କଟକ: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ରୋକିବା ପାଇଁ ସରକାର ନିୟମ ପ୍ରଣୟନ କରୁଛନ୍ତି। କିନ୍ତୁ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ବଢୁଛି। କଟକ ଜିଲ୍ଲାରେ ୨୦୨୩ରେ ୪୮୨ଟି ସଡ଼କ ଦୁର୍ଘଟଣା ହୋଇଥିଲା ବେଳେ ୨୦୨୪ରେ ୪୯୦ ଓ ଚଳିତ ବର୍ଷ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ୩୫୨ଟି ଦୁର୍ଘଟଣା ଘଟିଛି। ବର୍ଷ ଶେଷ ହେବାକୁ ଆଉ ୪ମାସ ଥିବାରୁ ଗତବର୍ଷର ସଂଖ୍ୟାକୁ ଅତିକ୍ରମ କରିଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଆଜି ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି।
ଦୁର୍ଘଟଣା ଯୋଗୁଁ ୨୦୨୩ରେ ୨୧୪ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୧୭ଜଣ ଗୁରୁତର ଆହତ ହୋଇଥିଲେ। ୨୦୨୪ରେ ମୃତକଙ୍କ ସଂଖ୍ୟା ୨୩୯କୁ ବଢ଼ିଯାଇଥିଲା। ଗୁରୁତର ଆହତଙ୍କ ସଂଖ୍ୟା ୩୪୮ରେ ପହଞ୍ଚିଯାଇଥିଲା। ଚଳିତ ବର୍ଷ ପ୍ରଥମ ୮ମାସରେ ୧୬୯ଜଣଙ୍କ ମୃତ୍ୟୁ ହୋଇଛି ଓ ୨୦୪ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଚଳିତ ବର୍ଷ ଟାଙ୍ଗୀ ଥାନା ଅଞ୍ଚଳରେ ସର୍ବାଧିକ ୩୩ଟି ଦୁର୍ଘଟଣା ରେକର୍ଡ ହୋଇଥିଲା ବେଳେ ସର୍ବାଧିକ ୨୧ଜଣଙ୍କ ମୃତ୍ୟୁ ହୋଇଛି। ଏହାବାଦ୍ ଜଗତପୁରରେ ୩୧ଟି, ବାରଙ୍ଗରେ ୨୧, ଚୌଦ୍ବାରରେ ୨୦, ସାଲେପୁର ଥାନା ଅଞ୍ଚଳରେ ୧୯ଟି ଦୁର୍ଘଟଣା ହୋଇଛି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ଟାଙ୍ଗୀ ପଛକୁ ଜଗତପୁର (୧୭), କଟକ ସଦର (୧୫), ସାଲେପୁର (୧୦), ଚୌଦ୍ବାର (୧୦), ବାରଙ୍ଗ (୯) ରହିଛି।
ଚଳିତ ବର୍ଷ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ମଦ୍ୟପାନ କରି ୧୮୮ଜଣ ଧରାପଡ଼ିଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୧୧ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଓଭର ସ୍ପିଡ୍ ଗାଡ଼ିଚାଳନା କରି ୧୩୮୨୯ଜଣ ଧରାପଡ଼ିବା ସହ ୧୫ଲକ୍ଷ ୪୯ହଜାର ୨୩୩ଟଙ୍କା ଜରିମାନା ଦେଇଛନ୍ତି ଓ ୧୫୨୯ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି। ସେହିପରି ଓଭରଲୋଡିଂ କରିଥିବା ୩୩୬ ଗାଡ଼ିରୁ ୧୬ ଲକ୍ଷ ୩୧ ହଜାର ୧୯୨ଟଙ୍କା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରିଥିବା ୩୬୮ଗାଡ଼ିରୁ ୧ଲକ୍ଷ ୨୫ହଜାର ଟଙ୍କା, ଡ୍ରାଇଭିଂ ବେଳେ ମୋବାଇଲ୍ ବ୍ୟବହାର କରିଥିବା ୩୭୬ଜଣଙ୍କଠୁ ଲକ୍ଷେ ଟଙ୍କା, ବିନା ହେଲ୍ମେଟ୍ରେ ଗାଡ଼ି ଚଲାଇଥିବା ୪୪୬୨ଜଣଙ୍କଠାରୁ ୩ଲକ୍ଷ ୭୩ହଜାର ଟଙ୍କା, ବିନା ସିଟ୍ବେଲ୍ଟ ଲଗାଇ ଡ୍ରାଇଭିଂ କରିଥିବା ୧୩୦ଜଣଙ୍କଠୁ ୧୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଅବଧି ମଧ୍ୟରେ ମୋଟ ୨୦୦୮୦ ଜଣଙ୍କଠୁ ୩୭ଲକ୍ଷ ୮୮ହଜାର ୪୨୫ଟଙ୍କା ଜରିମାନା ଆଦାୟ ହୋଇଥିଲା ବେଳେ ୧୮୩୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି।
ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଡ଼କ ସୁରକ୍ଷା ହ୍ରାସ କରିବାକୁ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ବେଆଇନ୍ ପାର୍କିଂ ବିରୋଧରେ ପ୍ରଥମେ ସଚେତନତା ସୃଷ୍ଟି କରାଯାଇ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପାର୍ବଣ ସମୟରେ ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦର୍ଶନ କରାଯିବ। ଏହାବାଦ୍ ରାହବୀରମାନଙ୍କ ପୁରସ୍କାର ରାଶି ୨୫ହଜାର ଟଙ୍କାକୁ ବୃଦ୍ଧି ପାଇଥିବାରୁ ଡାକ୍ତରମାନେ ଯେପରି ଏମାନଙ୍କ ନାମ ପଠାଇବାରେ କୌଣସି ହେଳା ନ କରନ୍ତି, ସେ ଦିଗରେ ସିଡିଏମ୍ଓ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।