ବୋମାମାଡ଼ରେ ରାଜେଶ ମୃତ୍ୟୁ ମାମଲା: କଣାସରୁ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅକ୍ଷୟ

ପୁରୁଣା ଭୁବନେଶ୍ବର : ତିନି ଦିନ ଲୁଚକା‌ଳି ଖେଳିବା ପରେ ପୁଲିସ ହାତରେ ଧରାପଡ଼ିଛି ପଞ୍ଚୁପଲ୍ଲୀ ମାଳିସାହି ରାଜେଶ ସାହୁ ହତ୍ୟାକାଣ୍ଡର ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅକ୍ଷୟ ସାହୁ(୫୨)। ଏୟାର୍‌ଫିଲ୍‌ଡ ଥାନା ପୁଲିସ ଆଜି ତାକୁ କଣାସ ଥାନା ଅଞ୍ଚଳରୁ ଗିରଫ କରିଛି। ଏନେଇ ଏୟାର୍‌ଫିଲ୍‌ଡ ଥାନା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ଆସନ୍ତାକାଲି ଭୁବନେଶ୍ବର ଡିସିପି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେ‌ବେ ବୋ‌ଲି ଜଣାପଡ଼ିଛି।

ଗତ ୨୨ ତାରିଖ ରାତିରେ ଅକ୍ଷୟର ବୋମାମାଡ଼ରେ ଗୁରୁତର ହୋଇଥିବା ରାଜେଶ(୨୨) ପରଦିନ ଆମ୍ରି ହସ୍ପିଟାଲରେ ଆଖି ବୁଜିଦେଇଥିଲେ। ବୋମାମାଡ଼ ପରଠାରୁ ଅକ୍ଷୟ ଗାଁରୁ ଫେରାର୍ ହୋଇଯାଇଥିଲା। ପୁଲିସ ତାକୁ ଗିରଫ କରିବାକୁ ଜଟଣୀ, ଖୋର୍ଦ୍ଧା ଓ ଡେଲାଙ୍ଗ ଅଞ୍ଚଳରେ ଡେରା ପକାଇଥିଲା। ପୂର୍ବରୁ ଦୀର୍ଘ ବର୍ଷ ଜେଲ୍‌ରେ ରହି ମୁକୁଳି ଥିବା ଦୁର୍ଦ୍ଦାନ୍ତ ଅକ୍ଷୟ ଯେମିତି ରାଜ୍ୟ ବାହାରକୁ ଯାଇନପାରିବ, ପୁଲିସ ଜଗି ରହିଥିଲା। ତା’ର ପରିବାର ଲୋକେ ଓ ସମ୍ପର୍କୀୟମାନେ ଯେମିତି ତାକୁ ଆର୍ଥିକ ସହଯୋଗ କରିନପାରିବେ, ସେଥିପ୍ରତି ପୁଲିସ ବେଶ୍ ସତର୍କତା ଅବଲମ୍ବନ କରିଥିଲା। ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଅକ୍ଷୟକୁ ଧରିବା ପାଇଁ ସ୍ପେସାଲ୍‌ ସ୍କ୍ବାଡ ଟିମ୍‌ ସହ ଅନ୍ୟ ୨ଟି ଟିମ୍‌କୁ ନିୟୋଜିତ କରିଥିଲେ। ତେବେ ଧୂର୍ତ୍ତ ଅକ୍ଷୟ ଲୁଚିବା ପାଇଁ ବନ୍ୟାଞ୍ଚଳକୁ ବାଛିଥିବା ପୁଲିସ ଜାଣିବାକୁ ପାଇଥିଲା। ଖୋର୍ଦ୍ଧା ମନ୍ଦାରବସ୍ତ ଅଞ୍ଚଳରେ ଗୋଟିଏ ଦିନ ରହିବା ପ‌ରେ ସେ କଣାସ ଚାଲିଯାଇଥିଲା। କଣାସରେ ବନ୍ୟା ଜଳ ବୁଡ଼ି ରହିଥିବାରୁ ପୁଲିସ ସେଠା‌ରେ ଚଢ଼ଉ କରିପାରିବ ନାହିଁ ବୋଲି ତା’ର ଧାରଣା ଥିଲା। ଗୁରୁବାର ଦିନ ସାଦା ପୋଷାକରେ ଥିବା ପୁଲିସ ଟିମ୍‌ ଉକ୍ତ ଅଞ୍ଚଳରେ ରିଲିଫ୍ ବାଣ୍ଟିବା ବାହାନାରେ ଯାଇ ସେ ଲୁଚିଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲା। ଅକ୍ଷୟ ମୁଢ଼ି ଖାଉଥିବା ବେଳେ ପୁଲିସ ଟିମ୍‌ ତାକୁ ଘେରି ଯାଇଥିଲା। ଏହି ଅପରେସନ୍‌ରେ କଣାସ ଥାନା ପୁଲିସ ସହଯୋଗ କରିଥିଲା।

ସୂଚନାଯୋଗ୍ୟ ଯେ ଘଟଣାଦିନ ସନ୍ଧ୍ୟାରେ ଅକ୍ଷୟ ଗାଁ ଦାଣ୍ଡରେ ବୋମା ପକାଇ ଆତଙ୍କ ସୃଷ୍ଟି କରୁଥିବା ବେଳେ ଗୁଣନିଧି ସାହୁଙ୍କ ପୁଅ ରାଜେଶ ତାକୁ ବାରଣ କରିଥିଲେ। ଏତିକିରେ ଉତ୍‌କ୍ଷିପ୍ତ ହୋଇ ଅକ୍ଷୟ ତାଙ୍କ ଉପରକୁ ୩ଟି ବୋମାମାଡ଼ କରିଥିଲା।

ସମ୍ବନ୍ଧିତ ଖବର