ଆଲବମ୍ ଅଭିନେତା ପପୁ ମୃତ୍ୟୁ ମାମଲା : ୧୦ ବର୍ଷ ବିତିଗଲା ଖୋଲିଲାନି ରହସ୍ୟ

ଭୁବନେଶ୍ବର : ୨୦୦୮ ମାର୍ଚ ମାସର ୨୨ ତାରିଖ। ରଙ୍ଗର ପର୍ବ ହୋଲିରେ ମାତିଥିଲା ସାରା ରାଜଧାନୀ। ଠିକ ଏତିକିବେଳେ ହଠାତ ସନ୍ଦେହଜନକ ଅବସ୍ଥାରେ ପ୍ରସିଦ୍ଧ ଆଲବମ ଅଭିନେତା ପପୁ ଓରଫ୍ ଚନ୍ଦ୍ରକାନ୍ତ ସାହୁଙ୍କ ମୃତ୍ୟୁ ଖବର ମିଳିଥିଲା। ଚାହୁଁ ଚାହୁଁ ବିଜୁଳି ବେଗରେ କଥା ବ୍ୟାପୀ ଯାଇଥିଲା ସାରା ରାଜ୍ୟକୁ। କେମିତି ଓ କେଉଁ ପରିସ୍ଥିତିରେ ପପୁଙ୍କ ମୃତ୍ୟୁ ଘଟିଲା ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଫିଲ୍ମ ଓ ଆଲବମ୍ ଜଗତଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପପୁଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହୋଇଥିଲା। କିଏ କହିଲା ପପୁଙ୍କୁ ହତ୍ୟା କରାଯାଇଛି ତ ଆଉ କିଏ କହିଥିଲା ପପୁ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ପପୁଙ୍କ ପରିବାର ଲୋକ ପୁଅର ଏଭଳି ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନ ଥିଲେ। କଥା କ୍ରାଇମ ବ୍ରା‌ଞ୍ଚ ତଦନ୍ତ ପର୍ଯ୍ୟନ୍ତ ଗଲା। ଏବେ ଏହି ବହୁ ଚର୍ଚିତ ଘଟଣାକୁ ୧୦ ବର୍ଷରୁ ଅଧିକ ଦିନ ହୋଇ ଗଲାଣି। କିନ୍ତୁ ଏଯାଏ ସେହି ରହସ୍ୟମୟ ଘଟଣାର ପୁଲିସ କିମ୍ବା କ୍ରାଇମ ବ୍ରାଞ୍ଚ କେହି ପର୍ଦାଫାସ କରିବାକୁ ସକ୍ଷମ ହୋଇ ପାରି ନାହାନ୍ତି। କମିସନରେଟ ପୁଲିସ ଓ କ୍ରାଇମ ବ୍ରାଞ୍ଚର ବଛାବଛା ଅଫିସରମାନେ ଏହି ମୃତ୍ୟୁ ଘଟଣାର ତଦନ୍ତ କରି ଫେଲ ମାରିଛନ୍ତି। କାହିଁକି ଓ କେଉଁଠି ଅଟକି ଗଲା କ୍ରାଇମ ବ୍ରାଞ୍ଚ ଓ କମିସନରେଟ ପୁଲିସର ତଦନ୍ତ

ଘଟଣାର ପ୍ରଚ୍ଛଦପଟ୍ଟ
ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ପୁରୁଣା ଭୁବନେଶ୍ବର ଗୋସାଗେଶ୍ବର କୁଞ୍ଚପାଟଣା ସାହି। ସାହିର ଏକ ଘରେ ପପୁ ଭଡ଼ାରେ ରହୁଥିଲେ। ଭୋରରୁ ପପୁ ସେହି ଘରେ ଫ୍ୟାନରେ ଝୁଲି ଥିବା ଘର ମାଲିକଙ୍କ ସମେତ ଅନ୍ୟମାନେ ଦେଖିବାକୁ ପାଇଥିଲେ। ଫ୍ୟାନରୁ ପପୁଙ୍କୁ କାଢ଼ି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପପୁ ଜଣେ ଆଲବମ ଅଭିନେତା ହୋଇଥିବାରୁ ପୁଲିସ ତୁରନ୍ତ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହ ଭିତରେ ଭର୍ତି କରି ଦେଇଥିଲା। ଖବର ପାଇ ପପୁଙ୍କ ପରିବାର, ସମ୍ପର୍କୀୟ, ଆଲବମ ଓ ଫିଲ୍ମ ଜଗତର ଅନେକ କଳାକାର ହସ୍ପିଟାଲରେ ଭିଡ଼ ଜମାଇଥିଲେ। ଧୀରେ ଧୀରେ ହସ୍ପିଟାଲ ଲୋକାରଣ୍ୟ ହୋଇ ଉଠିଥିଲା। ଏହା ମଧ୍ୟରେ ପୁଲିସ ଶବ ବ୍ୟବଚ୍ଛେଦ ଶେଷ କରିଥିଲା।

ପ୍ରେମ ସମ୍ପର୍କ ହେଲା କାଳ!

ପୁପଙ୍କର ସାମନ୍ତରାପୁର ଅଞ୍ଚଳରେ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଥିଲା। ଏହି ସମୟରେ ତାଙ୍କର ବିବାହ ସତ୍ୟଭାମା ସାହୁଙ୍କ ସହିତ ପରିବାରର ପସନ୍ଦ ମୁତାବକ ହୋଇଥିଲା। ତେବେ ପପୁଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ସୁ ସମ୍ପର୍କ ଥିଲା ବୋଲି ଚର୍ଚା ହେଉଥିଲା। ଯେଉଁ କାରଣରୁ ପପୁ ବିଭିନ୍ନ ସମୟରେ ମାନସିକ ଅଶାନ୍ତିରେ ରହୁଥିଲେ। ଏହା ଛଡ଼ା କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ କାରବାର ମଧ୍ୟ କ୍ଷତିରେ ଚାଲିଥିଲା। ବିଭିନ୍ନ ସ୍ଥାନରୁ ପପୁ ହାତ ଉଧାରି ଓ ଋଣ କରିଥିଲେ। ଯାହାକୁ ସେ ପରିଶୋଧ କରି ପାରି ନ ଥିଲେ। ଏଥିପାଇଁ ବିଭିନ୍ନ ସମୟରେ ତାଙ୍କୁ ଧମକ ଚମକ ମିଳୁଥିଲା ମଧ୍ୟ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିଲେ ବୋଲି ସେତେବେଳେ ଚର୍ଚା ହୋଇଥିଲା। ପପୁଙ୍କ ନିଜ ଘର ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଧୀନ ବନମାଳିପୁର ଅଞ୍ଚଳରେ ହୋଇଥିବାବେଳେ ପୁପୁ କାହିଁକି ଭୁବନେଶ୍ବରରେ ରହୁଥିଲେ ତାକୁ ନେଇ ଆଲୋଚନା ଜୋର ଧରିଥିଲା।

ପରିବାର ଲୋକ ଆଣିଥିଲେ ହତ୍ୟା‌ ଅଭିଯୋଗ
ପପୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବଡ଼ ଭାଇ ଶୁଭକାନ୍ତ ସାହୁ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ ଘଟଣା ଦିନ ପୂର୍ବ ରାତି‌ରେ ସେ ସାନ ଭାଇଙ୍କ ସହିତ ମୋବାଇଲ ଫୋନରେ କଥା ହେଉଥିଲେ। ଏହା ଛଡ଼ା ତାଙ୍କ ପରିବାର ଲୋକଙ୍କୁ ବିଳମ୍ବରେ ଖବର ଦିଆଯାଇଥିଲା। ଶୁଭକାନ୍ତଙ୍କ ଅଭିଯୋଗ ଥିଲା ତାଙ୍କ ଭାଇଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନ୍‌ରେ ଝୁଲାଇ ଦିଆଯାଇଥିଲା। ଶବ ବ୍ୟବଚ୍ଛେଦବେଳେ ମଧ୍ୟ ପପୁଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନା ଥିବା ପରିବାର ଲୋକ ଅଭିଯୋଗ କରିଥିଲେ। କିନ୍ତୁ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଫାଲଇ ବନ୍ଦ କରି ଦେଲା କ୍ରାଇମ୍‌ ବ୍ରାଞ୍ଚ
ତେବେ ପପୁଙ୍କ ମୃତ୍ୟୁକୁ ନେଇ ତୁମ୍ବି ତୁଫାନ ହେବା ପରେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦେଶ ହୋଇଥିଲା। କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଆଉ ତଥ୍ୟ କିମ୍ବା ପ୍ରମାଣ ଯୋଗାଡ଼ କରି ପାରି ନ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସ୍ପଷ୍ଟ ନ ଥିଲା। ବଡ଼ କଥା ହେଉଛି ସେହି ସମୟରେ ପପୁଙ୍କ ପରିବାର ଲୋକ ଆଉ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ସହଯୋଗ କରି ନ ଥିଲେ। ଫଳରେ ଘଟଣା ଧୀରେ ଧୀରେ ଦବି ଯାଇଥିଲା। ଶେଷରେ କ୍ରାଇମ ବ୍ରାଞ୍ଚ ତଥ୍ୟ ଓ ପ୍ରମାଣ ଅଭାବରୁ ଫାଇଲଟିକୁ ବନ୍ଦ କରି ଦେଇଛି। ଫଳରେ ଜଣେ ସୁଖ୍ୟାତ ଆଲବମ ଅଭିନେତାଙ୍କ ମୃତ୍ୟୁ ରହସ୍ୟ ସେମତି ରହସ୍ୟମୟ ହୋଇ ରହିଗଲା। ଆଉ ମାସକ ପରେ ଏହି ଘଟଣାକୁ ୧୧ ବର୍ଷ ହୋଇ ଯିବ। କିନ୍ତୁ ଏଯାଏ ଏହି ଚର୍ଚିତ ଘଟଣା ସାଧାରଣ ଲୋକଙ୍କ ମନରୁ ଲିଭିନାହିଁ।

କ’ଣ କୁହନ୍ତି ପୁପଙ୍କ ବାପା
ପୁଅ ଯେଉଁ ଘରେ ଭଡ଼ାରେ ରହୁଥିଲା, ସେହି ଘରର ମାଲିକ ଉପରେ ମୋର ସନ୍ଦେହ ଥିଲା। ଯେତେଥର ପୁଲିସ ଓ କ୍ରାଇମ ବ୍ରାଞ୍ଚକୁ ସେହି ଘର ମାଲିକଙ୍କୁ ବାରମ୍ବାର ଜେରା କରିବାକୁ କହିଥିଲେ ମଧ୍ୟ କେହି ମୋ କଥାକୁ ଶୁଣି ନ ଥିଲେ। ନ୍ୟାୟ ନ ପାଇ ପୁଅକୁ ପ୍ରତ୍ୟେକ ଦିନ ଝୁରି ହେଉଛି। ଯେଉଁମାନେ ମୋ ପୁଅକୁ ମାରିଛନ୍ତି ସେମାନଙ୍କୁ ଭଗବାନ ନିଶ୍ଚିତ ଭାବେ ଦଣ୍ଡ ଦେବ ବୋଲି ପପୁଙ୍କ ବାପା ଆରତ ସାହୁ କହିଛନ୍ତି।

ମୋ‌ତେ ନ୍ୟାୟ ମିଳୁ
ବିବାହର ମାତ୍ର କିଛି ମାସ ମଧ୍ୟରେ ଏଭଳି ଅଘଟଣ ଘଟିଗଲା। ଯାହା ମୋ ଜୀବନ ପାଇଁ ଏକ ଶକ୍ତ ଧକ୍‌କା। ତେଣୁ ମୋତେ ନ୍ୟାୟ କେମିତି ମିଳିବ ମୁଁ ସେହି ବାଟକୁ ଚାହିଁ ବସିଛି ବୋଲି କହିଛନ୍ତି ପପୁଙ୍କ ପତ୍ନୀ ସତ୍ୟଭାମା ସାହୁ।

ସମ୍ବନ୍ଧିତ ଖବର