ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର

ଭୁବନେଶ୍ବର : ରାଜ୍ୟରେ ଏବେ ବିଭିନ୍ନ ସରକାରୀ ଯୋଜନାରେ ଆମ୍ବୁଲାନ୍ସ ଚାଲୁଛି। ବିଭିନ୍ନ ଘରୋଇ ହସ୍ପିଟାଲ, ଟ୍ରଷ୍ଟ ଓ ଘରୋଇ ସଂସ୍ଥା ପକ୍ଷରୁ ବି। ଏହିପରି ରାଜ୍ୟରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୨୦୮୯। ଅର୍ଥାତ୍ ଯେତେ ଯୋଜନା, ଯେତେ ସଂସ୍ଥା ସେତେ ନମ୍ବର। ଲୋକ ଜରୁରୀକାଳୀନ ପରିସ୍ଥିତିରେ ଗୋଟିଏ ସଂସ୍ଥାକୁ ଫୋନ୍‌ କଲେ ଯଦି ଆମ୍ବୁଲାନ୍ସ ମିଳୁନି ତେବେ ଆଉ ଏକ ସଂସ୍ଥାକୁ ଫୋନ୍ କରିବାକୁ ପଡ଼ୁଛି। ସ୍ଥିତି ଏପରି ହେଉଛି ଯେ, ରୋଗୀ ପାଇଁ ଆମ୍ବୁଲାନ୍ସ ଯୋଗାଡ଼ କରୁକରୁ ସ୍ଥିତି ଅଣାୟତ ହୋଇଯାଉଛି।

ଆଗକୁ ଏହିଭଳି ସ୍ଥିତି ଆଉ ଉପୁଜିବନି। ସବୁ ଆମ୍ବୁଲାନ୍ସ ‌ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ରହିବ। ସେହି ନମ୍ବରକୁ ଫୋନ୍‌ କଲେ ହିଁ ଲୋକଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିଯିବ। ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ରଖିବାକୁ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ପରାମର୍ଶ ଦେଇଥିଲା। ଏହାକୁ ଖୁବ୍‌ ଶୀଘ୍ର ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ବା‌ସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତୁରନ୍ତ ସମସ୍ତ ପ୍ରସ୍ତୁତି ଶେଷ କରି ଜଣାଇବାକୁ କୁହାଯାଇଛି।

ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସକୁ ଜିଆଇଏସ୍‌ ମ୍ୟାପିଂ କରିବାକୁ କୁହାଯାଇଥିଲା। ରାଜ୍ୟ ସରକାର ସମସ୍ତ ଆମ୍ବୁଲାନ୍ସର ଜିଆଇଏସ୍‌ ମ୍ୟାପିଂ କରିସାରିଥିବାରୁ ଏବେ ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର କରିବାକୁ କାମ ଚାଲିଛି। ଏଥିରେ ଗୋଟିଏ କଣ୍ଟ୍ରୋଲ ରୁମ୍ ରହିବ। କଣ୍ଟ୍ରୋଲରୁମ୍‌ରେ ବସିଥିବା କର୍ମଚାରୀଙ୍କ କମ୍ପ୍ୟୁଟରରେ କେଉଁ ଆମ୍ବୁଲାନ୍ସ କେଉଁଠି ଅଛି ‌ତା’ର ଟ୍ରାକିଂ ହେଉଥିବ। କଣ୍ଟ୍ରୋଲ ରୁମ୍‌ରୁ ତୁରନ୍ତ ରୋଗୀଙ୍କ ନିକଟବର୍ତ୍ତୀ ଆମ୍ବୁଲାନ୍ସକୁ ସୂଚନା ଦିଆଯିବ। ଏହାଦ୍ବାରା ରୋଗୀଙ୍କ ନିକଟରେ ବହୁତ କମ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚିଯିବ। ଆମ୍ବୁଲାନ୍ସ କେଉଁଠି ଅଛି, କେତେବେଳେ ପହଞ୍ଚିବ ସେନେଇ ମଧ୍ୟ ରୋଗୀଙ୍କ ସମ୍ପର୍କୀୟ ଏହାକୁ ଟ୍ରାକିଂ କରିପାରିବେ। ‌ଆମ୍ବୁଲାନ୍ସକୁ ଅନଲାଇନ୍ ଟ୍ରାକିଂ କରିବାକୁ ମୋବାଇଲ୍‌ ଆପ୍ ଆସିବ।

ବର୍ତ୍ତମାନ ଯେତିକି ଆମ୍ବୁଲାନ୍ସ ଅଛି ସେତିକିରେ ରୋଗୀଙ୍କୁ ପର୍ଯ୍ୟାପ୍ତ ‌େସବା ଯୋଗାଯାଇପାରୁଛି କି ନାହିଁ, ଆଉ ଅଧିକ ଆମ୍ବୁଲାନ୍ସ ଦରକାର କି ବୋଲି ସୁପ୍ରିମକୋର୍ଟ କମିଟି ପଚାରିଥିଲା। ଅଧିକ ଆମ୍ବୁଲାନ୍ସ କିଣାଯିବ କି ନାହିଁ ସେନେଇ ସ୍ବାସ୍ଥ୍ୟ ବିଭାଗ ଯଥାସମ୍ଭବ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଲେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି।

ସେହିପରି ଟ୍ରମା କେୟାର ସେଣ୍ଟରରେ ଥିବା ଏମରଜେନ୍ସି ମେଡିକାଲ୍ ଟେକନିସିଆନ (ଇଏମ୍‌ଟି)ଙ୍କ ପାଇଁ ଏକ ତାଲିମ୍ ଶିବିର ହେବ। ଏଥିରେ ଇଏମ୍‌ଟିମାନେ କିପରି ଟ୍ରମା କେୟାର ସେଣ୍ଟରରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରଖି ହସ୍ପିଟାଲକୁ ପଠାଇବେ ସେନେଇ ପ୍ରଶିକ୍ଷଣ ଦିଆଯିବ। ଏହାସହ ସବୁ ଟ୍ରମା କେୟାର ସେଣ୍ଟର ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ସଡ଼କ ସୁରକ୍ଷା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର