ଗୀତରେ ଗୀତରେ ଅକ୍ଷୟଙ୍କ ସ୍ମୃତିଚାରଣ

ପ୍ରେମାନନ୍ଦଙ୍କୁ ଅକ୍ଷୟ ସଂଗୀତ ସମ୍ମାନ

ଭୁବନେଶ୍ୱର : ସଂଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କୁ ଗୀତରେ ଗୀତରେ ସ୍ମୃତିଚାରଣର ଅନନ୍ୟ ଆସର ସୃଷ୍ଟି ହୋଇଥିଲା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ। ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏସନ୍‌, ସଂସ୍କୃତି ଓ ସଂସ୍କୃତି ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଅକ୍ଷୟ ଶ୍ରାଦ୍ଧ ଦିବସରେ ଦେଖିବାକୁ ମିଳିଥିଲା ଏମିତି ଏକ ଅବକାଶ। ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଡ.ଇତି ସାମନ୍ତ ଏହି ସମ୍ମାନ ଗ୍ରହଣ କରିଥିଲେ। ପରେ ଅକ୍ଷୟ ସଂଗୀତର ମିଠା ଆସର ସହ ପୂଜ୍ୟପୂଜାର ପରମ୍ପରା ସ୍ୱରୂପ ୩ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଆ ସଂଗୀତ ଜଗତରେ ବର୍ତମାନ ସମୟର ଚର୍ଚିତ ସଂଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କୁ ଅକ୍ଷୟ ସଂଗୀତ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ସହିତ୍ୟିକ ରଂଜନ କୁମାର ଦାସଙ୍କୁ ଅକ୍ଷୟ ସାହିତ୍ୟ ସମ୍ମାନ ଏବଂ ସଂସ୍କୃତି ବିଭାଗର ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକଙ୍କୁ ଅକ୍ଷୟ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।

ସଂଗୀତ ଆସର ମଧ୍ୟରେ ଡ.ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ‘ଗୀତରେ ଗୀତରେ ଜୀବନ ଆରମ୍ଭ’ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ବିଭାଗର ପୂର୍ବତନ ନିର୍ଦେଶକ ସୁଶୀଲ କୁମାର ଦାସଙ୍କ ସମେତ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ। ସଂଗୀତ କାର୍ଯ୍ୟକ୍ରମରେ ‘ଜହ୍ନ ଫାଙ୍କିଦେଇ.., ଢେଉ ଢେଉକା.., ଏ ମୋର ଜୀବନ.., ନଦୀ ତ ନେଇଛି ତା’ର.., ସହରରେ ଲାଗିଯିବ ନିଆଁ.., ଚନ୍ଦ୍ରମା ଏକ.., ସ୍ମୃତି ତୁମେ.., ଲାଲ ଟୁକ୍‌ଟୁକ୍‌.., ସାବି ସାବି.., ଉଡ଼ିଉଡ଼ି ଯାଏ ଗୁଡ଼ି.., ଫୁଲେଇ ରାଣୀ ସଜ ଫୁଲ.., ହାଏ ମଦ ଭରି ଆଖି..ଭଳି ସଂଗୀତ ଗାଇ ଶୁଣାଇଥିଲେ ଗୀତା ପଟ୍ଟନାୟକ, ବିଚିତ୍ରା ନନ୍ଦ, ଛନ୍ଦା ମିଶ୍ର, ଶୈଳଭାମା, ସଂଜୟ ମିଶ୍ର, ଇପ୍ସିତା ପଣ୍ଡା, ଅର୍ଣ୍ଣବ ପଣ୍ଡା, ଶୁଭେନ୍ଦୁ ନାୟକ, ଜୟଶ୍ରୀ ଧଳ, ଶିବପ୍ରସାଦ, ଆଶିଷ ଦତ୍ତ, ଦିବ୍ୟାନୀ, ଆଳାପ, ସତ୍ୟସାର୍ଥକ ପ୍ରମୁଖ କଣ୍ଠଶିଳ୍ପୀବୃନ୍ଦ। ମାଷ୍ଟର ରାକେଶ ଓ ଆରୋହଣ ପାତ୍ରଙ୍କ ଯୁଗଳବନ୍ଦୀରେ ଭାଓଲିନ୍‌ ଓ ତବଲା ବାଦନରେ ସ୍ୱତନ୍ତ୍ର ଭାବେ ଏକ ଅକ୍ଷୟ ସଂଗୀତର ଅବତାରଣା କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ.ଶ୍ରୀନିବାସ ଘଟୁଆରୀ।

ସମ୍ବନ୍ଧିତ ଖବର