ସମ୍ବାଦ ପ୍ରଭାବ: ଆଲବମ୍‌ ନାୟିକା ରିଙ୍କିଙ୍କୁ ସହାୟତାର ସୁଅ

ଭୁବନେଶ୍ବର: ଆଲବମ୍‌ ନାୟିକା ରିଙ୍କିକୁ ବଢ଼ିଛି ସହାୟତାର ହାତ। ଗୁରୁବାର ‘ସମ୍ବାଦ’ରେ ରିଙ୍କିଙ୍କ ଦୟନୀୟ ଅବସ୍ଥା ବାବଦରେ ଖବର ପ୍ରକାଶ ପରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସୂତ୍ରରୁ ସହାୟତା ଯୋଗାଇ ଦିଆଯାଇଛି। କିଏ ତାଙ୍କୁ ଚାକିରି ପାଇଁ ସୁଯୋଗ ଦେବାକୁ କହିଛନ୍ତି ତ ଆଉ କେହି ବାପା ମା’ଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ତୁଲାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ରିଙ୍କି ଓରଫ ପ୍ରତିଭା ମହାରଣା ସଂପ୍ରତି ‘ସ୍ବପ୍ନ ମହଲ’ ଯାତ୍ରା ଦଳରେ ପାର୍ଶ୍ବ ନାୟିକା ଭାବେ ସାମିଲ୍‌ ହୋଇଥିଲେ ହେଁ ଯାତ୍ରା ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯିବା ପରେ ତାଙ୍କ ପରିବାର ଉପରେ ଚଡ଼କ ପଡ଼ିଛି। ଏକମାତ୍ର ରୋଜଗାରିଆ ଝିଅ ଭାବେ ରିଙ୍କି ତାଙ୍କ ବୃଦ୍ଧ ରୋଗିଣା ପିତାମାତାଙ୍କ ଦାୟିତ୍ବ ସହ ପରିବାରର ଭାର ସମ୍ଭାଳୁଥିଲେ। ଯାତ୍ରାରୁ ଯେତିକି ଆୟ ହେଉଥିଲା, ମାସକୁ ବାପା ଓ ମା’ଙ୍କ ଔଷଧ ଖର୍ଚ୍ଚ ବାବଦରେ ୯-୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଯାଉଥିଲା। ଏତଦ୍‌ବ୍ୟତୀତ ତାଙ୍କ ମା’ ବାରମ୍ବାର ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ଯୋଗୁଁ ବହୁ ଅର୍ଥ ସର୍ବସ୍ବାନ୍ତ ହେବାକୁ ପଡ଼ିଛି। ଏଣେ ଯାତ୍ରା ବନ୍ଦ ହୋଇଯିବା ପରେ ହାତରୁ ଟଙ୍କା ସରି ଯିବାରୁ ପରିବାର ପ୍ରତିପୋଷଣ ପାଇଁ ସେ ଟାଟା ଏରିଆନା ଛକରେ ଫଳ ଦୋକାନ କରି ଗୁଜରାଣ ମେଣ୍ଟାଇବାକୁ ଅଣ୍ଟା ଭିଡ଼ିଥିଲେ। ମାତ୍ର ଫଳ ବ୍ୟବସାୟ ଭଲ ନଚାଲିବାରୁ ସେ ଦୁଶ୍ଚିନ୍ତାରେ ଥିଲେ। ଏନେଇ ଖବର ପ୍ରସାରଣ ପରେ ତାଙ୍କୁ ବିଭିନ୍ନ ସୂତ୍ରରୁ ସହାୟତା ଯୋଗାଇ ଦିଆଯାଇଛି।

ଅଭିନେତା ସବ୍ୟସାଚୀ ମିଶ୍ର ରିଙ୍କିଙ୍କ ପରିବାରକୁ ୨ମାସର ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଯେପର୍ଯ୍ୟନ୍ତ କରୋନା ସ୍ଥିତିରେ ସୁଧାର ନ ଆସିଛି, ସେପର୍ଯ୍ୟନ୍ତ ରାସନ୍ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏଥିସହ ରିଙ୍କିଙ୍କ ବାପା ମା’ଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ କିଛି ଆର୍ଥିକ ସହାୟତା ଦେଇଛନ୍ତି। ସବ୍ୟସାଚୀଙ୍କୁ ରିଙ୍କିଙ୍କ ବାପା ଏନେଇ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ତୁମେ ସବ୍ୟସାଚୀର ଅର୍ଥ (ଅର୍ଜୁନ)କୁ ସାକାର କରିଛ। ପ୍ରବାସୀମାନଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇ ଆଣିବାରେ ଯୋଗସୂତ୍ର ସାଜିଥିବା ବେଳେ ସେଥିରେ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ସାରଥୀ ସାଜିଛନ୍ତି। ତୁମର ମହତ୍‌ ଉଦ୍ଦେଶ୍ୟ ପାଇଁ ଏସବୁ ସମ୍ଭବ ହୋଇପାରୁଥିବା ରିଙ୍କିଙ୍କ ବୃଦ୍ଧା ବାପା ସବ୍ୟସାଚୀଙ୍କୁ କହିଥିଲେ। ସବ୍ୟସାଚୀ ‘ସମ୍ବାଦ’କୁ ଧନ୍ୟବାଦ ଜଣାଇବା ସହ ରିଙ୍କିଙ୍କୁ କହିଛନ୍ତି, ଯଦି କିଛି ଅଧିକ ସହାୟତା ରାଶି ମିଳେ ତେବେ ସେ ମଧ୍ୟ ଅନ୍ୟ ଅସହାୟମାନଙ୍କୁ ସହଯୋଗ କରିବେ। ରିଙ୍କି ବି ସବ୍ୟସାଚୀଙ୍କ ଏହି କଥାରେ ସମ୍ମତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର