ଅଜିତ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଠିକ୍‌ ଭୁଲ୍‌ର ବିଚାର କଲା ‘ଧର୍ମାବତାର’

ଭୁବନେଶ୍ୱର : ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦେବା ଉଚିତ ନୁହେଁ। କିନ୍ତୁ ବେଳେବେଳେ ମଣିଷ ଏମିତି ସ୍ଥିତିରେ ଉପନୀତ ହୁଏ, ଯେଉଁଠି ମନ ଓ ବିବେକ ମଧ୍ୟରେ ଦ୍ବନ୍ଦ୍ବ ଆରମ୍ଭ ହୁଏ। ପରାଧୀନ ଭାରତର କଥା; ରାତିରେ ଜଣେ ସିପାହୀ ନିଜକୁ ଝଡ଼ ବର୍ଷାରୁ ରକ୍ଷା କରିବା ପାଇଁ ଏକ ଚାଳଛପର ଘରେ ଆଶ୍ରୟ ନିଅନ୍ତି। ତାଙ୍କ ପାଖରେ ଥାଏ ଏକ ଗୁରୁତ୍ବପୂର୍ଣ୍ଣ ନଥିପତ୍ର, ଯାହା ତାଙ୍କ ନିଜ ଜନ୍ମକଲା ବାପାଙ୍କୁ ଇଂରେଜମାନଙ୍କ କବଳରୁ ରକ୍ଷା କରିପାରିବ। ଫାଶୀ ପାଇବାରୁ ବାପାଙ୍କୁ ବଞ୍ଚାଇ ପାରିବ। କିନ୍ତୁ ସେ ନଥିପତ୍ର‌ରେ ସିପାହୀ ବିଦ୍ରୋହର ଗୁରୁତ୍ବପୂର୍ଣ୍ଣ ସୂଚନା ଥିଲା। ଏହି ସୂଚନା ଇଂରେଜମାନଙ୍କ ହାତରେ ଲାଗିଗଲେ ଦେଶ ଓ ପୂରା ସିପାହୀକୁଳ ପାଇଁ ବିପଦ। ତେଣୁ ନଥିପତ୍ରକୁ ଇଂରେଜମାନଙ୍କୁ ଦେଇ ବାପାଙ୍କୁ ବଞ୍ଚାଇବେ ନା ଦେଶର ସମୂହ ସ୍ବାର୍ଥ ପାଇଁ ବାପାଙ୍କୁ ଜଳାଞ୍ଜଳି ଦେଇଦେବେ। ଜନ୍ମକଲା ବାପା ବଡ଼ ନା ଦେଶ? ଏହି ପ୍ରଶ୍ନର ଉତ୍ତର ମିଳିଥିଲା ନାଟକ ‘ଧର୍ମାବତାର’ରେ।

ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ୧୦ମ ଅଜିତ୍ ନାଟ୍ୟ ମହୋତ୍ସବର ରବିବାର ଦ୍ୱିତୀୟ ସନ୍ଧ୍ୟାରେ ରାଉଲକେଲାର ନ୍ୟୁକ୍ବେଷ୍ଟ ରେପ୍ରୋଟାରି ନାଟ୍ୟସଂସ୍ଥା ଦ୍ୱାରା ପରିବେଷିତ ଏହି ନାଟକ ଦର୍ଶକଙ୍କ ମଧ୍ୟରେ ଉନ୍ମାଦନା ଖେଳାଇ ଦେଇଥିଲା। ବିଜୟ ମିଶ୍ର ନାଟ୍ୟ ରଚନା କରିଥିବା ବେଳେ ନଳିନୀ ନିହାର ନାୟକ ନିର୍ଦ୍ଦେଶନା ଦେଇଥିଲେ। ଆଜିର ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ ଓ ଅଜିତ୍‌ର ଅଧ୍ୟକ୍ଷା ମାୟା ଦାଶ ଯୋଗ ଦେଇଥିଲେ। ଶୁଭ୍ରାଂଶୁ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର