ଚନ୍ଦ୍ରଶେଖରପୁର: ଆଲବମ୍‌ରେ ନାୟକ ନାୟିକା ଭୂମିକାରେ ଅଭିନୟ କରୁକରୁ ପ୍ରେମ ହୋଇଗଲା। ଗୁମ୍‌ସୁମ୍‌ ପ୍ରେମ ଧୀରେଧୀରେ ନିବିଡ଼ ହେବାରେ ଲାଗିଲା। ଏମିତିକି କଥା ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ପହଞ୍ଚିଗଲା। ମାତ୍ର ଏହାପରେ ସେମାନଙ୍କ ପ୍ରେମରେ ପଡ଼ିଲା ଭଟ୍ଟା। ରିଲ୍‌ ନାୟିକା ପ୍ରେମିକର ଜୀବନ ନାୟିକା ହେବାକୁ ଚାହୁଥିବା ବେଳେ ଧୋକାଦେଲା ପ୍ରେମିକ। ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟକରି ପ୍ରେମିକାର ଅଶ୍ଳୀଳ ଭିଡିଓକୁ ଭାଇରାଲ୍‌ କରିଦେଲା। ଏମିତି ଏକ ଅଭିଯୋଗକୁ ନେଇ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଟଣୀର ବିକି ବାରିକ(୨୩)କୁ ଗିରଫ କରିଛି। ତା’ଠାରୁ ମୋବାଇଲ୍‌ ଜବତ କରାଯାଇଛି ଏବଂ ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।   

Advertisment

ବିକି ଓ ଅଭିଯୋଗକାରିଣୀ ଆଲବମ୍‌ରେ କାମ କରନ୍ତି। ସେମାନେ ପ୍ରାୟ ୨୦ରୁ ଅଧିକ ଆଲବମ୍‌ରେ ନାୟକ ନାୟିକା ଭୂମିକାରେ ଏକାଠି ଆସିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ ସେମାନେ ପରସ୍ପରକୁ ଭଲ ପାଇବସିଥିଲେ। ମାତ୍ର ବିକି ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ତେଣୁ ଅତିଷ୍ଠ ହୋଇ ସେ ବିକି ନିକଟରୁ ଦୂରେଇ ଯିବା ଆରମ୍ଭ କରିଥିଲେ। ବିବାହ ନ କରି ଶାରୀରିକ ସମ୍ପର୍କ ରଖିବାକୁ ରୋକ୍‌ଠୋକ ମନା କରି ଯୁବତୀ ଦୂ‌ରେଇ ରହୁଥିଲେ। ମାତ୍ର ବିକି ତାଙ୍କୁ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବ ବୋଲି ବ୍ଲାକ୍‌ମେଲ୍‌ କରୁଥିଲା। ଭୟରେ ଯୁବତୀ ବିକି ସହ ପୁଣି ମିଳାମିଶା କରିଥିଲେ ଏବଂ ବାହା ହେବାକୁ ଅଡ଼ି ବସିଥିଲେ। କିନ୍ତୁ କ୍ୟାରିୟର୍‌ ପାଇଁ ବିକି ବାହା ହେବାକୁ ମନା କରିଦେଇଥିଲା। ତେଣୁ ଯୁବତୀ ଆଉ ବିକି ସହ ମିଳାମିଶା କରିନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିକି ଯୁବତୀଙ୍କ ଏକ ଅଶ୍ଳୀଳ ଭିଡିଓ(ଭିଡିଓ ଚାଟିଂ ବେଳର) ଭାଇରାଲ୍‌ କରିଦେଇଥିଲା।