ଅଜିତ ନାଟ୍ୟ ମହୋତ୍ସବ ଶେଷ, ସତ ହେଲା ସ୍ବପ୍ନ

ଭୁ‌ବନେଶ୍ବର: କାଠୁରିଆର ସ୍ବପ୍ନ ଭିତରକୁ ଦିନେ ପଶି ଆସିଥିଲେ ‌ଜଣେ ରାଜକୁମାରୀ। ସେଇ ‌ସ୍ବପ୍ନରେ ତାଙ୍କୁ ବିବାହ ବି କରିନେଇଥିଲେ। ‌ମାତ୍ର ନିଦ ଭାଙ୍ଗିଗଲା ପରେ ସେ ନିଜ ଉପରେ ହସିବାକୁ ଲାଗିଲେ। ସ୍ଥିତି ଏମିତି ହେଲା ଯେ ସ୍ବପ୍ନବିଳାସୀ କାଠୁରିଆର ହସ ବନ୍ଦ ହେଲା ନାହିଁ। ମାତ୍ର ଯୋଗକୁ ସେଦିନ ରାଜକୁମାରୀଙ୍କ ଦେହ ଖରାପ ଥିବାରୁ ରାଜାଙ୍କ ଆଦେଶ ଥାଏ ଯେ ଏ ରାଜ୍ୟରେ କେହି ହସିବେ ନାହିଁ କି ଉତ୍ସବ ମନାଇବେ ନାହିଁ। ତେଣୁ ବିଚରା କାଠୁରିଆକୁ ‌ରାଜାଙ୍କ ସୈନିକମାନେ ଧରିନେଲେ। ଦଣ୍ଡ ସ୍ବରୂପ ଅନ୍ଧାର କୋଠରୀ ମଧ୍ୟରେ ତାକୁ କଏଦ କରିଦିଆଗଲା। ତଥାପି କାଠୁରିଆର ହସ ବନ୍ଦ ହେଲାନାହିଁ। ମାତ୍ର କାଠୁରିଆର ଏ ହସହସ ସ୍ବଭାବ ରାଜକୁମାରୀ ଲକ୍ଷ୍ୟ କରିବା ପରେ ତା’ ପ୍ରେମରେ ପଡ଼ିଗଲେ। ଏହା ଜାଣିବା ପରେ ରାଜା ଆହୁରି ରାଗିଗଲେ। ଏହାପରେ ରାଜକୁମାରୀଙ୍କୁ ସେ ଏକ ଘରେ ବନ୍ଦ କରିଦେଲେ। ରାଜକୁମାରୀଙ୍କ ଶରୀର ବିଗିଡ଼ିବା ଆରମ୍ଭ ହେଲା। ସ୍ଥିତି ଏମିତି ହେଲା ଯେ ରାଜକୁମାରୀଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଲା। ଶେଷରେ ରାଜଜ୍ୟୋତିଷ କହିଥିବା କଥା ମନେ ପଡ଼ିଲା। ଏକ ବିରଳ ଫୁଲ ଆଣିପାରିଲେ ହିଁ ରାଜକୁମାରୀ ବଞ୍ଚିପାରିବେ ବୋଲି ଜ୍ୟୋତିଷ କହିଥିବାରୁ ରାଜା କାଠୁରିଆର ସହଯୋଗ ଲୋଡ଼ିଲେ। କାଠୁରିଆ ଜଙ୍ଗଲକୁ ଯାଇ ବିଷାକ୍ତ ସାପଙ୍କ ମଧ୍ୟରେ ଥିବା ସେଇ ଫୁଲକୁ ଆଣିବା ପରେ ରାଜକୁମାରୀ ନୂଆ ଜୀବନ ପାଇଲେ। ରାଜା ବି ରାଜକୁମାରୀଙ୍କୁ କାଠୁରିଆ ସହ ବିବାହ କରିଦେଲେ। ରାଜାଘର କାହାଣୀକୁ ନେଇ ଭଂଜ କଳାମଣ୍ଡପରେ ମଞ୍ଚସ୍ଥ ନାଟକ ‘ସ୍ବପ୍ନାଲୋକ’ର ରହସ୍ୟମୟ ଘଟଣାବଳୀ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର (ଅଜିତ) ପକ୍ଷରୁ ଆୟୋଜିତ ଅଜିତ ନାଟ୍ୟ ମହୋତ୍ସବରେ ଆଜି ଏହି ନାଟକଟି ଭେଟି ଦେଇଥିଲେ ମଧ୍ୟପ୍ରଦେଶର ‘କର୍ମଯୋଗୀ କ୍ରିଏଟିଭ୍‌ ଗ୍ରୁପ୍‌’। ହିନ୍ଦୀ ଭାଷାରେ ମଞ୍ଚସ୍ଥ ଏହି ନାଟକଟି ବିଜୟଦାନ ଦେଠାଙ୍କ ମୂଳ ରଚନାରୁ ଆସିଥିବା ବେଳେ ଏହାକୁ ନାଟ୍ୟରୂପ ସହ ନିର୍ଦେଶନା ଦେଇଥିଲେ ନିତୀଶ ଦୁବେ। ଅନିଲ୍‌ ଶର୍ମା, ଅଂଶୁଲ ପ୍ରଜାପତି, ଅଙ୍କିତା ବାର୍ଚେ, ନିତୀଶ ଦୁବେ, ଶୁଭମ ରାଜପୁତ, ଶିବମ ଅୱସ୍ଥି, ଚିରଂଜୀବ ଯୋଶୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ନାଟ୍ୟ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ ନାଟ୍ୟକାର ଡ.ବିଜୟ ମିଶ୍ର ଓ ନାଟ୍ୟ ନିର୍ଦେଶକ ସୁବୋଧ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଅଜିତ ନାଟ୍ୟାନୁଷ୍ଠାନର ନିର୍ଦେଶକ ଅଜିତ ଦାସ ଓ ସଭାପତି ମାୟା ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର