ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନର ଅକ୍ଷୟ ତୃତୀୟା ମହୋତ୍ସବ, ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆହୁରି ଗବେଷଣା ଆବଶ୍ୟକ

ଉନ୍ମୋଚିତ ହେଲା ‘ଅବିନଶ୍ବର ଶ୍ରୀଜଗନ୍ନାଥ’ର ପ୍ରଚ୍ଛଦପଟ

ଭୁବନେଶ୍ୱର, ୧୬।୫ (ଇମିସ): ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ‘ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ’ ପକ୍ଷରୁ ଏକ ଭର୍ଚୁଆଲ ସଭା ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଜୀବନରେ ଜଗନ୍ନାଥଙ୍କୁ କେନ୍ଦ୍ର କରି ଅଲୌକିକ ଅନୁଭୂତି ବର୍ଣ୍ଣନା କରିଥିଲେ। ତାଙ୍କ ଦ୍ବାରା ରଚିତ ଉପନ୍ୟାସ ‘ଶକୁନ୍ତଳା’ରେ କିପରି ନକ୍ସଲ ପୃଷ୍ଠଭୂମିରେ ଭବିଷ୍ୟତରେ ଦିନେ ଶ୍ରୀଜଗନ୍ନାଥ ଚେତନା ପ୍ରତିଷ୍ଠିତ ହୋଇପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ସେ ଆହୁରି କହିଥିଲେ ଯେ କଳିଙ୍ଗ ନାବିକମାନଙ୍କ ଦ୍ବାରା ବିଶ୍ବବ୍ୟାପୀ ଓଡ଼ିଶାର ପାରମ୍ପରିକ ଦେବଦେବୀ ପୂଜା ସହ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ପୂଜାର କିପରି ପ୍ରସାର ହୋଇଛି, ସେ ବିଷୟରେ ଆହୁରି ଗବେଷଣା ଆବଶ୍ୟକ। ଏହାଦ୍ବାରା ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅନେକ ରହସ୍ୟ ଉନ୍ମୋଚିତ ହୋଇପାରିବ।

ଏହି ଅବସରରେ ପୁସ୍ତକ ‘ଅବିନଶ୍ୱର ଶ୍ରୀଜଗନ୍ନାଥ’ ପୁସ୍ତକର ପ୍ରଚ୍ଛଦପଟ୍ଟ ଉନ୍ମୋଚିତ ହୋଇଥିଲା। ଚିତ୍ରଶିଳ୍ପୀ ବଳଦେବ ମହାରଥା ପ୍ରଚ୍ଛଦପଟ୍ଟର ପ୍ରଚ୍ଛଦ କାହାଣୀ ବର୍ଣ୍ଣନା କରିଥିଲେ। ମଠ ସଂସ୍କୃତି ଓ ମଠ ପରମ୍ପରା ସମ୍ପର୍କରେ ଶ୍ରୀମନ୍ଦିରର ସ୍ବତନ୍ତ୍ର ପଦାଧିକାରୀ ତଥା ଗବେଷକ ଡ. ଭାସ୍କର ମିଶ୍ର ସୂଚନା ଦେଇଥିଲେ। ଏହା ପରେ ରଥ କାଠ ଅନୁକୂଳ ଭଳି ତିନି ରଥ ପାଇଁ ତିନୋଟି ଲେଖା ଉନ୍ମୋଚନ ହୋଇଥିଲା।

ପ୍ରଥମ ରଥକାଠ ରୂପେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ‘ଶତାବ୍ଦୀ-ପୁରୁଷ ସୁରେନ୍ଦ୍ର ଓ ପୁରୁଷୋତ୍ତମ’ ଶୀର୍ଷକରେ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସୁରେନ୍ଦ୍ର ମହାନ୍ତିଙ୍କ ଜଗନ୍ନାଥ ପ୍ରେମ ଓ ତାଙ୍କ ଦ୍ବାରା ଲିଖିତ ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ଓ ‘କୃଷ୍ଣାବେଣୀରେ ସନ୍ଧ୍ୟା’ରେ ଶ୍ରୀଜଗନ୍ନାଥଙ୍କ ଲୀଳା ସମ୍ପର୍କରେ ବର୍ଣ୍ଣନା କରିଥି‌ଲେ। ଦ୍ବିତୀୟ ରଥକାଠ ରୂପେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ଭାଗ୍ୟଲିପି ମଲ୍ଲ ‘କଳ୍ପ-କଳ୍ପାନ୍ତରର ଉଦ୍ଭାସନ: କଳ୍ପବଟ’ ଶୀର୍ଷକରେ ବଳରାମ ଦାସଙ୍କ ବଟ ଅବକାଶ ପୁସ୍ତିକାରେ ଥିବା ଅଲୌକିକ ବର୍ଣ୍ଣନା କରିଥିଲେ। ତୃତୀୟ ରଥକାଠ ରୂପେ ଟାଡିସରୁ ମିସନର ଉପଦେଷ୍ଟା ଡାକ୍ତର ବନୋଜ ରାୟ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆଧ୍ୟାତ୍ମିକ ସାଧିକା ଟାଡି ସରୁବାଇଙ୍କ ଆଧ୍ୟାତ୍ମିକ ଜୀବନ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ଡ. ସୁଧା ମିଶ୍ର ଓ ଦାମୋଦର ସେନାପତି ଜଣାଣ ପରିବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ପୀତବାସ ରାଉତରାୟ ଭାଷଣ ଦେଇଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର