ଲିଭିଂ ଲିଜେଣ୍ଡ ଓ ଯୁବ ପ୍ରେରଣା ପୁରସ୍କାର

ଅକ୍ଷୟପାତ୍ର ଫାଉଣ୍ଡେସନ୍‌କୁ ପ୍ରଥମ ଜାତୀୟ ଲିଭିଂ ଲିଜେଣ୍ଡ ସମ୍ମାନ

ଭୁବନେଶ୍ବର: ଓଡ଼ିଶା ଡାଏରି ପକ୍ଷରୁ ଆଜି ହୋଟେଲ କ୍ରାଉନ୍‌ରେ ଅଷ୍ଟମ ଲିଭିଂ ଲିଜେଣ୍ଡ ଓ ‌ଯୁବ ପ୍ରେରଣା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ଲିଭିଂ ଲିଜେଣ୍ଡ ଓରେସନ୍‌ର ବିଷୟବସ୍ତୁ ରହିଥିଲା ‘ଏକବିଂଶ ଶତାବ୍ଦୀରେ ସମାଜସେବା: ଆହ୍ବାନ ଓ ସୁଯୋଗ’। ସମାଜରେ ଏକ ଯୁଗାନ୍ତକାରୀ ପରିବର୍ତନ ପାଇଁ ଲାଭକାରୀ ଓ ଅଣଲାଭକାରୀ ସଂସ୍ଥା ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ଅଣଲାଭକାରୀ ସଂସ୍ଥା, ଲାଭକାରୀ ସଂସ୍ଥା ଓ ସରକାରୀ ହସ୍ତକ୍ଷେପ ମଧ୍ୟରେ ସହଭାଗିତା ଜରୁରି ବୋଲି ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ର ଉପାଧ୍ୟକ୍ଷ ଚଞ୍ଚଳ ପତି ଦାସ ଓ ସ୍ମାଇଲ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଶାନ୍ତନୁ ମିଶ୍ର କହିଥିଲେ। ଚଳିତବର୍ଷଠାରୁ ଜାତୀୟ ଲିଭିଂ ଲିଜେଣ୍ଡ ପୁରସ୍କାର ପ୍ରଦାନ ଆରମ୍ଭ କରାଯାଇଥିବା ଓଡ଼ିଶା ଡାଏରିର ସଂପାଦକ ରଶ୍ମିରଂଜନ ପରିଡ଼ା ସୂଚନା ଦେଇଥିଲେ। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅକ୍ଷୟପାତ୍ର ଫାଉଣ୍ଡେସନ୍‌କୁ ପ୍ରଥମ ଜାତୀୟ ଲିଭିଂ ଲିଜେଣ୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ସାହିତ୍ୟ ପାଇଁ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥ, ସିନେମା ପାଇଁ ନିର୍ଦେଶକ ଶିଶିର ମିଶ୍ର, ଲୋକନୀତି ପାଇଁ କେନିଆର ସାଂସଦ ସ୍ବରୂପ ରଂଜନ ମିଶ୍ର, ସମାଜସେବା ପାଇଁ ସ୍ମାଇଲ ଫାଉ‌ଣ୍ଡେସନ୍‌ର ପ୍ରତିଷ୍ଠାତା ଶାନ୍ତନୁ ମିଶ୍ର, ଶିକ୍ଷା ପାଇଁ ବୁଦ୍ଧଦେବ ମେହେର, ସମାଜସେବା ପାଇଁ ଦୈତାରୀ ନାଏକ, ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଓଡ଼ିଶୀ ନୃତ୍ୟଶିଳ୍ପୀ ମସାରୋକ ଓନୋ, ଅଲମ୍ପିଆନ୍ ଦୂତୀ ଚାନ୍ଦ, କ୍ରୀଡ଼ା ପ୍ରଶିକ୍ଷକ ନାଗପୁରୀ ରମେଶ, ହୋଟେଲ ଓ ଆତିଥ୍ୟ ପାଇଁ ‌ଜେ.କେ ମହାନ୍ତି ଓ ଗୌନ୍ତିଆ ମହମ୍ମଦ ଜମ୍ମିଉଲ୍ଲାଙ୍କୁ ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର ୨୦୧୮ରେ ସମ୍ମାନିତ କରାଯାଇଥିଲା। ଏହାସହ ସମାଜସେବା ପାଇଁ ସରୋଜ ଦାସ, ସାହିତ୍ୟ ପାଇଁ ଭାରତ ମାଝୀ, ଉଦ୍ୟୋଗୀ ରଶ୍ମି ସାହୁ, ଲୋକନୀତି ପାଇଁ ସନ୍ଦୀପ ପଟ୍ଟନାୟକ, କଳା ଓ ସଂସ୍କୃତି ପାଇଁ ପଦ୍ମିନୀ ପାଣିଗ୍ରାହୀ, କ୍ରୀଡ଼ା ପାଇଁ ପ୍ରମୋଦ ଭଗତ, ସିନେ ପାଇଁ ଏଲିନା ସାମନ୍ତରାଏ ଓ ଦିଲ୍ଲୀପ ସାହୁ, ଶିକ୍ଷା ଓ ସମାଜସେବା ପାଇଁ ଶୁଭୋଜିତ ସାହୁ, ଏନ୍‌ଆରଓ ନରେଶ ମହାପାତ୍ର ଓ ରୁଦ୍ର ପ୍ରସନ୍ନ ରଥଙ୍କୁ ଓଡ଼ିଶା ଯୁବ ପ୍ରେରଣା ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର