ସ୍ମୃତି ତୁମେ ଅକ୍ଷୟ

ଭୁବନେଶ୍ବର: ଆଜି ଥିଲା ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଷୋଡ଼ଶ ଶ୍ରାଦ୍ଧବାର୍ଷିକୀ। ସଙ୍ଗୀତରେ ଅକ୍ଷୟଙ୍କୁ ଶ୍ରଦ୍ଧା ସୁମନ ଢାଳିବା ଉଦ୍ଦେଶ୍ୟ‌ରେ ଆଜି ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌ ଓ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଆୟୋଜିତ ହୋଇଥିଲା ଅକ୍ଷୟ ସାହିତ୍ୟ ସମ୍ମାନ ଓ ସଙ୍ଗୀତ ସଂଧ୍ୟା ‘ସ୍ମୃତି ତୁମେ ଅକ୍ଷୟ’। ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ଯାତ୍ରାରେ ବିଭିନ୍ନ ସମୟରେ ଯୋଡ଼ି ହୋଇଥିବା ଦୁଇଜଣ ପ୍ରଥିତଯଶା ବ୍ୟକ୍ତି ପ୍ରଯୋଜକ ଅମିୟ ପଟ୍ଟନାୟକ ଓ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କର ନିକଟରେ ଦେହାନ୍ତ ହୋଇଯାଇଛି। ତେଣୁ ଆଜିର ସନ୍ଧ୍ୟାକୁ ଅକ୍ଷୟଙ୍କ ସହ ଏହି ଦୁଇ ଜଣଙ୍କୁ ମଧ୍ୟ ଉତ୍ସର୍ଗ କରାଯାଇଥିଲା। ଅକ୍ଷୟଙ୍କ ସ୍ବର ସଂଯୋଜନାରେ କିଛି ଅଭୁଲା ଗୀତ ଗାଇଥିଲେ ଚିତ୍ତ ଜେନା। ପୁଣି ଅମିୟ ପଟ୍ଟନାୟକଙ୍କ ପ୍ରଯୋଜନାରେ ନିର୍ମିତ ଅଧିକାଂଶ ସୁପରହିଟ୍‌ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। ଏହି ତିନିଜଣଙ୍କ ଜୀବନର ନିବିଡ଼ତାକୁ ଆଜି ମଞ୍ଚରେ ବେଶ୍ ନିଆରା ଶୈଳୀରେ ପରିବେଷଣ କରିଥିଲେ କଣ୍ଠଶିଳ୍ପୀମାନେ। ସେମାନେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡ଼ିକ ସହ ଚିତ୍ତ ଜେନାଙ୍କ କିଛି ଲୋକପ୍ରିୟ ଗୀତ ଓ ଅମିୟ ପଟ୍ଟନାୟକଙ୍କ ପ୍ରଯୋଜିତ ଚଳଚ୍ଚିତ୍ରଗୁଡ଼ିକରୁ କିଛି ଗୀତ ପରିବେଷଣ କରିଥିଲେ।

ଉତ୍ସବରେ ସାହିତ୍ୟିକ ବିଜୟ ନାୟକଙ୍କୁ ଚଳିତ ବର୍ଷର ‘ଅକ୍ଷୟ ସାହିତ୍ୟ ସମ୍ମାନ’ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କୁ ‘ଅକ୍ଷୟ ସଙ୍ଗୀତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କଣ୍ଠଶିଳ୍ପୀ ବିଚିତ୍ରାନନ୍ଦ ଦେଓ, ଶୁଭେନ୍ଦ୍ର ନାୟକ, ଛନ୍ଦା ମିଶ୍ର, ଶୈଳଭାମା ମହାପାତ୍ର, ଆଦ୍ୟାଶା ଦାସ, ଲଳିତ ଦାସ, ଅଚ୍ୟୁତ ମିଶ୍ର, ଅର୍ଣ୍ଣବ ପଣ୍ଡା, ସିଦ୍ଧାନ୍ତ ଶତପଥୀ, ପ୍ରତିଭା ପ୍ରଧାନ ଓ ସିଦ୍ଧାନ୍ତ ଶତପଥୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଲେଖିକା ଅର୍ଚ୍ଚନା ନାୟକ ଓ କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଦିଲ୍ଲୀପ ହାଲି ପ୍ରାରମ୍ଭିକ ସୂଚନା ଓ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର