ଏକାମ୍ର ପ୍ରକଳ୍ପ: ବାହୁଡ଼ାରୁ ବାକି କାମ

ପୁରୁଣା ଭୁବନେଶ୍ବର: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଏକାମ୍ର ପ୍ରକଳ୍ପର ବାକି ଥିବା କାର୍ଯ୍ୟ। ଏଥିପାଇଁ ବାହୁଡ଼ା ତିଥିରେ ଏକାମ୍ର ଐତିହ୍ୟ ପ୍ରକଳ୍ପର ଭୂମିପୂଜନ ପର୍ବ କରାଯିବ। ଏକାମ୍ର କ୍ଷେତ୍ରରେ ବିଭିନ୍ନ ପଣ୍ଡିତଙ୍କ ଦ୍ବାରା ଯଜ୍ଞ କରାଯିବ ଏବଂ ଏଥିରେ ସେବାୟତମାନେ ସାମିଲ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଭୂମିପୂଜନ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ। ଏଥିପାଇଁ ବିଏମ୍‌ସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ ଆରମ୍ଭ ‌ହୋଇଛି। ଏହି ଯଜ୍ଞ ଓ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଖୁବ୍‌ଶୀଘ୍ର ଜମି ଚିହ୍ନଟ କରାଯିବ।

ଏକାମ୍ର କ୍ଷେତ୍ରର ଡ୍ରିମ୍ ପ୍ରୋଜେକ୍ଟ ଏକାମ୍ର ପ୍ରକଳ୍ପର ବାକି କାମ ଆଗେଇବ। ଏଥିପାଇଁ କ୍ୟାବିନେଟ୍‌ ମଞ୍ଜୁର ସହ ସାନି ଟେଣ୍ଡର ସରିଛି। ୧୫୬କୋଟି ଟଙ୍କା ବ୍ୟୟରେ ଓବିସିସି (ଓଡ଼ିଶା ବ୍ରିଜ୍ କନ୍‌ଷ୍ଟ୍ରକସନ କର୍ପୋରେସନ୍) ପକ୍ଷରୁ ପ୍ରକଳ୍ପର ମାଷ୍ଟରପ୍ଲାନ୍ କରାଯାଇଛି। ‘ଡେଭେଲପମେଣ୍ଟ୍ ଅଫ ଏକାମ୍ର କ୍ଷେତ୍ର ଅଣ୍ଡର ଏକାମ୍ର କଞ୍ଜର୍‌ଭେସନ୍‌ ପ୍ଲାନ୍’ ନାଁରେ ୭ଟି ପ୍ୟାକେଜ୍ ପାଇଁ ଟେଣ୍ଡର ସରିଛି। ଏଥିରେ ନୂତନ ଭାବେ ଲିଙ୍ଗରାଜ ଥାନା ନିର୍ମାଣ କରାଯିବ। ସେହିପରି ମନ୍ଦିର ନିକଟକୁ ମନ୍ଦିର କାର୍ଯ୍ୟାଳୟ ଆସିବ। ଏଥିସହ ବିବେକାନନ୍ଦମାର୍ଗରୁ ଏକ ଚଉଡ଼ା ରାସ୍ତା ଲିଙ୍ଗରାଜ ମାର୍କେଟ ଆଡ଼କୁ ରହିବ। ଏଥିପାଇଁ ୭ନମ୍ବର ମୁଖ୍ୟ ଡ୍ରେନ୍‌ କେଦାରଗୌରୀ ପୁଷ୍କରିଣୀ କଡ଼ରେ ଯିବ। ଏଥିପାଇଁ ଜମି ଅଧିଗ୍ରହଣ କରାଯିବ। ସେହିପରି ମନ୍ଦିରକୁ ଭକ୍ତ ଯିବା ପାଇଁ ସ୍ୱତନ୍ତ୍ର ଭାବେ ଇ-ରିକ୍ସା ବ୍ୟବସ୍ଥା କରାଯିବ।

ଭେଣ୍ଡିଂ କିଓସ୍କ ତିଆରି କରାଯାଇ ବ୍ୟବସାୟୀଙ୍କୁ ଦିଆଯିବ। ଏହି ପ୍ରକଳ୍ପରେ ଶୌଚାଳୟ, ପାଣି ଯୋଗାଣ ଓ ଅଗ୍ନି ମୁକାବିଲା ବ୍ୟବସ୍ଥା ରହିବ। ମନ୍ଦିରରେ ଯାତ୍ରୀଙ୍କ ଶୃଙ୍ଖଳିତ ଓ ସୁବିଧା ଦର୍ଶନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ୍ କାର୍ଯ୍ୟକାରୀ ହେବ। କୋରାପୁଟ ଭବନ ଜମି ପାଖରେ ଭଜନ ମଣ୍ଡପ ତିଆରି ହେବ। ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯିବ। ସେଠାରୁ ମନ୍ଦିର ଓ ଆଖପାଖର ଭିଡ଼ ନିୟନ୍ତ୍ରଣଠାରୁ ନେଇ ଜରୁରୀସ୍ଥିତିର ମୁକାବିଲା ଉପରେ ନଜର ରଖାଯିବ। ଏଥିସହ ଯାତ୍ରୀଙ୍କୁ ଆବଶ୍ୟକ ସୂଚନା ବି ଦିଆଯିବ।

ଚଉଡ଼ା ହେବ ବିବେକାନନ୍ଦମାର୍ଗ-ଲିଙ୍ଗରାଜ ମାର୍କେଟ ରାସ୍ତା
୮ ଛକ ପାଇବ ନୂଆ ରୂପ
ତିଆରି ହେବ ଥାନା ଓ ସୂଚନା କେନ୍ଦ୍ର

ସେହିପରି ଅନନ୍ତ ବାସୁଦେବଙ୍କ ରୋଷଶାଳାର ବିକାଶ ହେବ। ଏକାମ୍ର କ୍ଷେତ୍ରରେ ଥିବା ୮ଟି ଛକକୁ ନୂଆ ରୂପ ଦିଆଯିବ। ବଢ଼େଇବାଙ୍କ ଛକ, ଐଶାନେଶ୍ୱର ଛକ, ୱାଇ ଜଙ୍କସନ୍, ଇ-ରିକ୍ସା ଡ୍ରପ୍ ଅଫ, ପିକ୍ ଅପ୍ ସ୍ଥାନ, କୋଟିତୀର୍ଥ ଲେନ୍, ତାଳେଶ୍ୱର ଛକ, ସାନିଟୋରିୟମ ଛକ ଓ ଗୋସାଗରେଶ୍ୱର ଛକକୁ ନୂଆ ରୂପ ଦିଆଯିବ। ରାସ୍ତାରେ ପେଭର ବ୍ଲକ ପକାଯିବା ସହ ଐତିହ୍ୟ ଲିଙ୍ଗରାଜ ହାଟର ବିକାଶ କରାଯିବ। ମନ୍ଦିର ସମ୍ମୁଖରେ ଏଣ୍ଟ୍ରି ପ୍ଲାଜା କରାଯିବା ସହ ଶୁଆଶାରି ମନ୍ଦିରକୁ ଲାଗି କଲ୍‌ଚରାଲ ପ୍ଲାଜା ତିଆରି ହେବ। କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ବର ମନ୍ଦିର ନିକଟରେ ବିକାଶ କରାଯିବ। ପ୍ରକଳ୍ପ ନକ୍‌ସା ଅନୁସାରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଚାରିପାଖରେ ପ୍ରଶସ୍ତ ରାସ୍ତା ହେବ। ମନ୍ଦିରକୁ ସଂଲଗ୍ନ ବଢେଇବାଙ୍କ ରାସ୍ତାରୁ କୋଟି ତୀର୍ଥ ଲେନ୍ ରାସ୍ତା ହୋଇ ମାର୍କେଟ୍ କମ୍ପ୍ଲେକ୍ସ, ଧୋବା ସାହି, ସାନିଟୋରିୟମ୍ ଛକ, ତାଳେଶ୍ୱର ଛକରୁ ରଥ ରୋଡଯାଏ ୪ ଲେନ୍ ରାସ୍ତା କରାଯିବ। ଭକ୍ତ, ଶ୍ରଦ୍ଧାଳୁ ଓ ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ କରାଯିବା ସହ ସାଧାରଣ ଲୋକଙ୍କ ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର