ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ଵୟ ସମିତିର କନଭେନସନ୍‌

ଭୁବନେଶ୍ୱର: ରାଜ୍ୟରେ କୃଷି ଓ କୃଷକର ସ୍ୱାର୍ଥ ରକ୍ଷା ଓ କେନ୍ଦ୍ର, ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତି ବିରୋଧରେ ଆଜି ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ କନଭେନସନ ଅନୁଷ୍ଠିତ ହୋଇଥିଲା। କନଭେନସନ୍‌ରେ ଅଦିନିଆ ବର୍ଷା, ମରୁଡ଼ି ଓ ଚକଡ଼ା ପୋକ କ୍ଷତି ସମେତ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ କ୍ଷତିପୂରଣ ଏକର ପିଛା ସର୍ବନିମ୍ନ ୨୦ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି ହୋଇଥିଲା। ଏହାସହ କୃଷକମାନଙ୍କୁ ସଂପୂର୍ଣ୍ଣ ଋଣଛାଡ଼, ବିନା ସୁଧରେ ଋଣ ପ୍ରଦାନ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ରବି ଚାଷ ପାଇଁ ବିହନ, ସାର, ଔଷଧକୁ ମାଗଣାରେ ଯୋଗାଇ ଦେବା, ଧାନ କ୍ୱିଣ୍ଟାଲ ପିଛା ୩ହଜାର ଟଙ୍କା ଧାର୍ଯ୍ୟ କରାଯାଉ। ୬୦ବର୍ଷରୁ ଅଧିକ ଚାଷୀ ଓ ଚାଷୀ ଶ୍ରମିକଙ୍କୁ ୫ହଜାର ଟଙ୍କା ମାସିକ ପେନସନ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବା ଓ ଆତ୍ମହତ୍ୟା କରିଥିବା ପ୍ରତ୍ୟେକ ଚାଷୀ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ପାଇଁ ଦାବି କରାଯାଇଥିଲା। ଏହି କନଭେନସନ୍‌ରେ ଅଖିଳ ଭାରତ କୃଷକ ସଭାର ସଭାପତି ଆଶିଷ କାନୁନ୍‌ଗୋ, ଓଡ଼ିଶା କୃଷକ ସଭାର ରାଜ୍ୟ ସଭାପତି ଜମେଶ୍ୱର ସାମନ୍ତରାୟ, ଅଶୋକ ପ୍ରଧାନ, ଜ୍ୟୋତିରଂଜନ ମହାପାତ୍ର, ଚାଷୀ ମୂଲିଆ ସଂଗ୍ରାମ ସୁରକ୍ଷା ସମିତିର ନରେନ୍ଦ୍ର ମହାନ୍ତି, ପ୍ରମୋଦ ରଥ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ବ୍ରହ୍ମାନନ୍ଦ ମଲ୍ଲିକ ଓ ରାମକୃଷ୍ଣ ଜେନା ପ୍ରମୁଖ ସଭାକୁ ପରିଚାଳନା କରିଥିଲେ। ଏହି ଅବସରରେ ଏକ ପ୍ରତିନିଧିମଣ୍ଡଳୀ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳ ଓ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଶ୍ରୀକାନ୍ତ ମହାନ୍ତି, ଶଙ୍କର ସାହୁ, ରାମଚନ୍ଦ୍ର ମୁଦୁଲି, ଜଗନ୍ନାଥ ମିଶ୍ର, ଅନିରୁଦ୍ଧ ମଲ୍ଲିକ, କୃଷ୍ଣଚନ୍ଦ୍ର ରାଉତ, ହୃଷୀକେଶ ମିଶ୍ର, ବଳଭଦ୍ର ମଲ୍ଲିକ ଓ ତୁଷାରକାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର