ଭୁବନେଶ୍ୱର : ସ୍ମୃତି ତୁମେ…, ପୂଣ୍ୟର ନଦୀ ତୀରେ…., ନିଝୁମ୍ ରାତିର ସାଥୀ…, ଜହ୍ନ ଫାଙ୍କି ଦେଇ… ଭଳି ଲୋକପ୍ରିୟ ଗୀତର ଆସର ଆଜି ବେଶ୍ ଜମିଥିଲା ଭଞ୍ଜକଳା ମଣ୍ଡପରେ। ଏହି କାଳଜୟୀ ଗୀତଗୁଡ଼ିକ ସୃଷ୍ଟି କରି ଓଡ଼ିଆ ଶ୍ରୋତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ ଅକ୍ଷୟ ମହାନ୍ତି। ଆଜି ସେହି ଗୀତଗୁଡ଼ିକୁ ମଞ୍ଚରେ ପରିବେଷଣ କରିଥିଲେ ବିଭୁକିଶୋର, ବିଭୁ ଦାସ, ତପୁ ମିଶ୍ର, ଆଦ୍ୟାଶା, ସୌରଭ ନାୟକ, ଶୈଳଭାମା, ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ। ଅବସର ଥିଲା ଅକ୍ଷୟ ମହାନ୍ତିଙ୍କ ଜନ୍ମ ଦିନ ଉପଲକ୍ଷେ ଅକ୍ଷୟ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ଅକ୍ଷୟ ସଂଧ୍ୟା’ର।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଦୁଇଟି ଆସରରେ ଖୋକା ଭାଇଙ୍କ ସହ ନିଜର ବ୍ୟକ୍ତିଗତ ଅନୁଭୂତିକୁ ବଖାଣିଥିଲେ ପ୍ରଣବ ଦାସ, ଦୁର୍ଗାଦତ୍ତ କାନୁନ୍ଗୋ, ପ୍ରଦୀପ ମହାନ୍ତି, ସୂର୍ଯ୍ୟ ମିଶ୍ର, ରକ୍ଷକ ନାୟକ ଓ ପ୍ରକାଶ ମହାପାତ୍ର ପ୍ରମୁଖ। ପ୍ରଥମ ଅଧିବେଶନକୁ ଦେବପ୍ରସାଦ ଦାଶ ସଂଚାଳନ କରିଥିବା ବେଳେ ଦ୍ୱିତୀୟ ଅଧିବେଶନକୁ ସୂର୍ଯ୍ୟ ଦେଓ ସଂଯୋଜନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳାକାନ୍ତ ମିଶ୍ର ଓ ବିଭୂତି ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱର୍ଗତ ମହାନ୍ତିଙ୍କ ଧର୍ମପତ୍ନୀ ପ୍ରବୀଣା ମହାନ୍ତି ଏବଂ ଦୁଇ ପୁଅ ମିତ୍ରଭାନୁ ମହାନ୍ତି ଓ ଚିତ୍ରଭାନୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।