ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନରେ: କ୍ରିକେଟ୍‌ରୁ ନିରାଶ ହୋଇ ‘ଓ ଦୁନିଆ କେ ରଖୱାଲେ..’କୁ ୪ ମାସ ଗାଇଥିଲେ ଖୋକା ଭାଇ

ଭୁବନେଶ୍ବର(ସତ୍ୟନାରାୟଣ ରାଉତରାୟ): ୧୯୫୧ ମସିହା ଜୁଲାଇ ୨୭ ତାରିଖର କଥା। କଟକ ଷ୍ଟୁଆର୍ଟ ବିଜ୍ଞା‌ନ ମହାବିଦ୍ୟାଳୟରେ ପଢ଼ୁଥାଆନ୍ତି ଜଣେ ଯୁବକ। ଭଲ କ୍ରିକେଟ୍‌ ଖେଳୁଥିଲେ ହେଁ କ୍ରିକେଟ୍‌ ପାଇଁ ପାଖରେ ଉପକରଣ ନଥିଲା। ଏଇଥିପାଇଁ ତାଙ୍କୁ ପଡ଼ିଆରୁ ବାହାର କରିଦିଆଗଲା। ଏ ପ୍ରକାର ଗ୍ଳାନି ତାଙ୍କର ହଜମ ହେଲାନି। ଘରେ ଆସି ବାପାଙ୍କ ଉପରେ ରାଗିଲେ। ବାପା ତାଙ୍କୁ ପ୍ରଶ୍ନ କଲେ, ‘ଓଡ଼ିଶାର ଲୋକ ସଂଖା ଦେଢ଼ କୋଟି, ତାଙ୍କ ଭିତରେ ତୁ କ’ଣ କୋଟିଏରେ ଗୋଟିଏ ହେଇପାରିବୁ? ବାପାଙ୍କ ଏ ପ୍ରଶ୍ନର ଉତ୍ତର ତାଙ୍କୁ ବ୍ୟତିବ୍ୟସ୍ତ କଲା। ତେଣୁ ହାରମୋନିୟମ ଧରି ଯୁବକଜଣକ ଗାଇବାକୁ ଲାଗିଲେ ‘ଓ ଦୁନିଆ କେ ରଖୱାଲେ..। ଏ ଗୀତଟି ପଛରେ ଯେମିତି ସେ ପାଗଳପ୍ରାୟ ପଡ଼ିଗଲେ। ୪ ମାସ କାଳ ପ୍ରତ୍ୟହ ଦୁଇଥର ଗୀତଟିକୁ ଗାଇ ଚାଲିଲେ। ଏମିତି ସମୟ ଆସିଲା, ସଂଗୀତ ରାଇଜରେ ସେ ସାଜିଲେ ମଉଡ଼ମଣି। କ୍ରିକେଟ୍‌ ପଡ଼ିଆରେ ନହେଲେ ବି ସଂଗୀତ ରାଇଜରେ କୋଟି‌ଏରେ ଗୋଟିଏ ହୋଇ ବାପାଙ୍କ ପ୍ରଶ୍ନର ଉତ୍ତର ଦେଲେ ସଂଗୀତର ସୌଦାଗର ଅକ୍ଷୟ ମହାନ୍ତି। ଅକ୍ଟୋବର ୧୨ ତାରିଖ ତାଙ୍କର ଜନ୍ମ ଦିବସ ପଡ଼ୁଥିବା ବେଳେ ସଂଗୀତର ଏହି ଯାଦୁଗରଙ୍କ ଅନାଲୋଚିତ ସ୍ମୃତି ଓ ମନମତାଣିଆ ଗୀତ ତାଙ୍କ ଉପସ୍ଥିତିକୁ ଆଜି ବି ଜାହିର୍‌ କରେ। ୧୯୯୪ ମସିହାରେ ଏକ ସାକ୍ଷାତକାରରେ ହିଁ ଅକ୍ଷୟ ସ୍ବୀକାର କରିଥିଲେ, ‘ଓ ଦୁନିଆ କେ ରଖୱାଲେ..’କୁ ମୁଁ ୪ ମାସ ଗାଇ ଅଭ୍ୟାସ କରିଛି। ତେଣୁ ବର୍ତମାନ ଏ ଗୀତଟିକୁ ମୁଁ ଯେତିକି ନିର୍ଭୁଲ ଭାବେ ଗାଇ ପାରିବି, ପୃଥିବୀରେ ଆଉ କେହି ବୋଧେ ଗାଇ ପାରିବେନି।

ଅତି କଅଁଳ ବୟସରୁ ହିଁ ଅକ୍ଷୟ ମହାନ୍ତିଙ୍କ ସୃଜନର ଧାରା ବହିବା ଆରମ୍ଭ ହୋଇଥିଲା। ‘ଆର୍ଯ୍ୟଦାସର ଆତ୍ମଲିପି’ ହିଁ ଏହାର ମୂକସାକ୍ଷୀ। ଅକ୍ଷୟଙ୍କ ପ୍ରତିଭାକୁ ପିଲା ବେଳୁ ଚିହ୍ନି ପାରିଥିଲେ ସ୍କୁଲ୍‌ ନିରୀକ୍ଷକ। ଦିନେ ସ୍କୁଲ୍‌କୁ ନିରୀକ୍ଷକ ଆସିବାର ଥାଏ। ସବୁ ପିଲା ପରିଷ୍କାର କୁର୍ତା ପିନ୍ଧି ଆସିଥାଆନ୍ତି। ୧୨ଟା ବେଳକୁ ଅଧିକାରୀଜଣକ ଆସି ପହଞ୍ଚି ପିଲାଙ୍କୁ ଗୋଟେ ରଚନା ଲେଖିବାକୁ କହିଲେ। ସମସ୍ତେ ଖାତା ପେନସିଲ୍‌ କାଢ଼ି ଲେଖିବା ଆରମ୍ଭ କଲେ। ଲେଖା ସରିବା ପରେ ଛାତ୍ରଛାତ୍ରୀମାନେ ନିଜର ରଚନା ପଢ଼ିଲେ। ଯେବେ ଅକ୍ଷୟଙ୍କ ପାଳି ପଡ଼ିଲା, ସେ ଗାଈମାନଙ୍କ ଉପରେ ଲେଖିଥିବା ରଚନା ପଢ଼ିଲେ। ଶେଷ ଆଡ଼କୁ କିଛି ବାକ୍ୟ ଥିଲା ଏହିପରି; ଗାଈମାନେ କଥା କହିପାରନ୍ତିନି। କିନ୍ତୁ ସେମାନେ ଆମର କେତେ ଉପକାର କରନ୍ତି। ଅଥଚ ଗଛ ତଳେ ବର୍ଷାରେ ତିନ୍ତୁଥିବା ଗାଈଙ୍କୁ କେହି ମଣିଷ ଗୋଟେ ଛତା ଦେଖାଇବାକୁ କାହିଁକି ଆସନ୍ତି ନାହିଁ? ମୁଁ କିନ୍ତୁ ଯେତେବେଳେ ଏମିତି ଓଦା ହେଉଥିବା ଗାଈଟିଏ ଦେଖେ, ତା’ ପିଠି ଉପରେ ଅଖା ପକେଇ ଦେଇ ଆସେ। ଅକ୍ଷୟ ଏହି ଲେଖା ପଢ଼ିବା ବେଳେ ସ୍କୁଲ୍‌ର ଦିଦିମାନେ ହସୁଥାଆନ୍ତି। ସ୍କୁଲ୍‌ ନିରୀକ୍ଷକ ଅକ୍ଷୟଙ୍କୁ ଇସାରା କରି ଡାକିଲେ। ସେତେବେଳକୁ ଅକ୍ଷୟ ଯେତିକି ଡରି ଯାଇଥିଲେ ତା’ଠୁ ଅଧିକ ଡରି ଯାଇଥିଲେ ସ୍କୁଲ୍‌ର ଦିଦିମାନେ। ସେମାନେ ଭାବି ନେଇଥିଲେ ଅଧିକାରୀଜଣକ ଖୁବ୍‌ ରାଗି ଯାଇଛନ୍ତି। ତେଣୁ ସ୍କୁଲ୍‌ ବଦନାମ ହୋଇଯିବ। କିନ୍ତୁ ଅଧିକାରୀଜଣକ ଅକ୍ଷୟଙ୍କୁ କୋଳକୁ ଉଠେଇ ନେଇ ଦିଦିମାନଙ୍କୁ କହିଲେ, ‘ଏଇ ପିଲାଟି ‌ଦିନେ ଗୋଟେ ମସ୍ତବଡ଼ ଲେଖକ ହେବ। ତା’ ବାପା ମା’ଙ୍କ ନାଁ ରଖିବ। ସେଦିନ ଇନ୍ସପେକ୍ଟରଙ୍କ ସେ କଥାରେ କେତେ ଓଜନ ଥିଲା, ତାହା ଆଜି ସାରା ରାଇଜ ଜାଣିଛି।

ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇବାକୁ କଟକ ଆସିଥିଲେ ଭୂପେନ୍‌ ହଜାରିକା
ସତୁରି ଦଶକର ସମୟ। ସଂଗୀତ ଜଗତରେ ସେତେବେଳେ ଭୂପେନ୍‌ ହଜାରିକା ଏକ ପ୍ରସିଦ୍ଧ ନାମ। ୧୯୬୨ ମସିହାରେ ଦୁଇଟି ବଙ୍ଗଳା ଗୀତ ଗାଇ ସମଗ୍ର ଭାରତରେ ଚହଳ ସୃଷ୍ଟି କରିଦେଇଥାଆନ୍ତି ଅକ୍ଷୟ ମହାନ୍ତି। ‘ସୋନାରେ ବାହୁଟେ କଙ୍କଣ ହୋ‌ଇଛେ ଧନ୍ୟା… ଗୀତଟି ଦର୍ଶକଙ୍କୁ ଅଭିଭୂତ କରିଦେଇଥିଲା। ଭୂପେନ୍‌ ହଜାରିକା ବି ଏ ଗୀତଟିରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ ପରବର୍ତୀ ସମୟରେ ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇବାକୁ କଟକ ଆସିଥିଲେ। କେବଳ ସେତିକି ନୁହେଁ, କୋଲକାତା ରେଡିଓ ଷ୍ଟେସନ୍‌ର ନିର୍ଦେଶକ ଥିବା ବେଳେ ପି.ଭି କୃଷ୍ଣମୂର୍ତି ଯେବେ ‘ଭାରତ ଦର୍ଶନ’ ନାମକ ଏକ ବଙ୍ଗଳା କାର୍ଯ୍ୟକ୍ରମ ଆରମ୍ଭ କଲେ, ସେଥିରେ ଶୀର୍ଷକ ଗୀତ ‘ଏଇ ଭାରତେର ମାନବରେ… ଗାଇବା ପାଇଁ ଅକ୍ଷୟ ମହାନ୍ତିଙ୍କୁ ବାଛିଥିଲେ। କ୍ବଚିତ୍‌ ଲୋକ ହୁଏତ ମନେ ରଖିଥିବେ, ଅକ୍ଷୟ ମହାନ୍ତି ଗାଇଥିବା ହିନ୍ଦୀ ଗୀତ ‘ସୁନ୍‌ ସୁନାଏ ଏକ କାହାନୀ, ନାହେ ରାଜା ନାହେ ରାନୀ.. ଦୀର୍ଘକାଳ ପର୍ଯ୍ୟନ୍ତ ଆକାଶବାଣୀ ବିବିଧ ଭାରତୀରେ ବାଜୁଥିଲା।

୧୦ ଲକ୍ଷ ବ୍ୟାଙ୍କ ବାଲାନ୍ସ ନୁହେଁ, ୧୦ଲକ୍ଷ ହୃଦୟରେ ରହିବା ଦରକାର

ଥରେ ଦୂରଦର୍ଶନର ଏକ ସାକ୍ଷାତକାରରେ ଅକ୍ଷୟ ମହାନ୍ତି କହିଥିଲେ, ମୋ ପାଖରେ ସିନା ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ବାଲାନ୍ସ ନାହିଁ, କିନ୍ତୁ ମୁଁ ଯଦି ୧୦ଲକ୍ଷ ଲୋକଙ୍କ ହୃଦୟ ଭିତ‌ରେ ଅଛି, ତେବେ ଆଉ କ’ଣ ଦରକାର। ଏ ଉକ୍ତିରେ କେତେ ବିଶ୍ବାସ ଥିଲା, ତାହା ଗୋଟିଏ ଘଟଣା ହିଁ ବୁଝେଇଦିଏ। ଅକ୍ଷୟ ମହାନ୍ତିଙ୍କ ସମ୍ବନ୍ଧରେ ଗବେଷଣାରତ ଡ. ଜେନାମଣି ସଂଜୀବ କୁମାରଙ୍କ କହିବା ମୁତାବକ, ଥରେ ଅକ୍ଷୟ ମହାନ୍ତି ଦକ୍ଷିଣ ଓଡ଼ିଶାକୁ ଏକ ସଂଗୀତ କାର୍ଯ୍ୟକ୍ରମକୁ ଯାଉଥାନ୍ତି। ହଠାତ୍‌ ତାଙ୍କ ପାନ ଡବାରୁ ପାନ ସରିଗଲା। ବ୍ୟସ୍ତବିବ୍ରତ ହୋଇ ସେ ଗାଡ଼ି ଭିତରୁ ରାସ୍ତାର ଉଭୟ ପାର୍ଶ୍ବକୁ ଚାହିଁଲେ। ଗାଡ଼ି ଭିତରେ ବସିଥିବା ଯୁବକ କହିଲେ, ଏଠାରୁ ୩୦କିମି ଭିତରେ ଆମକୁ ଆଉ ପାନ ମିଳିବନି। ଏହା ତାଙ୍କୁ କରେଣ୍ଟ୍‌ ମାରିବା ଭଳି ଲାଗିଲା। ସେ ସଙ୍ଗେସଙ୍ଗେ ଡ୍ରାଇଭରକୁ କହିଲେ, ଗାଡ଼ି ଅଟକାଅ, ଦେଖ ମୁଁ କେମିତି ୫ ମିନିଟ୍‌ରେ ପାନ ଯୋଗାଡ଼ କରୁଛି। ବାହାରେ ଠିଆ ହୋଇଥିବା ବେଳେ ଆମ୍ବାସଡର କାର୍‌ରେ ପିଲା ଛୁଆ ଧରି ଯାଉଥିବା ଜଣେ ବ୍ୟକ୍ତି ଗାଡ଼ି ଅଟକାଇ ଚିଲେଇଲେ, ଖୋକା ଭାଇ। ଏତକ କହି ସେ ଗାଡ଼ି ବି ଅଟକାଇଲେ। ଭଦ୍ରବ୍ୟକ୍ତି ଜଣକ ପଚାରିଲେ, ଖୋକା ଭାଇ କ’ଣ ଅସୁବିଧା ହେଇଛି କି? ଅକ୍ଷୟ ଉତ୍ତର ଦେଲେ, ହଁ ମୋ ପାନ ସରି ଯାଇଛି। ଏହା ଶୁଣିବା ମାତ୍ରେ ଭଦ୍ରବ୍ୟକ୍ତିଜଣକ ଅଳ୍ପ ହସି ନିଜ ମା’ଙ୍କ ପାନ ବଟୁଆରୁ ୪ ଖଣ୍ଡ ପାନ ଆଣି ଦେଲେ। ଏ ଘଟଣାକୁ ନିର୍ବାକ ହୋଇ ଯୁବକ ଜଣକ ଦେଖୁଥାଆନ୍ତି। ଅକ୍ଷୟ ସେଇ ଯୁବକଙ୍କୁ ବୁଝେଇ ଦେବା ଉଦ୍ଦେଶ୍ୟରେ କହିଲେ, ଓଡ଼ିଶାର ନିଭୃତ କୋଣରୁ ଲୋକ ଯଦି ମତେ ଚିହ୍ନି ନପାରିବେ, ତେବେ ମୁଁ କି ଅକ୍ଷୟ ମହାନ୍ତି?

ସମ୍ବନ୍ଧିତ ଖବର