୮୨ ବର୍ଷରେ ବି ରେଡିଓ ଧ୍ବନିରେ ବିଭୋର୍‌ ଅକ୍ଷୟ କୁମାର

ଭୁବନେଶ୍ବର : ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି ଏବଂ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ପରେ ବି ରେଡିଓର ସ୍ବରକୁ ସେ ଭୁଲି ପାରିନାହାନ୍ତି। ଅତ୍ୟାଧୁନିକ ଗଣଯୋଗାଯୋଗ ବ୍ୟବସ୍ଥା ସତ୍ତ୍ବେ ରେଡିଓ ତାଙ୍କୁ ମୋହିତ କରି ରଖିଛି। ରେଡିଓର ଧ୍ବନି ସତେ ଯେପରି ତାଙ୍କ ପ୍ରତି ଅଙ୍ଗରେ ସଞ୍ଚରି ଯାଇଛି। ସେଥିପାଇଁ ତ ସେ ସମସ୍ତଙ୍କ ନିକଟରେ ରେଡିଓ ଅକ୍ଷୟ ନାଁରେ ପରିଚିତ ହୋଇଯାଇଛନ୍ତି। ପୁରୁଣା ବ୍ୟାଟେରି ଚାଳିତ ରେଡିଓ ନିଶା ଏବେ ବି ତାଙ୍କୁ ଆବୋରି ବସୁଛି। ବୟସ ୮୦ ଟପି ଯାଇଥିଲେ ମଧ୍ୟ ରେଡିଓ ସଂଗ୍ରହ କରି ତାହାର ବିସ୍ତୃତ ଇତିହାସକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବାର ନିଶା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ସେ ହେଲେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଅକ୍ଷୟ କୁମାର ପଟ୍ଟନାୟକ। ତାଙ୍କ ପାଖରେ ଅନେକ ଛୋଟ ବଡ଼ ଏବଂ ବିଭିନ୍ନ କମ୍ପାନିର ରେଡିଓ ରହିଛି, ଯାହାକୁ ସେ ଏହି ରେଡିଓ ମେଳାରେ ପ୍ରଦର୍ଶିତ କରିଛନ୍ତି।

୧୯୭୦ ମସିହାରୁ ସେ ରେଡିଓ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ତାଙ୍କ ପାଖରେ ୬୦୦ରୁ ଅଧିକ ରେଡିଓ ରହିଛି। ଅକ୍ଷୟ କହନ୍ତି, ମଝିରେ ଏମିତି ଏକ ସମୟ ଆସିଥିଲା, ରେଡିଓର ଚାହିଦା ପୂରାପୂରି କମି ଯାଇଥିଲା। ସେଥିରେ ସେ ବିତସ୍ପୃହ ହୋଇପଡ଼ିଥି‌ଲେ। କିନ୍ତୁ ପରବର୍ତ୍ତୀ ପିଢ଼ି ପାଇଁ ସାଇତି ରଖିବାର ନିଶା ତାଙ୍କ ଭିତରେ ଏକ ଆନ୍ଦୋଳନ ସୃଷ୍ଟି କରିଥିଲା। ତେଣୁ ସେ ପୁରୁଣା ରେଡିଓ ଖୋଜି ବାହାର କରିବା ଏବଂ ତାକୁ ଯତ୍ନ ସହକାରେ ସାଇତି ରଖିବା ପାଇଁ ବିଭିନ୍ନ ସ୍ଥାନ ବୁଲିଥିଲେ। ରେଡିଓ ପ୍ରତି ତାଙ୍କର ଏହି ମୋହ ପାଇଁ ଲୋକେ ତାଙ୍କୁ ‘ରେଡିଓ ଅକ୍ଷୟ’ ବୋଲି ଡାକୁଛନ୍ତି। ଫିଲିପ୍ସ୍, ଆକାଇ, ତୋଷିବା, ବୁଶ୍, ମର୍ଷି, ଆଇୱା, ସନ୍ତୋଷ, ଟେଲିଫୋନ୍‌ କନ୍ ଭଳି ଆହୁରି ଅନେକ କମ୍ପାନିର ରେଡିଓ ସେ ତାଙ୍କ ସଂଗ୍ରହାଳୟରେ ରଖିଛନ୍ତି। ରେଡିଓ ବ୍ୟତୀତ ୧୫ ହଜାର ପୁରୁଣା ଜିନିଷ ମଧ୍ୟ ତାଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି। ଓଡ଼ିଶା ଏବଂ ଓଡ଼ିଶା ବାହାରକୁ ଯାଇ ସେ ରେଡିଓ କିଣି ନିଜ ସଂଗ୍ରହାଳୟକୁ ସମୃଦ୍ଧ କରିଛନ୍ତି। ଅକ୍ଷୟ ନିଜେ ରେଡିଓ ସଂଗ୍ରହ କରିବା ସହ ତାଙ୍କ ୨ ସନ୍ତାନଙ୍କୁ ଏଥିପାଇଁ ଉତ୍ସାହିତ କରୁଛନ୍ତି। ରେଡିଓ ସଂସ୍କୃତି ଏକ ମାର୍ଜିତ ସଂସ୍କୃତି ବୋଲି ସେ କହିଛନ୍ତି। ତାଙ୍କ ହିସାବରେ ରେଡିଓରେ କୁହାଯାଉଥିବା ଭାଷା ସ୍ପଷ୍ଟ ଏବଂ ମାର୍ଜିତ।

ସମ୍ବନ୍ଧିତ ଖବର