ଭୁବନେଶ୍ୱର: ‘ଏକା’ ପକ୍ଷରୁ ଆୟୋଜିତ ଏକକ ନାଟକ ଉତ୍ସବ-୨୦୨୨ ଆଜି ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଛି। ଦୁଇଦିନ ବ୍ୟାପୀ ହେବାକୁ ଥିବା ଏହି ନାଟକ ଉତ୍ସବରେ ପ୍ରଥମ ଦିନରେ ୩ଟି ଏକକ ନାଟକ ପରିବେଷଣ କରାଯାଇଥିଲା। ଆଜିର ପ୍ରଥମ ନାଟକ, ରାଉରକେଲାର ସମ୍ପର୍କ ନାଟ୍ୟସଂସ୍ଥା ପକ୍ଷରୁ ‘ଅନାମର ଆତ୍ମଲିପି’ ପରିବେଷିତ ହୋଇଥିଲା। ଜଣେ ସାଧାରଣ ନାଟ୍ୟକାର ନିଜ ଆତ୍ମଲିପି ଲେଖିବାର ଦୁର୍ବାର ଲାଳସାକୁ ପରିତ୍ୟାଗ କରି ପାରିନାହାନ୍ତି। ତାଙ୍କ ବିଶ୍ୱାସ ଥିଲା ଯେ ତାଙ୍କ ଅନ୍ତେ କେହି ନା କେହି ତାଙ୍କ ଆତ୍ମଲିପିକୁ ପଢି ଦୁଇ ଟୋପା ଲୁହ ଝରାଇ ନିଶ୍ଚିତ ତାଙ୍କ ଅତୀତକୁ ସମ୍ମାନ ଜଣାଇବ।
କିନ୍ତୁ ଏହି ଲେଖା ସହିତ ତାଙ୍କ ବାପା ପାଇଥିବା ସମସ୍ତ ନାଟକ ବହି, ସମ୍ମାନପତ୍ର ତାଙ୍କ ପୁଅବୋହୂମାନଙ୍କ ପାଇଁ ବୋଝ ହୋଇଯାଉଛି। ସେଥିରୁ ରକ୍ଷା ପାଇବାକୁ ଏହି ସବୁକୁ ପୋଡ଼ି ଦେଇଛନ୍ତି କିମ୍ବା କବାଡ଼ିଆକୁ ବିକ୍ରି କରି ଦେଉଛନ୍ତି। ଏପରି ସ୍ଥିତିରେ ନାଟ୍ୟକାରଙ୍କ ଆତ୍ମଲିପି କ’ଣ ହେବ? ଏହି ବିଷୟବସ୍ତୁକୁ ନେଇ ନାଟକଟି ପରିବେଷିତ ହୋଇଥିଲା। ଏହି ନାଟକର ରଚନା, ନିର୍ଦ୍ଦେଶନା ଓ ଅଭିନୟରେ ଭାସ୍କର ଚନ୍ଦ୍ର ମହାପାତ୍ର ରହିଥିଲେ।
ପରବର୍ତ୍ତୀ ନାଟକ ଭୁବନେଶ୍ବରର ନବୀନ ବର୍ଣ୍ଣାଳୀ ଥିଏଟର ପକ୍ଷରୁ ନାଟକ ଜିଜ୍ଞାସା ପରିବେଷିତ ହୋଇଥିଲା। ମହାଭାରତ ଯୁଦ୍ଧ ଶେଷରେ ଶକୁନିର ମନରୁ ସବୁ ଜିଜ୍ଞାସାର କ’ଣ ଅନ୍ତ ଘଟିଛି ନା ଆଜି ବି ଏକବିଂଶ ଶତାବ୍ଦୀରେ ଏହି ଜିଜ୍ଞାସା ସବୁ ଜନମାନସରେ ଆନ୍ଦୋଳିତ ହେଉଛି? କାହିଁକି ନା ଜିଜ୍ଞାସା ଅନନ୍ତ।
ସେହି ଅନନ୍ତର ସୀମାରେଖା ଉନ୍ମୋଚନ କରିବାର ପ୍ରୟାସରେ ଆଜିବି ମଣିଷ ସେହି ଜିଜ୍ଞାସାକୁ ପରିବ୍ୟାପ୍ତ କରି ଚାଲିଛି। ମାତୁଳ ଶକୁନି ମନର ସେହି ଜିଜ୍ଞାସା ସବୁକୁ ଉନ୍ମୋଚନ କରିଛି ଏହି ନାଟକ। ଦେବବ୍ରତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପରିବେଷିତ ଏହି ନାଟକର ରଚନା ଓ ଅଭିନୟ ନବୀନ କୁମାର ପରିଡ଼ା କରିଛନ୍ତି।
ଶେଷ ନାଟକ ‘ପ୍ରଣୟନୀ ଉର୍ବଶୀ’ ଭୁବନେଶ୍ବରର ଅର୍ପଣ ନାଟ୍ୟସଂସ୍ଥା ଦ୍ବାରା ମଞ୍ଚସ୍ଥ ହୋଇଥିଲା। ନିଜ କୃତ କର୍ମର ଫଳ ଭୋଗୁଥିବା ରୂପସୀ ଅପସରା ଉର୍ବଶୀ ନିଜ ଭୁଲ ବୁଝି ପାରି ନିଜର କାମନା, ଅହଙ୍କାର ସବୁ ମିଥ୍ୟା ବୋଲି ଜାଣି ପାରିଛି। ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶିତ ଏଭଳି ଏକ ସାମାଜିକ ଏକକ ନାଟକରେ ବେବୀ ମଣ୍ଡଳ ଅଭିନୟ କରିଥିଲେ।
ଉଦଘାଟନୀ ସଂଧ୍ୟାରେ ଅତିଥି ଭାବରେ ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ମିରର ଅନୁଷ୍ଠାନର ସଭାପତି ଅଜୟ ମହାପାତ୍ର ଓ ‘ଏକା’ର ସମ୍ପାଦକ ଶିବ ଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଚିତ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/34-16.jpg)