ଭୁବନେଶ୍ବର: ସଂସ୍କୃତି ବିଭାଗ ଅଧୀନ ସବୁ ଏକାଡେମିର ପୁରସ୍କାର ଗୋଟିଏ ମଞ୍ଚରେ ଦିଆଯିବ। ସମସ୍ତ କଳା, କଳାକାର ଓ ସାରସ୍ବତବିତ୍ଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ଉଦ୍ଦେଶ୍ୟରେ ଏହି ପ୍ରଚେଷ୍ଟା କରାଯାଉଛି। ସେହିଭଳି ସମସ୍ତ ପୁରସ୍କାର ଉତ୍ସବକୁ ନିୟମିତ କରାଯିବା ସହ ପ୍ରତ୍ୟେକ ବର୍ଷର ପୁରସ୍କାର ସେହି ବର୍ଷ ଦିଆଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ରଂଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶ୍ରୀ ଦାସ କହିଲେ, ଓଡ଼ିଆରୁ ଅନ୍ୟ ଭାଷାକୁ ଅନୁବାଦ ଯଥେଷ୍ଟ ହେଉ ନଥିବାରୁ ଏ ଦିଗରେ ଗୁରୁତ୍ବ ଦିଆଯିବ। ଶିଶୁ, ଯୁବ ଓ ବୟୋଜ୍ୟେଷ୍ଠ ବର୍ଗର ସାରସ୍ବତ ପ୍ରତିନିଧିଙ୍କୁ ଡାକି ଆଳାପ କରି ତାଙ୍କଠାରୁ ମତାମତ ନିଆଯିବ ବୋଲି ସେ କହିଛନ୍ତି।
ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସମସ୍ତ ବାକିଆ ପୁରସ୍କାର ଖୁବ୍ଶୀଘ୍ର ଦିଆଯିବ। ଗ୍ରାମାଞ୍ଚଳରେ ପିଲା ବେଳୁ ଲେଖିବା ପାଇଁ ଆଗ୍ରହ ସୃଷ୍ଟି ନିମନ୍ତେ ବିଭାଗ ତରଫରୁ ଉଦ୍ୟମ ହେବ। ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ହରିହର ମିଶ୍ର ଅଧ୍ୟକ୍ଷତା କରି କହିଲେ, ପୁରସ୍କାର ପ୍ରଦାନ ନେଇ ନିର୍ଧାରିତ ନିୟମ ବଦଳିବା ଆବଶ୍ୟକ। ଏପରିକି ସ୍କ୍ରିନିଂ କମିଟିରେ ରହୁଥିବା ବିଚାରକମାନଙ୍କୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଏହି ଅବସରରେ ୧୬ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଏହି ଅବସରରେ ବିଜୟାନନ୍ଦ ସିଂଙ୍କ ସମ୍ପାଦିତ ଓଡ଼ିଶା ସାହିତ୍ୟ ଏକାଡେମିର ତ୍ରୈମାସିକ ପତ୍ରିକା ‘କୋଣାର୍କ’ର ୧୯୬ ସଂଖ୍ୟା, ସତ୍ୟାନନ୍ଦ ସ୍ବାଇଁଙ୍କ ଅନୁଦିତ ସ୍ତୁତି ଚିନ୍ତାମଣି, ଡ. କରୁଣାକର କରଙ୍କ ସମ୍ପାଦିତ ରୁଦ୍ର ସୁଧାନିଧି, ସଂଗ୍ରାମ ଜେନାଙ୍କ ଅନୁଦିତ ଗାବ୍ରିଏଲା ମିସ୍ତ୍ରାଙ୍କ ନିର୍ବାଚିତ କବିତା, ରଘୁନାଥ ସିଂହଙ୍କ ହିନ୍ଦୀ ପୁସ୍ତକ ‘ଯୋଗବାଶିଷ୍ଠ କଥା’ର ରମେଶ ଦାସଙ୍କ ଅନୁସୃଜନ, ବୀରମିତ୍ରୋଦୟ ଦେବଙ୍କ ଦ୍ବାରା କାଳୀ ଦାସଙ୍କ ମୂଳ ରଚିତ ‘ଋତୁ ସଂହାର’ର ଉତ୍କଳାନୁବାଦ, ସୋମା ଚାନ୍ଦଙ୍କ ଦ୍ବାରା ଦେବୀପ୍ରସନ୍ନ ରାୟଚୌଧୁରୀଙ୍କ ‘ଉତ୍କଳ ଭ୍ରମଣ ବୃତ୍ତାନ୍ତ’ର ଅନୁବାଦ, ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ‘ସଂଗ୍ରାମୀ ସ୍ରଷ୍ଟା ସୁରେନ୍ଦ୍ରନାଥ ଦ୍ବିବେଦୀ’ ଓ ‘ଗୌରୀଶଙ୍କର ରାୟ-ଲେଖକ’, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କ ସମ୍ପାଦିତ ‘ଦିନବନ୍ଧୁ ଗଡ଼ନାୟକ ଗ୍ରନ୍ଥାବଳୀ’, ଗଣେଶ୍ବର ମିଶ୍ରଙ୍କ ‘ବୈଦିକ ଧର୍ମ ଚେତନା: ଏକ ଦାର୍ଶନିକ ବିଚାର’, ସୁପ୍ରଭା ରାୟଙ୍କ ଦ୍ବାରା ନିହାର ରଂଜନ ଗୁପ୍ତଙ୍କ ‘ଉତ୍ତର ଫାଲଗୁନି’ର ଓଡ଼ିଆ ଭାଷାନ୍ତର, ଭକ୍ତହରି ମହାନ୍ତ, ରଂଜନ ପ୍ରଧାନଙ୍କ ସଂକଳିତ ‘ଉତ୍ତର ଓଡ଼ିଶାର ଲୋକ ସାହିତ୍ୟ’, କାହ୍ନୁ ଚରଣ ପାଢ଼ୀଙ୍କ ଦ୍ବାରା ରାଜଶେଖରଙ୍କ ‘କାବ୍ୟ ମୀମାଂସା କବି ରହସ୍ୟ’ର ସମ୍ପାଦିତ ପୁସ୍ତକ, ବିକ୍ରମ ଦାସଙ୍କ ‘ଯୁଗାନ୍ତକାରୀ ସତ୍ୟବାଦୀ ଗୁରୁକୁଳ’, ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୁରୁଷୋତ୍ତମ ଦାସଙ୍କ ରଚିତ ‘ରାମାୟଣ ହରିବଂଶ’ର ସଂଗ୍ରହ ଓ ସମ୍ପାଦିତ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏକାଡେମି ସଚିବ ଶୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲେ।