‘ଆଳାପ’ର ସଂଗୀତ ସଂଧ୍ୟ‌ା ରେ… ଆତ୍ମନ୍‌ ନିଦ୍ରା ପରିହରି…

ଭୁବନେଶ୍ବର: ରେ… ଆତ୍ମନ୍‌ ନିଦ୍ରା ପରିହରି… ଫେଡ଼ି ‌ଚିନ୍ତାର ଲୋଚନ, କର କର ନିରୀକ୍ଷଣ… ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି? ୧୯୭୫ ମସିହାର ‘ମମତା’ ଚଳଚ୍ଚିତ୍ରର ଏହି ଭଜନ ପୁଣିଥରେ ଶୁଣିବାକୁ ମିଳିଥିଲା ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ। କଣ୍ଠଶିଳ୍ପୀ ନୁହେଁ, ଅତିଥି ଭାବେ ଯୋଗ ଦେଇଥିବା ଅବସରରେ ଶ୍ରୋତାଙ୍କ ଅନୁରୋଧକ୍ରମେ ପ୍ରଣବ ପରଷି ଦେଇଥିଲେ ଏହି ଚିରସବୁଜ ସଙ୍ଗୀତ। ଏଭଳି ଜଣେ ପ୍ରଥିତଯଶା କଣ୍ଠଶିଳ୍ପୀଙ୍କୁ ସମ୍ମୁଖରେ ପାଇ ତଥା ତାଙ୍କ କଣ୍ଠରୁ ସିଧାସଖଳ ସଙ୍ଗୀତ ଶୁଣି ଶ୍ରୋତାମାନେ ପ୍ରେକ୍ଷାଳୟରେ ତାଳିର ବର୍ଷା କରିଥିଲେ। ଅବସର ଥିଲା ସଙ୍ଗୀତ ଅନୁଷ୍ଠାନ ‘ଆ‌ଳାପ’ ପକ୍ଷରୁ ଆୟୋଜିତ ପୁରାତନ ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗୀତ ସଂଧ୍ୟା ‘ସପନର ପଥେ ପଥେ’ର। ଜୟଦେବ ଭବନଠାରେ ଆୟୋଜିତ ଏହି ସଙ୍ଗୀତ ସମାରୋହରେ ପୁରୁଣା ସଙ୍ଗୀତ ସୁ‌ଷମା ଗୋ ତୁମ ଅଙ୍ଗେ ଭରା…, ନ ଯା’ ସଜନୀ.. ପାହିନୀ ରଜନୀ ଆଦି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସମାରୋହରେ ଆ‌ଳାପର ଅଧ୍ୟକ୍ଷ ଅଜୟ କୁମାର ଶତପଥୀଙ୍କ ସମେତ ଶୁଭଲକ୍ଷ୍ମୀ ଶତପଥୀ, ସନ୍ଦିପ, ସ୍ମିତା, ମନୀଷା, ପ୍ରତିମା, ଶୁଭଶ୍ରୀ, ରାକେଶ, ପଞ୍ଚାନନ, ମୋନାଲିସା, ସୁଦୀପ୍ତ, ଭବାନୀ, ସୁରଜ, ସ୍ବାଗତିକା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ସଂଧ୍ୟାରେ ଅତିଥି ଭାବେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ଶିକ୍ଷାବିତ୍‌ ଅଜୟ ମହାନ୍ତି ଓ ଶିଶିର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କମଲ କିରନ୍‌ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର