସନର୍‌ଙ୍କୁ ଭେଟିଛନ୍ତି। ଖଣ୍ଡଗିରି ଥାନା ପୁଲିସ ମୁଖ୍ୟ ହତ୍ୟାକାରୀକୁ ଗିରଫ କରୁ ନଥିବା ନେଇ ମୃତ ଅଜିତ୍‌ଙ୍କ ବାପା ବୁଦ୍ଧିରାମ ଜେନା କମିସନର୍‌ଙ୍କ ନିକଟରେ ଫେରାଦ୍‌ ହୋଇଛନ୍ତି। ଅଜିତ୍‌ ଜଣେ କୁଶଳୀ ଶ୍ରମିକ ହୋଇଥିବାରୁ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବୁଦ୍ଧିରାମ ପୁଲିସ କମିସନର୍‌ଙ୍କୁ ନିବେଦନ କରିଛନ୍ତି।

ଆଜି ବୁଦ୍ଧିରାମ ପୁଲିସ କମିସନର୍‌ ଓ୍ଵାଇ ବି ଖୁରାନିଆଙ୍କ ଜରିଆରେ ପୁଲିସ ମହାନିର୍ଦେଶକଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସେଥିରେ ସେ ତାଙ୍କ ପୁଅକୁ କିଭଳି ଅପହରଣ କରି ହତ୍ୟା କରାଯାଇଥିଲା, ତାହା ବର୍ଣ୍ଣନା କରିଛନ୍ତି। ଅଜିତ୍‌ ବଙ୍ଗାଳୀ ଠିକାଦାର କୈଳାସଙ୍କ ପାଖେ କାମ କରୁଥିଲା ଓ ବକେୟା ପାଉଣା ବାବଦରେ ୫୨ ହଜାର ଟଙ୍କ ପାଇବାର ଥିଲା। କିନ୍ତ ଟଙ୍କା ଦେବାରେ ଅବହେଳା କରିବାରୁ ଅଜିତ୍‌ ଫେବ୍ରୁଆରି ୫ ତାରିଖରେ ବଙ୍ଗାଳୀ ଠିକାଦାର କୈଳାସଙ୍କ ବାଇକ୍‌ ଛଡ଼ାଇ ରଖିଥିଲା। ପ୍ରତିଶୋଧ ପରାୟଣ ହୋଇ ୮ ତାରିଖରେ କୈଳାସ ଓ ତାର ସହଯୋଗୀ ଅକ୍ଷୟ ଯୋଜନାବଦ୍ଧଭାବେ ଅଜିତ୍‌କୁ ଅପହରଣ କରି ସେହି ଦିନ ରାତିରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅନ୍ତର୍ଗତ ମୋଟରୀ ନିକଟସ୍ଥ ଏକ ଜଙ୍ଗଲିଆ ସ୍ଥାନରେ ପଥରରେ ଛେଚି ହତ୍ୟା କରିଥିଲେ। ପରଦିନ ଡେଲାଙ୍ଗ ଥାନା ପୁଲିସ ମୃତଦେହ ଜବତ କରିଥିଲେ ବି ପରିଚୟ ନ ପାଇ ଶେଷରେ ଶବକୁ ପୋତି ଦେଇଥିଲା। ଏଣେ ଖଣ୍ଡଗିରି ଥାନା ପୁଲିସ ୩ ମାସ ପରେ ଅର୍ଥାତ୍‌ ଚଳିତ ମାସ ୭ ତାରିଖରେ ପୁରୀ ବ୍ରହ୍ମଗିରି ଅଞ୍ଚଳର ଅକ୍ଷୟ ପ୍ରଧାନଙ୍କୁ ଗିରଫ କରିବା ସହ ଅଜିତ୍‌ ଅପହରଣ ଓ ହତ୍ୟା ମାମଲାର ପର୍ଦଫୋସ୍‌ କରିଥିଲା। ବୁଦ୍ଧିରାମଙ୍କ ଅଭିଯୋଗ ଅନୁସାରେ ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜଣେ ଅଟୋ ଚାଳକକୁ ଧରିଥିଲେ ବି ତାକୁ କୋର୍ଟ ଚାଲାଣ କରିନାହିଁ। ଉକ୍ତ ଅଟୋ ଚାଳକଙ୍କ ଗାଡ଼ିରେ ଅଜିତ୍‌କୁ ପିପିଲିରୁ ଅପହରଣ କରାଯାଇଥିଲେ ବି ପୁଲିସ ତାକୁ ଛାଡ଼ି ଦେଇଛି। ପୁଣି ମୁଖ୍ୟ ହତ୍ୟାକାରୀ ବଙ୍ଗାଳୀ ଠିକାଦାର କୈଳାସକୁ ପୁଲିସ ଗିରଫ କରୁନାହିଁ ବୋଲି ବୁଦ୍ଧିରାମ ଅଭିଯୋଗ କରିଛନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାର ନିକଟରୁ ମାଟି ତଳୁ ମୃତ ଅଜିତ୍‌ଙ୍କ ଶବ ଉଦ୍ଧାର କଲାବେଳେ ଏକ କୁକୁର ଶବ ମିଳିଥିବା ନେଇ ବୁଦ୍ଧିରାମ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଏନେଇ ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କ କହିବା କଥା ଜଣେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଓ ପୁରୀ ମେଡିକାଲର ଡାକ୍ତରଙ୍କ ଉପସ୍ଥିତିରେ ଶବ ପୋତା ଯାଇଥିବା ସ୍ଥାନ ଖନନ କରାଯାଇଥିଲା। ୩ ମାସ ପରେ ମାଟିତଳେ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପୁଣି ସେହି ସ୍ଥାନରେ ବହୁ ଅଚିହ୍ନା ଶବ ପୋତା ଯାଇଥିବାରୁ ବହୁ ଅସ୍ଥି ମିଳିଥିଲା ଓ ସେଥିରୁ ଅଜିତ୍‌ଙ୍କ ଅସ୍ଥି ଚିହ୍ନଟ କରିବା ସମ୍ଭବ ହୋଇ ନଥିଲା। ତେଣୁ ଡିଏନ୍‌ଏ ପରୀକ୍ଷା ପାଇଁ ଅସ୍ଥି ଜବତ ଯୋଜନାକୁ ମାଜିଷ୍ଟ୍ରେଟ୍‌ ଓ ଡାକ୍ତରଙ୍କ ପରାମର୍ଶକ୍ରମେ ବନ୍ଦ କରାଯାଇଥିଲା ବୋଲି ଆଇଆଇସି ଶ୍ରୀ ସ୍ୱାଇଁ କହିଛନ୍ତି। ତେଣୁ ମାଟି ତଳୁ କୁକୁରର ଶବ ମିଳିବା ଅଭିଯୋଗକୁ ଶ୍ରୀ ସ୍ୱାଇଁ ଖଣ୍ଡନ କରିଛନ୍ତି। ସେହିଭଳି ହତ୍ୟାକାଣ୍ଡରେ ଅଟୋ ଚାଳକର ସମ୍ପୃକ୍ତି ନଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ସେ ଜଣାଇଛନ୍ତି। ତେବେ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ କୈଳାସକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର