ଚେତିଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ, ହସ୍ପିଟାଲ ଅଧିକାରୀଙ୍କ ରାତିଅଧିଆ ଚେକିଂ

ଭୁବନେଶ୍ୱର: ଠିକା ସଂସ୍ଥା ଠକିନେବା ପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଠିକା ସଂସ୍ଥାର କର୍ମଚାରୀଙ୍କ ସଂଖ୍ୟା ଓ ସେମାନେ ଠିକ୍‌ରେ କାର୍ଯ୍ୟ କରୁଛନ୍ତି କି ନାହିଁ, ପରଖିବା ପାଇଁ ହସ୍ପିଟାଲରେ ରାତିଅଧିଆ ଚେକିଂ ଆରମ୍ଭ ହୋଇଛି। ଯେଉଁ କର୍ମଚାରୀ କାର୍ଯ୍ୟରେ ଅବହେଳା କରୁଥିବା ନଜରକୁ ଆସୁଛି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଜଣାପଡ଼ିଛି।

ଗୁରୁବାର ରାତି ପ୍ରାୟ ୧୧ଟାରେ ହସ୍ପିଟାଲ ଉପ-ଅଧୀକ୍ଷକ ଧନଞ୍ଜୟ ଦାସ ହସ୍ପିଟାଲରେ ପରିଦର୍ଶନରେ ପହଞ୍ଚିଥିଲେ। କିଛି ଝାଡୁଦାର ଶୋଇଥିବା ବେଳେ ସୁରକ୍ଷାକର୍ମୀ ଅନ୍ୟ କିଛି କର୍ମଚାରୀଙ୍କ ସହ ଗୁଲିଗପ କରୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଅନ୍ୟ ବିଭାଗକୁ ପଠାଇବା ସହ ଭବିଷ୍ୟତରେ ଏପରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏବେ ପ୍ରତିଦିନ ହସ୍ପିଟାଲର ଅଧିକାରୀମାନେ କର୍ମଚାରୀମାନଙ୍କ ଉପରେ ନଜର ରଖିବା ପାଇଁ ରାତିଅଧିଆ ଚେକିଂ କରାଯିବ ବୋଲି ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ଲୋକମାନଙ୍କ ସେବାରେ ଅବହେଳା କରୁଥିବା କର୍ମଚାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏପରିକି କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀମାନେ ସଜାଗ ହୁଅନ୍ତି ନଚେତ୍ ଚାକିରି ଛାଡ଼ି ଦିଅନ୍ତୁ ବୋଲି ନିର୍ଦ୍ଦେଶକ ଡା.ସାହୁ ରୋକଠୋକ୍ ଶୁଣାଇ ଦେଇଛନ୍ତି।

ଦୁର୍ବ୍ୟବହାର ଅଭିଯୋଗରେ ମହିଳାଙ୍କୁ ବହିଷ୍କାର ପାଇଁ ଠିକା ସଂସ୍ଥାକୁ ଚିଠି ଲେଖିଲେ ନିର୍ଦ୍ଦେଶକ

ସେହିପରି ହସ୍ପିଟାଲର ବହିର୍ବିଭାଗରେ ଡାକ୍ତରଙ୍କୁ ଦେଖାଇବା ସମୟ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏ ସମୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସକାଳ ୭.୩୦ରୁ ପୂର୍ବାହ୍ନ ୧୧.୩୦ଯାଏ ପଞ୍ଜୀକରଣ କେନ୍ଦ୍ର ଖୋଲା ରଖାଯାଉଛି। ଆଜି ପୂର୍ବାହ୍ନରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳଥିଲା। ତିନି ଜଣ ବ୍ୟକ୍ତି ଧାଡ଼ିରେ ରହିଥିଲେ ବି ହଠାତ୍ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ରହିଥିଲେ। ଟିକେଟ୍‌ ଦେବାକୁ ସେ ଅନୁରୋଧ କରିଥିଲେ ସୁଦ୍ଧା କାର୍ଯ୍ୟରତ ଠିକା ସଂସ୍ଥାର ମହିଳା କର୍ମଚାରୀ ବୃଦ୍ଧଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ସବୁ ଘଟଣା କ୍ୟାମେରାରେ କଏଦ ହୋଇଥିଲା। ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇ ଉତ୍ତୋଳିତ ଭିଡିଓ ସହ ଅଭିଯୋଗ କରିଥଲେ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ମହିଳାଜଣଙ୍କ ଭୁଲ ବୋଲି ଜାଣିବାକୁ ପାଇଥିଲେ। ପୂର୍ବରୁ ମଧ୍ୟ ମହିଳାଜଣଙ୍କ ଅନେକ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଟିକଟ କେନ୍ଦ୍ରରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ତେଣୁ ନିର୍ଦ୍ଦେଶକ ଡା. ସାହୁ ମହିଳାଙ୍କୁ ଛଟେଇ ପାଇଁ ଠିକା ସଂସ୍ଥାକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର