ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତିର ରାଜ୍ୟସ୍ତରୀୟ ଗଣଧାରଣା ୨୮ରେ

ଭୁବନେଶ୍ୱର: କୃଷି ଓ କୃଷକର ଗମ୍ଭୀର ପରିସ୍ଥିତିକୁ ନେଇ ୬ ଦଫା ଦାବିରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଆସନ୍ତା ୨୮ ତାରିଖରେ ରାଜଧାନୀରେ ଗଣଧାରଣା ଦିଆଯିବ। ଆଜି ସ୍ଥାନୀୟ ଭଗବତୀ ଭବନଠାରେ ଆୟୋଜିତ ସମିତିର ଏକ ବୈଠକରେ ଏହି ନିଷ୍ପତି ହୋଇଛି। ଏହାଛଡ଼ା ଏହି ଅବସରରେ ମିଳିତ କୃଷକ ସମ୍ମିଳନୀ ମଧ୍ୟ ସଂଗଠିତ ହେବ। ଅଖିଳ ଭାରତ କୃଷକ ସଭାର ସଭାପତି ଆଶିଷ କାନୁନ୍‌ଗୋଙ୍କ ସଭାପତିତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ସୁରେଶ ପାଣିଗ୍ରାହୀ, ଅଶୋକ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ନରେନ୍ଦ୍ର ମହାନ୍ତିଙ୍କ ସମେତ କୃଷକ ନେତା ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ ଓ ରାମଚନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଉପସ୍ଥାପିତ ଦାବିଗୁଡ଼ିକ ହେଲା, ଅଦିନିଆ ବର୍ଷା, ମରୁଡ଼ି ଓ ଚକଡ଼ା ପୋକ ସମେତ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲହାନି ନିମନ୍ତେ ଏକର ପିଛା ସର୍ବନିମ୍ନ ୨୦ ହଜାର ଟଙ୍କା ପ୍ରଦାନ, କ୍ଷତିପୂରଣ ଅର୍ଥର ପରିମାଣ ସଂକ୍ରାନ୍ତରେ ଏନ୍‌.ଡି.ଆର୍‌.ଏଫ୍‌ର ଗାଇଡ୍‌ଲାଇନ୍‌ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାରଙ୍କ ଦାବି, କୃଷକଙ୍କ ସମ୍ପୂର୍ଣ୍ଣ ଭାବେ ଋଣଛାଡ଼ ଓ ବିନା ସୁଧରେ ଋଣ ପ୍ରଦାନ, ରବି ଚାଷ ପାଇଁ ବିହନ, ସାର ଓ ଔଷଧ ମୂଲ୍ୟ ଧାର୍ଯ୍ୟ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର ଘୋଷଣା, ୬୦ ବର୍ଷରୁ ଊର୍ଧ୍ୱ କୃଷକ ଓ କୃଷି ଶ୍ରମିକମାନଙ୍କୁ ୫ ହଜାର ଟଙ୍କା ମାସିକ ପେନ୍‌ସନ୍‌ ଆଦି ଅନେକ ଦାବି ରହିଛି।

ସମ୍ବନ୍ଧିତ ଖବର