ପୁଅ ଗଲେ, ବାପା ଆସିବେ

ଚାର୍ଟର ବିମାନ ଭଡ଼ା ଠକେଇ ମାମଲା, ୪ ଦିନିଆ ରିମାଣ୍ଡ ପରେ ଜେଲ ଫେରିଲେ ଆକାଶ

ଭୁବନେଶ୍ବର: ଚାର୍ଟର ବିମାନ ଭଡ଼ା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କର ଚାରି ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଆଜି ପୂର୍ବାହ୍ନରେ ଏସଡିଜେଏମ୍ କୋର୍ଟରେ ହାଜର ପରେ ସେ ଜେଲକୁ ଫେରିଛନ୍ତି। ଠକେଇ ମାମଲାରେ ଆକାଶଙ୍କ ଠାରୁ ପୁଲିସକୁ ବହୁ ତଥ୍ୟ ପ୍ରମାଣ ମିଳିଛି। ବିମାନ ବୁକିଂ ନେଇ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗକୁ ଯେଉଁ ମେଲ୍ ପଠାଉଥିଲେ ସେହି ଚିଠିକୁ ପୁଲିସ ଜବତ କରିଛି। ତାଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯାଇ ମେଳ କରିବା ପାଇଁ ଫରେନସିକ୍ ଲାବରେଟୋରିକୁ ପଠାଯିବ। ସେହିପରି ସ୍କାଏ କିଙ୍ଗକୁ ଦିଆଯାଇଥିବା ଟଙ୍କାର ବିଲ୍ ମଧ୍ୟ ଜବତ କରିଛି ପୁଲିସ। ଆକାଶଙ୍କ ବାପା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୁଲିସ। ଅଭୟକାନ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଜେରା କରିବାକୁ ଖାରବେଳନଗର ଥାନା ପୁଲିସ ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି। ଆକାଶ ଠକେଇ କରିଥିବା ବେଳେ ବାକି ୬୫ ଲକ୍ଷ ଟଙ୍କା ଯେତେବେଳେ ସ୍କାଏ କିଙ୍ଗ ପକ୍ଷରୁ ମଗା ଯାଇଥିଲା ସେତେବେଳେ ଅଭୟକାନ୍ତ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ମାମଲା ମଧ୍ୟ ରୁଜୁ କରିଛି। ସେହିପରି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଏହି ଠକେଇ ମାମଲାରେ ଜେରା ବେଳେ ଆକାଶ ବାପା ଅଭୟକାନ୍ତଙ୍କ ସମ୍ପର୍କରେ କିଛି ତଥ୍ୟ ଦେଇଥିଲେ। ସେହି ତଥ୍ୟକୁ ଯାଞ୍ଚ କରିବା ଲାଗି ଅଭୟକାନ୍ତଙ୍କୁ ରିମାଣ୍ଡରେ ଆଣୁଛି ପୁଲିସ। କିନ୍ତୁ ଏ ନେଇ ପୁଲିସ ମୁହଁ ଖୋଲିବାକୁ ମନା କରି ଦେଇଛି। ଆସନ୍ତାକାଲି (ମଙ୍ଗଳବାର) ରିମାଣ୍ଡ ଆବେଦନର ଶୁଣାଣି ହୋଇପାରେ। ଅପରପକ୍ଷରେ କୋର୍ଟଚାଲାଣ ସମୟରେ ଆକାଶ ଗଣମାଧ୍ୟମକୁ କହିଥିଲେ ମୁଁ ଠକେଇ କରିନାହିଁ କି ଏ ସମ୍ପର୍କରେ ପୁଲିସ ଆଗରେ କିଛି ମାନି ନାହିଁ।

ସୂଚନାଯୋଗ୍ୟ, ଚାର୍ଟର ବିମାନ ଭଡ଼ା ଠକେଇ ନେଇ ଗତ ୧ ତାରିଖରେ ସ୍କାଏ କିଙ୍ଗ ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା। ଆକାଶ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ବିମାନ ବୁକିଂ କରିଥିବା ଅଭିଯୋଗ ହୋଇଥିଲା। ସେ ଟାଟା ମୋଟର୍ସର କର୍ମଚାରୀ କି ନୁହେଁ ତାହା ଜାଣିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଏକ ଚିଠି ଲେଖା ଯାଇଥିଲା। ଏହାର ଉତ୍ତର ଦେଇ ଟାଟା ମୋଟର୍ସ ପକ୍ଷରୁ କୁହା ଯାଇଥିଲା ଆକାଶ କେବେ ବି ତାଙ୍କର କର୍ମଚାରୀ ନ ଥିଲେ।

ନୂଆ ବର୍ଷ ଶୁଭେଚ୍ଛା ଜଣାଇଲେ ଭାବୀ ପତ୍ନୀ!
ଆକାଶଙ୍କୁ କୋର୍ଟରେ ହାଜର କରାଯାଇ ଅଣା ଯାଉଥିବା ସମୟରେ ତାଙ୍କର ଭାବୀ ପତ୍ନୀ ବାହାରେ ଅପେକ୍ଷା କରିଥିଲେ। କଡ଼ା ସୁରକ୍ଷା ବଳୟରେ ଥିବା ଆକାଶଙ୍କ ସହ କିଛି କଥା ହେବାକୁ ଚାହୁଁଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା। ଆଖିର ଇସାରାରେ କିଛି କଥାବାର୍ତ୍ତା ହୋଇଥିଲେ। ତେବେ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ବୋଲି କୁହାଯାଉଛି। ଆକାଶଙ୍କୁ ପୁଲିସ ଗାଡ଼ିରେ ବସାଇ ନେଇ ଯାଇଥିଲା। ବିବାହର ମାତ୍ର ୧୫ ଦିନ ପୂର୍ବରୁ ଗିରଫ ଘଟଣାକୁ କେବେ ମଧ୍ୟ ସ୍ବପ୍ନରେ ଭାବି ପାରି ନ ଥିଲେ ଉଭୟ। ଏହି ଘଟଣାକୁ ସହଜରେ ହଜମ ମଧ୍ୟ କରିପାରୁ ନାହାନ୍ତି। ପୂର୍ବରୁ ମଧ୍ୟ ଥରେ ସେ କୋର୍ଟକୁ ଭେଟିବାକୁ ଆସିଥିଲେ।

ଅଭୟକାନ୍ତ ପାଠକଙ୍କ ଜାମିନ ଶୁଣାଣି ଘୁଞ୍ଚିଲା
କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବହୁ ଚର୍ଚ୍ଚିତ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ତାଙ୍କ ନିୟମିତ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ କେସ୍ ଡାଏରି ଦାଖଲ ପାଇଁ ଭିଜିଲାନ୍ସକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ପାଠକ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଥିଲେ। ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ଅଭୟକାନ୍ତଙ୍କୁ ରିମାଣ୍ଡ ନେବା ପାଇଁ ଅଦାଲତ ଅନୁମତି ଦେଇଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଛି।

ସମ୍ବନ୍ଧିତ ଖବର