ଭୁବନେଶ୍ବର: ବିଷାକ୍ତ ମଦ ପିଇ ବଡ଼ଗଡ଼ ଥାନା ଅଞ୍ଚଳର ବିଶ୍ବଜିତ ବେଉରା ଓ ସ‌ନ୍ତୋଷ ନାୟରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ଖଣ୍ଡନ କରିଛି ଅବକାରୀ ବିଭାଗ। ମୃତକଦ୍ବୟ ରୋଗାକ୍ରାନ୍ତ ଥିଲେ ବୋଲି ମେଡିକାଲ୍‌ ରିପୋର୍ଟ ଆଧାରରେ କୁହାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ୍‌ ଏହି ମୃତ୍ୟୁ ପଛର କାରଣ ସ୍ପଷ୍ଟ କରିଛନ୍ତି। ବିଶ୍ବଜିତ ଯକୃତ ସମସ୍ୟା ସହ ହେପାଟାଇଟ୍‌ସ ଓ ଜଣ୍ଡିସ୍‌ ପୀଡ଼ିତ ଥିଲେ। ସେହିଭଳି ସନ୍ତୋଷ ଉଚ୍ଚ ମଧୁମେହ ଓ କ୍ରୋନିକ୍‌ ଫିଭର୍‌ରେ ଆକ୍ରାନ୍ତ ଥିଲେ। ପରୀକ୍ଷା ପାଇଁ ପଠାଯାଇଥିବା ମଦ ନମୁନାର ରିପୋର୍ଟ ଆସିନଥିଲେ ହେଁ ମୃତକଦ୍ବୟଙ୍କ ମେଡିକାଲ୍‌ ରିପୋର୍ଟକୁ ନେଇ ଅବକାରୀ ଅଧୀକ୍ଷକ ଶ୍ରୀ ପଟେଲ୍‌ ଏହି ସୂଚନା ଦେଇଛନ୍ତି। 
ସେ ଆହୁରି ମଧ୍ୟ କହିଛନ୍ତି ଯେ ୪ ତାରିଖରେ ସେମାନେ ଭୋଜିଭାତ କରି ମଦ ପିଇଥିଲେ। ୧୨ ତାରିଖରେ ସନ୍ତୋଷଙ୍କର ଏବଂ ୧୭ ତାରିଖରେ ବିଶ୍ବଜିତଙ୍କର ମୃତ୍ୟୁ ହୋଇଥିଲା। ବିଷାକ୍ତ ମଦ ହୋଇଥିଲେ, ୨୪ ଘଣ୍ଟାରେ ସେମାନେ ଅସୁସ୍ଥ ହୋଇପଡ଼ିବା କଥା। ଏମିତିକି ଆଖିକୁ ଦେଖାଯିବା କଥା ନୁହେଁ। ମାତ୍ର ସେଭଳି କିଛି ଘଟିନାହିଁ। ଏସବୁ ବାଦ୍‌ ସେମାନଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ପୁଲିସରେ ଅଭି‌ଯୋଗ କରାଗଲା ନାହିଁ। ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ନ କରାଇ ଅନ୍ତିମ ସଂସ୍କାର କରିଦେଲେ। ତଥାପି ଅଭିଯୋଗ ପାଇବା ପରେପେରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯେଉଁ ମଦ ଦୋକାନରୁ ସେମାନେ କିଣିଥିଲେ, ତାହାକୁ ସିଲ୍‌ କରାଯାଇଛି। ଯେଉଁ ମଦ ଉପରେ ସନ୍ଦେହ କରାଯାଇଛି, ତାହାର ନମୁନା ପରୀକ୍ଷା ପାଇଁ ଲାବ୍‌କୁ ପଠାଯାଇଛି। ମଦ ନମୁନାର ପରୀକ୍ଷା ରିପୋର୍ଟ ମିଳିବା ପରେ ଏହି ସନ୍ଦେହ ଉପରୁ ପୂରା ପରଦା ହଟିଯିବ ବୋଲି ସେ କହିଛନ୍ତି।