‘ଅଳସୀ ବଉଦ’ ମନେ ପକାଇଦିଏ ପଲ୍ଲୀ ଦୁନିଆ ପ୍ରେମ

ଭୁବନେଶ୍ୱର: ଗୀତ ଯେତବେଳେ କଥା କୁହେ, ସେତେବେଳେ ଆଉ କିଛି କହିବାର ନ ଥାଏ। ‘ଅଳସୀ ବଉଦ’ର ସମସ୍ତ ଗୀତ ଶୁଣିଲା ପରେ ପୁରୁଣା ଆକାଶବାଣୀରେ ପ୍ରସାରିତ ହେଉଥିବା ସଜଫୁଲ କାର୍ଯ୍ୟକ୍ରମ କଥା ମନେ ପଡ଼ିଯାଏ। ଆଜିକାଲିର ଗୀତରେ ଆଉ ସେ ମହକ ନାହିଁ। ଅନେକ ଶସ୍ତା ସଙ୍ଗୀତକୁ ଲୋକମାନେ ଆପଣାଇ ନେଇଛନ୍ତି। ଆଜିର ସଙ୍ଗୀତଗୁଡ଼ିକ ସହର ସହର ବାସୁଛି। କିନ୍ତୁ ‘ଅଳସୀ ବଉଦ’ ସିଡିର ପ୍ରତ୍ୟେକ ଗୀତ ପଲ୍ଲୀ ଦୁନିଆକୁ ନେଇଯିବ। ରାମନବମୀ ଅବସରରେ ଜୟଭାରତ ଭବନରେ ‘ଅଳସୀ ବଉଦ’ ସିଡିର ଉନ୍ମୋଚନ ଅବସରରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଥାକାର ଦାଶ ବେନୁହର ଓ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ କହିଥିଲେ, ଭଲ ସଙ୍ଗୀତକୁ ବୁଝିବାକୁ ପଡ଼େ ନାହିଁ। ଏହା ସହଜରେ ହୃଦୟକୁ ଛୁଇଁଯାଏ। ସଙ୍ଗୀତ ଯେତବେଳେ ଆପଣା ଛାଏଁ ମନକୁ ଆସିଯାଏ, ସେତେବେଳେ ଜାଣିବେ ଆପଣଙ୍କ ସଙ୍ଗୀତ ସଫଳ ହୋଇଛି। ମେଘ ବର୍ଷିବା ସମୟରେ ଅଳସୀ ହୋଇଥାଏ। ବଉଦର ବିଭିନ୍ନ ରଙ୍ଗ, ବଉଦ ପରି ସଙ୍ଗୀତ ସର୍ବଦା ରଙ୍ଗ ପରିବର୍ତ୍ତନ କରି ଲୋକଙ୍କୁ ଆକୃଷ୍ଟ କରିଥାଏ। ସଂଯୁକ୍ତା ମହାରଣାଙ୍କ ଦ୍ୱାରା ପ୍ରଯୋଜିତ ‘ଅଳସୀ ବଉଦ’ରେ ଗୀତ ଲେଖିଛନ୍ତି ଘନବିହାରୀ ମହାରଣା ଓ ସ୍ନେହଲତା ପୃଷ୍ଟି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଧର ବେହେରା ଓ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଓ ବିଷ୍ଣୁମୋହନ କବି। ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦେବାଶିଷ ମହାପାତ୍ର।

ସମ୍ବନ୍ଧିତ ଖବର