ଭୁବନେଶ୍ବର: ଅଖିଳ ମୋହନ ଫାଉଣ୍ଡେସନ୍ ପକ୍ଷରୁ ଆଜି ପାନ୍ଥନିବାସରେ ‘ଅଖିଳ ଦିବସ’ ପାଳିତ ହୋଇଯାଇଛି। ଫାଉଣ୍ଡେସନ୍ର ଅଧ୍ୟକ୍ଷା ମମତା ଦାଶଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଖ୍ୟାତ ସମାଲୋଚକ ପ୍ରଫେସର ଦାଶରଥି ଦାସଙ୍କୁ ‘ଶିଖର ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶ୍ରୀ ଦାସ କହିଲେ, ସ୍ବର୍ଗତଃ ପଟ୍ଟନାୟକଙ୍କୁ ଅନେକ ଜଣେ ବାମପନ୍ଥୀ ଲେଖକ ବୋଲି ବିବେଚନା କରନ୍ତି। ମାତ୍ର ସେ କ୍ରାନ୍ତିକାରୀ ଆନ୍ଦୋଳନରେ ଜେଲ ମଧ୍ୟ ଯାଇଛନ୍ତି। ଏହା ସତ୍ତ୍ବେ ବାମପନ୍ଥୀଙ୍କ ବିରୁଦ୍ଧରେ ମଧ୍ୟ ତାଙ୍କର ଲେଖା ରହିଛି। ଅନେକ ଗଳ୍ପ ବାମପନ୍ଥୀଙ୍କ ବିରୁଦ୍ଧରେ ରହିଛି। ‘ମାଂସପେଶୀ’ ଗଳ୍ପରେ ଶ୍ରମିକ ସଂଗଠନମାନେ କିଭଳି ସ୍ଳୋଗାନ୍ ଓ ପରିଚାଳନା କମିଟି ବିରୁଦ୍ଧରେ ଚିତ୍କାର କରନ୍ତି ତାହା ସେ ଉଲ୍ଲେଖ କରିଛନ୍ତି। ସେହିପରି ‘ଅନ୍ଧଗଳି’ ଗଳ୍ପରେ ଅନେକ ଶିକ୍ଷିତ ଯୁବକ କିଭଳି ଅନ୍ଧଗଳିକୁ ପ୍ରବେଶ କରିବା ପରେ ସେଥିରୁ ଆଉ ବାହାରି ପାରି ନାହାନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଗଳ୍ପରେ ଓଡ଼ିଶା କିମ୍ବା ଓଡ଼ିଆ ଚରିତ୍ର କମ୍ ଦେଖିବାକୁ ମିଳିଥାଏ। ଏକ ଗଳ୍ପ ଭିତରେ ସେ ଆଉ ଏକ ଗଳ୍ପ ଲେଖୁଥିଲେ। ନିଜ ଭିତରେ ଏକ ଶିଶୁ ରହିଛି ବୋଲି ସେ କହୁଥିଲେ। ୪ଟି ଭୂତ ଗଳ୍ପ ଲେଖିଛନ୍ତି। ସେ ଏକାଧାରରେ ଜଣେ କବି, ନାଟ୍ୟକର, ଗାଳ୍ପିକ, ଗୀତିକାର ଥିଲେ। ତାଙ୍କ ସାରସ୍ବତ ଜୀବନ ରୋମାଣ୍ଟିସିଜିମ୍ରେ ଭରି ରହିଥିଲା ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ମମତା ଦାଶ କହିଲେ, ଅଖିଳ ମୋହନ କେବଳ ଜଣେ କଥାକାର ନ ଥିଲେ, ତାଙ୍କର ଚେତନା ବ୍ୟାପକ ଥିଲା। ଚରିତ୍ରରେ ବିଶୁଦ୍ଧ ଚଗଲାମି ଭରି ରହିଥିଲା ବୋଲି ସେ କହିଥିଲେ। ପରେ ବିଶିଷ୍ଟ କଥାଶିଳ୍ପୀ ସୁସ୍ମିତା ବାଗ୍ଚୀ ଓ ବିଶିଷ୍ଟ କବି ବୀଣାପାଣି ପଣ୍ଡାଙ୍କୁ ଚଳିତବର୍ଷର ଅଖିଳ କଥା ସମ୍ମାନ ଓ ଅଖିଳ କବିତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜଣେ ଲେଖକ ପାଇଁ ସାରସ୍ବତ ସମ୍ମାନ ଗୌରବର ବିଷୟ ବୋଲି ଶ୍ରୀମତୀ ବାଗ୍ଚୀ କହିଥିଲେ। ଏହାସହ ଆଶିଷ କୁମାର ଗଡ଼ନାୟକ ଓ ମନୋଜ କୁମାର ମେହେରଙ୍କୁ ଜ୍ଞାନଦା କଥା ସମ୍ମାନ ଓ ଜ୍ଞାନଦା କବିତା ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ରଙ୍କ ଶବ୍ଦାଲୋକ ପୃଷ୍ଠଭୂମିରେ ଗଳ୍ପ ପରିବେଷଣ। ଅଖିଳ ମୋହନଙ୍କ ଏକ କ୍ଷୁଦ୍ର ଗଳ୍ପକୁ ଶ୍ରୀ ମହାପାତ୍ରଙ୍କ ବଣ୍ଣର୍ନା ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କେଦାର ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ତିମିର ବରଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ଅଖିଳ ଦିବସ ୨୦୧୮, ଗଳ୍ପ ଭିତରେ ଗଳ୍ପ ଲେଖୁଥିଲେ ଅଖିଳ ମୋହନ
ପ୍ରଫେସର ଦାଶରଥି ଦାସଙ୍କୁ ‘ଶିଖର ସମ୍ମାନ’
/sambad/media/post_attachments/wp-content/uploads/2018/12/Untitled-10-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)