ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲା: ପୀଡ଼ିତା‌ ସାମ୍ନାକୁ ଆସିବେ କେବେ?

ବ୍ଲାକ୍‌ମେଲ ଦିଗକୁ ନେଇ ଛାନ୍‌ଭିନ୍‌

ଭୁବନେଶ୍ବର: ଓଲିଉଡ୍‌ର ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲା ଏବେ ଭିନ୍ନ ମୋଡ଼ ନେବାକୁ ବସିଛି। ଘଟଣା ପ୍ରଘଟ ହେବା ପରଠୁ ପୀଡ଼ିତାଙ୍କ ଦେଖାଦର୍ଶନ ମିଳୁନଥିବାରୁ ଏହା ପଛରେ ଏକ ବଡ଼ ଷଡ଼୍‌ଯନ୍ତ୍ର ଥିବା ଚର୍ଚ୍ଚା ହେଉଛି। ଲକ୍ଷ୍ମୀସାଗର ଥାନାରେ ପୀଡ଼ିତା ଦେଇଥିବା ଏତଲା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ବେଳେ ପୁଲିସ କିନ୍ତୁ ଏହାକୁ ଖଣ୍ଡନ କରିଛି। ଏମିତିକି ରାଜଧାନୀର କୌଣସି ଥାନାରେ ବି ପୀଡ଼ିତାଙ୍କ ଅଭିଯୋଗ ନାହିଁ। ଏଣେ କିନ୍ତୁ ଶ୍ରୀ ପରିଜାଙ୍କ ଅଭିଯୋଗ ଆଧାରରେ ନୂଆପଲ୍ଲୀ ଥାନା ପୁଲିସ ଛାନ୍‌ଭିନ୍ ଆରମ୍ଭ କଲାଣି। ତେଣୁ ଏମିତି ସ୍ଥିତିରେ ପୀଡ଼ିତା ସାମ୍ନାକୁ ଆସୁନଥିବାରୁ ଏହି ମାମଲା ପଛରେ ଶ୍ରୀ ପରିଜାଙ୍କୁ ବ୍ଲାକ୍‌ମେଲ କରାଯାଇଥିବା ଗନ୍ଧ ରହିଛି ବୋଲି ଆଲୋଚନା ହେଉଛି। ନୂଆପଲ୍ଲୀ ଥାନା ପୁଲିସ ମଧ୍ୟ ଏହି ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ନୂଆପଲ୍ଲୀ ଥାନାରେ ହୋଇଥିବା ଶ୍ରୀ ପରିଜାଙ୍କ ଅଭିଯୋଗ ଅନୁସାରେ ପ୍ରାୟ ୨ ବର୍ଷ ପୂର୍ବେ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବତୀ ତାଙ୍କ ସହ ଯୋଗାଯୋଗ କରିଥିଲେ। ଜଣେ ଅଭିନେତ୍ରୀର ପରିଚୟ ଦେଇ ସେ ତାଙ୍କୁ ନିଜର ଦୁଃଖଦୁର୍ଦ୍ଦଶା କଥା କହିଥିଲେ। ତାଙ୍କୁ କୌଣସି ଚଳଚ୍ଚିତ୍ରରେ ସୁଯୋଗ ଦେଲେ, ତାଙ୍କ ସ୍ଥିତିରେ ସୁଧାର ଆସିପାରନ୍ତା ବୋଲି କାକୁତିମିନତି ହୋଇଥିଲେ। ଏମିତିକି ଶ୍ରୀ ପରିଜାଙ୍କ ଚଳଚ୍ଚିତ୍ରଗୁଡ଼ିକର ସଫଳତା ପାଇଁ ସେ ମାନସିକ ରଖୁଥିଲେ ଓ ଉପବାସ କରି ଠାକୁର ପୂଜା କରୁଥିଲେ। ଏସବୁ ଜାଣିବା ପରେ ଶ୍ରୀ ପରିଜା ଭାବପ୍ରବଣ ହୋଇଉଠିଥିଲେ ଓ ଏହି ମଉକାରେ ଯୁବତୀ ତାଙ୍କ ନିକଟତ୍ତର ହୋଇପାରିଥିଲେ। ତେବେ ଏସବୁ ମିଛ ଅଭିନୟ ଥିଲା ବୋଲି ଶ୍ରୀ ପରିଜା ଜାଣିପାରିନଥିଲେ। ଏହା ପଛରେ ଏକ ବଡ଼ ଷଡ଼୍‌ଯନ୍ତ୍ର ଥିଲା ବୋଲି ସେ ଜାଣିପାରିନଥିଲେ।

ଏମିତିକି ଯୁବତୀ ବେଶ୍ ଚତୁରତାର ସହ ସେମାନଙ୍କ ଶାରୀରିକ ସମ୍ପର୍କ ସମୟର ଭିଡିଓ ଓ ଫଟୋ ରଖିଦେଇଥିଲେ ବି ସେ କିଛି ବୁଝିପାରିନଥିଲେ। କିନ୍ତୁ ହଠାତ୍ ଥରେ ପୀଡ଼ିତା ତାଙ୍କୁ ୫ ଲକ୍ଷ ଟଙ୍କା ମାଗିବାରୁ ଶ୍ରୀ ପରିଜାଙ୍କ ସନ୍ଦେହ ହୋଇଥିଲା। ପୁଣି ସେ ମନା କରିବା ପରେ ଯୁବତୀ ତାଙ୍କ ଅସଲ ଚେହେରା ଦେଖାଇଥିଲେ। ଯେତେବେଳେ ଜଣେ ମହିଳା ଆଇନଜୀବୀ ତାଙ୍କୁ ଫୋନ୍‌ କରି ୩ କୋଟି ଟଙ୍କା ମାଗିଲେ, ସେତେବେଳେ ଶ୍ରୀ ପରିଜାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ତଥାପି ସେ ଟଙ୍କା ଦେବେ ନାହିଁ ବୋଲି କହିଥିଲେ। ତେଣୁ ଫୋନ୍‌ କରିଥିବା ମହିଳା ଆଇନଜୀବୀ ଯୁବତୀଙ୍କ ସହ ତାଙ୍କ ଅନ୍ତରଙ୍ଗ ସମୟର ଭିଡିଓ ଓ ଫଟୋ ଭାଇରାଲ କରିବେ ବୋଲି ଧମକ ଦେଇଥିଲେ। ସତକୁ ସତ ସେୟା ବି ହେଲା। ଲକ୍ଷ୍ମୀସାଗର ଥାନା‌ରେ ଅଭିଯୋଗ କରିଥିବା ମିଛ କହି ସେମାନେ ଭିଡିଓ ଭାଇରାଲ୍ କଲେ।

ଶ୍ରୀ ପରିଜାଙ୍କ ଏତଲା ଆଧାରରେ ନୂଆପଲ୍ଲୀ ଥାନା ପୁଲିସ ଯୁବତୀଙ୍କୁ ଖୋଜିବା ଆରମ୍ଭ କରିଛି। ଯେଉଁ ମୋବାଇଲ୍‌ ଫୋନ୍‌ରୁ ଶ୍ରୀ ପରିଜାଙ୍କୁ ଫୋନ୍‌ ହୋଇଥିଲା, ପୁଲିସ ତାକୁ ଟ୍ରାକ୍‌ କରୁଛି। ସେହିଭଳି ଭାଇରାଲ୍ ହେଉଥିବା ଅଶ୍ଳୀଳ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଥମେ କିଏ ଅପଲୋଡ୍ କଲା, ତା’କୁ ବି ପୁଲିସ ଖୋଜୁଛି। ଏସବୁ ତଥ୍ୟ ପୁଲିସର ହସ୍ତଗତ ହେବା ପରେ ଏବଂ ଖୋଦ୍‌ ପୀଡ଼ିତା ସାମ୍ନାକୁ ଆସିବା ପରେ ଏହି ମାମଲା ପଛର ପ୍ରକୃତ ସତ ପଦାକୁ ଆସିବ ବୋଲି କୁହାଯାଉଛି।

ହାଇକୋର୍ଟରେ ଅକ୍ଷୟ ପରିଜାଙ୍କ ଆଗୁଆ ଜାମିନ ଆବେଦନ

କଟକ: କାଷ୍ଟିଂ କାଉଚ୍ ମାମଲାରେ ଛନ୍ଦି ହୋଇଥିବା ବିଶିଷ୍ଟ ଓଲିଉଡ୍ ପ୍ରଯୋଜକ ଅକ୍ଷୟ କୁମାର ପରିଜା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ଜଣେ ଦଳିତ ଯୁବତୀଙ୍କୁ ଦୀର୍ଘଦିନ ଧରି ‌‌ଯୌନ ଶୋଷଣ ଅଭିଯୋଗ ପରେ ଶ୍ରୀ ପରିଜା ସୁରକ୍ଷା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜଣେ ଯୁବତୀଙ୍କୁ ଅଭିନେତ୍ରୀ କରାଇବାକୁ କହି ଶ୍ରୀ ପରିଜା ଯୌନ ଶୋଷଣ କରିଥିବା ଅଭିଯୋଗ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ତାଙ୍କୁ ନିର୍ଦ୍ଦିଷ୍ଟ ଯୁବତୀ ବ୍ଲାକମେଲ କରୁଥିବା ନେଇ ଶ୍ରୀ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥ‌ିଲେ।

ସମ୍ବନ୍ଧିତ ଖବର