ଭୁବନେଶ୍ୱର: ଭଙ୍ଗୀ ଚାହାଁ…., ମୋ ରାମା ମନେ କି ପାଞ୍ଚିଲ…ଦାଣ୍ଡରେ ଶୁଭିଲା ରାମ ସୁର…ଆଦି ଓଡ଼ିଶୀ ସଂଗୀତ ଭାସି ଆସିଥିଲା ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରୁ। ଅବସର ଥିଲା ଗୁରୁଶ୍ରୀ ନିମାକାନ୍ତ ରାଉତରାୟଙ୍କ ଦ୍ୱାରା ଆୟୋଜିତ ଆଳାପ ଅନୁଷ୍ଠାନ ତରଫରୁ ବିଶେଷ ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ‘ଆଳାପ-୨୦୧୮’ର। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ମର୍ଦ୍ଦଳ ଗୁରୁ ବନମାଳି ମହାରଣା, ସମ୍ମାନିତ ଅତିଥି ଭାବେ ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ କେଳୁଚରଣ ମହାପାତ୍ର, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ ଓ ମୁଖ୍ୟ ବକ୍ତା ଭାବେ ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଓଡ଼ିଶୀ ସଂଗୀତର ପରମ୍ପରା, ପ୍ରୟୋଗ ଓ ପ୍ରବିଧି ସହିତ ଏହାର ଗାୟନ ଶୈଳୀ କିପରି ଅନ୍ୟ ସଂଗୀତଠାରୁ ଭିନ୍ନ ଏବଂ ଏହାର ଶାସ୍ତ୍ରୀୟତା ଉପରେ ଉପସ୍ଥିତ ଅତିଥିମାନେ ମତ ରଖିଥିଲେ। ଅବସରପ୍ରାପ୍ତ ପ୍ରଶାସକ ଦୁର୍ଗାଚରଣ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଓଡ଼ିଶୀ ସଂଗୀତ ଗୁରୁ ଘନଶ୍ୟାମ ପଣ୍ଡା ଓ ଗୁରୁ ରାମହରି ଦାସଙ୍କୁ ‘ବିଷ୍ଣୁ ଚରଣ ରାଉତ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଆଲୋକ କୁମାର ମିଶ୍ରଙ୍କୁ ‘ଶ୍ରୀ ଦୁର୍ଗାଚରଣ ସାହୁ ମେଧା ସମ୍ମାନ’ ଓ ମନୋଜ କୁମାର ମାଟିଙ୍କୁ ‘ଶ୍ରୀ ଉତ୍ସବ ସାହୁ ମେଧା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଓଡ଼ିଶୀ ସଂଗୀତର ବିଭିନ୍ନ ବିଭାଗ ଚଉପଦୀ, ଚଉତିଶା, ଚମ୍ପୂ, ଓଡ଼ିଶୀ, ଭଜନ, ଜଣାଣ ଓ ଗୀତଗୋବିନ୍ଦ ଆଦି ପରିବେଷିତ ହୋଇଥିଲା। ଗୁରୁ ଶିଷ୍ୟଙ୍କ ପରମ୍ପରାକୁ ନେଇ ଗୁରୁଶ୍ରୀ ନିମାକାନ୍ତ ରାଉତରାୟଙ୍କ ଶିଷ୍ୟା ଅନୁଜା ତାରିଣୀ ମିଶ୍ର, ଛନ୍ଦା ମିଶ୍ର, ସଂଗୀତାଞ୍ଜଳି ନନ୍ଦ, ପ୍ରାଚୀ କାନୁନ୍ଗୋ ପ୍ରମୁଖ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ। ଶରତ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟାପକ ଲୋକନାଥ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।