ବାଲିପାଟଣା: ଡ୍ୟୁଟି ବେଳେ ମଦ ପିଇ ରୋଗୀଙ୍କୁ ଦୁର୍ବ୍ୟବହାର କରିବା ଡାକ୍ତରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ରୀମୟ ମିଶ୍ରଙ୍କୁ କେନ୍ଦୁଝର ବଦଳି କରାଯାଇଛି। ଡାକ୍ତର ମିଶ୍ରଙ୍କ ବିରୋଧରେ ବାରମ୍ବାର ଏଭଳି ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଜିଲ୍ଲା ପାର୍ ବଦଳି କରାଯାଇଛି ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ଜାନୁଆରି ମାସରେ ଦିନେ ରାତି ପ୍ରାୟ ୧୧ ଟା ବେଳେ କୁଳନ୍ତିରା ଗ୍ରାମର ସମ୍ବିତ ରାୟ ଓ ତାଙ୍କ ପତ୍ନୀ ଜ୍ୱରରେ କମ୍ପୁଥିବା ଶିଶୁପୁତ୍ରକୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେତେବେଳେ ଡାକ୍ତର ମିଶ୍ରଙ୍କ ରାତି ଡ୍ୟୁଟି ଥିଲା। କିନ୍ତୁ ସେ ମଦ ପିଇ ଗୋଟିଏ ରୁମ୍ରେ ଶୋଇଥିଲେ। ସମ୍ବିତ ବହୁ ସମୟ ଧରି କବାଟ ବାଡ଼େଇବା ପରେ ଡାକ୍ତର ମିଶ୍ର କବାଟ ଖୋଲିଥିଲେ। କିନ୍ତୁ ମଦ ନିଶାରେ ଟଳମଳ ହେଉଥିଲେ। ସମ୍ବିତ ତାଙ୍କ ଶିଶୁପୁତ୍ରକୁ ଦେଖିବାକୁ କହିବାରୁ ସେ ରାଗରେ ସେମାନଙ୍କୁ ଗାଳିମନ୍ଦ କରିଥିଲେ। ତେଣୁ ଶୀତ ରାତିରେ ଜ୍ବରରେ କମ୍ପୁଥିବା ଶିଶୁକୁ ଧରି ସମ୍ବିତ ବାଳକାଟି ହସ୍ପିଟାଲକୁ ଯାଇଥିଲେ। ପରଦିନ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରାଙ୍କୁ ଅଭିଯୋଗ କରିବା ସହ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ।