ଖଣି ପାଣ୍ଠି ଦୁରୁପଯୋଗ ବିରୋଧରେ ଅକ୍ଷୟ କୁମାରଙ୍କ ଅନଶନ

ଜରିମାନା ରାଶିକୁ ତିନି ଜିଲ୍ଲା ଆଦିବାସୀଙ୍କ ଉନ୍ନତି ପାଇଁ ବ୍ୟୟ କରାଯାଉ

ଭୁବନେଶ୍ୱର : ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ବେ ଖଣି କମ୍ପାନିମାନଙ୍କଠାରୁ ଆଦାୟ ହୋଇଥିବା ଜରିମାନା ରାଶିକୁ ତିନି ଜିଲ୍ଲା ଆଦିବାସୀଙ୍କ ଉନ୍ନତି ପାଇଁ ବ୍ୟୟ କରାନଯାଇ ଗୃହ ନିର୍ମାଣ କ୍ଷେତ୍ରରେ ବିନିଯୋଗ କରାଯାଉଛି। ଏହି ପାଣ୍ଠିର ଦୁରୁପଯୋଗ ବିରୋଧରେ ନବ ନିର୍ମାଣ କୃଷକ ସଂଗଠନ ନେତା ଅକ୍ଷୟ କୁମାର ଶୁକ୍ରବାର ଲୋୟର୍‌ ପିଏମ୍‌ଜିରେ ଅନଶନ ଆରମ୍ଭ କରିଛନ୍ତି।

ନିର୍ଦ୍ଦିଷ୍ଟ ଭାବେ ଗୃହ ନିର୍ମାଣ କ୍ଷେତ୍ରରେ ଏହି ପାଣ୍ଠି ଖର୍ଚ୍ଚ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଥିବା ସତ୍ତ୍ବେ ଗୃହ ନିର୍ମାଣ କ୍ଷେତ୍ରରେ ବିନିଯୋଗ ହେଲା। ଲୋକଙ୍କ ଜୀବିକା ପାଇଁ ଏହି ଅର୍ଥ ଖର୍ଚ୍ଚ କରାନଯାଇ ଏଲ୍ ଆଣ୍ଡ ଟି କମ୍ପାନିକୁ ୨୨୦୦ କୋଟିର ଠିକା ଦିଆଯାଇଛି ଓ ଅଗ୍ରୀମ ବାବଦରେ ୬୦୦ କୋଟି ଦିଆଯାଇଛି। ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍‌କୁ ଚଞ୍ଚକତାପୂର୍ବକ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରି ଅକ୍ଷୟ କୁମାର ଅନଶନ କରିଛନ୍ତି।

ଅନଶନସ୍ଥଳରେ ଉପସ୍ଥିତ କେନ୍ଦୁଝର ନାଗରିକ ମଞ୍ଚ ସଭାପତି କିରଣ ସାହୁ ଅଭିଯୋଗ କରିଥିଲେ ଯେ ସରକାର ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ୍‌କୁ ନ ମାନି ତିନି ଜିଲ୍ଲାବାସୀଙ୍କ ଅର୍ଥ ଉଠାଇ ନେଇଛନ୍ତି। ଆଗାମୀ ଦିନରେ ଏହାକୁ ନେଇ ନ୍ୟାୟାଳୟରେ ମାମଲା କରାଯିବ ବୋଲି ଆଇନଜୀବୀ ଶିବାନନ୍ଦ ରାୟ କହିଥିଲେ। ଗାନ୍ଧୀବାଦୀ ତଥା ସର୍ବୋଦୟ ନେତା ଶୈଳଜ ରବି ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସର୍ବୋଦୟ ମଣ୍ଡଳ ସମ୍ପାଦକ ରମାକାନ୍ତ ମଣ୍ଡଳ, ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ସହ ସଂଯୋଜକ ନିମାଇଁ ରାୟ ଆଗାମୀ ଦିନରେ କ୍ଷତିଗ୍ରସ୍ତ ତିନି ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ।

ସୂଚନାଯୋଗ୍ୟ ଓଡ଼ିଶାର ସବୁଠୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଶାହା କମିସନ ବସିଥିଲା। ଖଣି କମ୍ପାନିଙ୍କ ଉପରେ ବିପୁଳ ଜରିମାନା ଧାର୍ଯ୍ୟ କରାଯାଇଥିଲା। ଜରିମାନାରୁ ରକ୍ଷା ପାଇବା ପାଇଁ ଖଣି କମ୍ପାନିମାନେ ପୁଣି ଆଇବିଏମ୍ ଦ୍ୱାରା ସାନି ମୂଲ୍ୟାଙ୍କନ କରି ଯଥେଷ୍ଟ ପରିମାଣର ରିହାତି ପାଇଥିଲେ। ଏହା ପରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଭର୍ତ୍ସିତ ହୋଇ ଜରିମାନା ଦାଖଲ କରିଥିଲେ। ଏହି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆ ନଯାଇ ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରି ଖଣି ଖୋଳା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ସାଧାରଣ ଲୋକ ଓ ଆଦିବାସୀମାନଙ୍କ ଜୀବିକା ପାଇଁ ଖର୍ଚ୍ଚ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ରନାଥ ମହାରଣା, ନିରଞ୍ଜନ ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ମଧୁମିତା ସାମଲ, କଳ୍ପନା ମହାନ୍ତି, ଅପର୍ଣ୍ଣା ନାୟକ, ଛାତ୍ର ସଂଗଠନ ସଭାପତି ଅମିତ ଜେନା, ଯଶୋବନ୍ତ ଦାସ, ସତ୍ୟଜିତ ମହାନ୍ତି, ଅମରଜିତ ସ୍ୱାଇଁ, ଅବିନାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର