ଅଖିଳମୋହନଙ୍କ ପରି ତାଙ୍କର ‘ଅନ୍ୟଦେଶ’ ମଧ୍ୟ ଅନନ୍ୟ: ସୌମ୍ୟରଂଜନ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟରେ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ସ୍ଥାନ ଅନନ୍ୟ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ଅଖିଳ ମୋହନଙ୍କ ଜୟନ୍ତୀ ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ଅନ୍ୟଦେଶ’ର ଉନ୍ମୋଚନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଗଦ୍ୟ ସାହିତ୍ୟ ହିଁ ଗୋଟିଏ ଭାଷାର ସମୃଦ୍ଧିରେ ଅଧିକ ସହାୟକ ହୋଇଥାଏ। ଅଖିଳ ମୋହନଙ୍କ ଜନ୍ମ ଦିନରେ ତାଙ୍କର ଅନନ୍ୟ ଭ୍ରମଣ ବୃତ୍ତାନ୍ତ ‘ଅନ୍ୟଦେଶ’ ପ୍ରକାଶ କରି ‘ଆମ ଓଡ଼ିଶା’ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧା ନିବେଦନ କରିଛି ବୋଲି ସେ କହିଥିଲେ।

ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଦାଶ ବେନହୁର କହିଲେ, ସାହିତ୍ୟରେ ବିଷୟବସ୍ତୁର ପରିକଳ୍ପନା ଅଖିଳ ବାବୁଙ୍କ ପରି ଆଉ କେହି କରିପାରିବେ ନାହିଁ। ତାଙ୍କ ଉପନ୍ୟାସ ‘ବାଘରାଣୀ ଖଇରୀ’କୁ ଯଦି ସିନେମା କରାଯାଏ, ଏହା ପୃଥିବୀରେ ଅନ୍ୟ ଏକ ଶ୍ରେଷ୍ଠ ଚଳଚ୍ଚିତ୍ର ହେବ ବୋଲି ସେ କହିଥିଲେ। ‘ସମ୍ବାଦ’ର ସମ୍ପାଦକ (ଫିଚର୍‌) ଗୌରହରି ଦାସ କହିଲେ, ସବୁ ସୁନାରୁ ଗହଣା ତିଆରି କରୁଥିବା ଲୋକ ପରି ଅଖିଳ ମୋହନ ଶବ୍ଦକୁ ଭାରି ମାପିଚୁପି କରି ବ୍ୟବହାର କରୁଥିଲେ। ସେଥିପାଇଁ ତାଙ୍କର ପ୍ରତ୍ୟେକଟି ବାକ୍ୟ ଗୋଟେ ଗୋଟେ ଉଦ୍ଧୃତି ଥିଲା। ଲେଖକ ବ୍ୟକ୍ତିଗତ ଭାବେ ଚାଲି ଯାଇପାରେ, ହେଲେ ଯେପର୍ଯ୍ୟନ୍ତ ତାଙ୍କ ସାହିତ୍ୟ ଥିବ, ଲୋକ ପଢ଼ୁଥିବେ ଏବଂ ପ୍ରତି ପାଠକଙ୍କ ହୃଦୟରେ ବଞ୍ଚିଥିବେ ବୋଲି ସେ କହିଛନ୍ତି। ସମ୍ପାଦକ (ପ୍ରକାଶନ) ଅସିତ ମହାନ୍ତି ‘ଅନ୍ୟଦେଶ’ ପୁସ୍ତକର ବିଷୟ ବସ୍ତୁ ଓ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ଆଲୋକପାତ କରିବା ସହିତ ‘ବାଘରାଣୀ ଖଇରୀ’ ଓ ‘ଅଖିଳାୟନ’ ପରେ ଏହି ପୁସ୍ତକ ‘ଆମ ଓଡ଼ିଶା’ର ଆଉ ଏକ ଉଲ୍ଲେଖନୀୟ ପ୍ରକାଶନ ବୋଲି କହିଥିଲେ। ମନ୍ମଥ ମହାନ୍ତି କଥାଶିଳ୍ପୀ ଅଖିଳ ମୋହନ ଓ ତାଙ୍କର ଲେଖା ସହିତ ନିଜର ଦୀର୍ଘ ବର୍ଷର ସମ୍ପୃକ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ସୁବ୍ରତ ବଳ ପୁସ୍ତକର ‘ପରିଶିଷ୍ଟ’ରେ ସ୍ଥାନ ପାଇଥିବା ଚିଠିଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ‘ଅନ୍ୟଦେଶ’ ପୁସ୍ତକ ବାବଦ ସମସ୍ତ ରାଜଭାଗ ଅଗ୍ରୀମ ରୂପେ ଲେଖକଙ୍କ ବଡ଼ ପୁଅ ତିମିର ବରଣ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଅଖିଳ ମୋହନଙ୍କ ସାନପୁଅ ଜୀମୂତ ବରଣ ପଟ୍ଟନାୟକ, ବ୍ରଜକିଶୋର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଲେଖକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର