ଭୁବନେଶ୍ବର: ପଢ଼ିଲେ ହିଁ ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି ହୋଇଥାଏ। ପଠନପ୍ରିୟ ମଣିଷ ହିଁ ଆଗକୁ ବଢ଼ିଥାଏ ଏବଂ ନିଜ ଜାତିକୁ ଗଢ଼ିବାରେ ସହାୟକ ହୋଇଥାଏ। ଯେଉଁ ମାଟିର ମଣିଷମାନଙ୍କ ଭିତରେ ପଠନପ୍ରତି ରୁଚି ଯେତିକି ଅଧିକ, ସେ ଜାତି ସେତିକି ସମୃଦ୍ଧ ବୋଲି ଗୀତଗୋବିନ୍ଦ ସଦନରେ ସ୍ତମ୍ଭକାର ଉପେନ୍ଦ୍ର ବିଶ୍ୱାଳଙ୍କ ପୁସ୍ତକ ‘ଅକ୍ଷରର ଅନ୍ତଃସ୍ୱର’ର ଲୋକାର୍ପଣ ଉତ୍ସବର ଅତିଥିମାନେ କହିଛନ୍ତି। ଉଦ୍ୟୋଗପତି ଜ୍ଞାନରଞ୍ଜନ ଦାଶଙ୍କ ପୌ‌‌ରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ଆଲୋଚନା କାର୍ଯ୍ୟକ୍ରମରେ ସାହିତ୍ୟିକ ହରିହର ପଣ୍ଡା, ବ୍ରହ୍ମାକୁମାରୀ ଦୁର୍ଗେଶ ନନ୍ଦିନୀ, ଗାଳ୍ପିକ ଦେବବ୍ରତ ଦାଶ ଓ ପାଲା ସାହିତ୍ୟ ଗବେଷକ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Advertisment

ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ପଠନ ପ୍ରବୃତ୍ତି ଏକପ୍ରକାର ମହୌଷଧି ବୋଲି ଅତିଥିମାନେ କହିଥିଲେ। ପଠନ ପ୍ରବୃତ୍ତି ମଣିଷର ମାନସିକତାକୁ ସମୃଦ୍ଧ କରିଥାଏ। ତେଣୁ ଦେଶ ତଥା ଜାତି ନିର୍ମାଣରେ ସାହିତ୍ୟର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ‌ ବୋଲି ବକ୍ତାମାନେ କହିଥିଲେ। କବୀ ସୁସ୍ମିତା ଶତପଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଲେଖକ ଉପେନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ଅକ୍ଷୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ରାଉରକେଲାର ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ଗଳ୍ପ ସଂକଳନ ‘ଅନାବରଣ’ ମଧ୍ୟ ଲୋକାର୍ପିତ ହୋଇଥିଲା।