ଦୁଇ ଦିନରେ ଚିହ୍ନଟ ହେବେ ସବୁ ବ୍ରିଟେନ୍ ଫେରନ୍ତା

ଭୁବନେଶ୍ବରକୁ ଫେରିଛନ୍ତି ୯୫ଜଣ

ଭୁବନେଶ୍ବର : ରାଜଧାନୀରେ ଏବେ ୭୪ଜଣ ବ୍ରିଟେନ୍ ଫେରନ୍ତା ବିଭିନ୍ନ ସ୍ଥାନରେ ଥିଲେ ହେଁ ସେମାନଙ୍କର ସ୍ଥିତି ନେଇ ରାଜ୍ୟ ସରକାରଙ୍କ ନିକଟରେ କିଛି ସୂଚନା ନାହିଁ। ଏହି ବ୍ରିଟେନ୍ ଫେରନ୍ତା ନିଜ ପକ୍ଷରୁ ମଧ୍ୟ ବିଏମ୍‌ସିକୁ କିଛି ଅବଗତ କରିନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଏବେ ୱାର୍ଡସ୍ତରରେ ବ୍ରିଟେନ୍‌ ଫେରନ୍ତାଙ୍କୁ ଖୋଜା ଯାଉଛି।

ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ମିଳିଥିବା ତାଲିକା ଅନୁଯାୟୀ, ସମସ୍ତଙ୍କର କୋଭିଡ୍‌ ପରୀକ୍ଷା ହୋଇଥିଲା। ଏହାପରେ ଆର୍‌ଆର୍‌ଟି ଟିମ୍ କଣ୍ଟାକ୍ଟ ଟ୍ରେସିଂ କରିଥିଲେ। ସୋମବାର ରାତିରେ ଆମକୁ ଆଉ ୭୪ଜଣ ବ୍ରିଟେନ୍ ଫେରନ୍ତାଙ୍କ ତାଲିକା ଦିଆଯାଇଛି। ଏବେ ଆମେ ତାଙ୍କୁ ଚିହ୍ନଟ କରୁଛୁ। ଦୁଇଦିନ ମଧ୍ୟରେ ସବୁ ବ୍ରିଟେନ୍ ଫେରନ୍ତା ଚିହ୍ନଟ ହେବେ। ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ଏଥିପାଇଁ ୬ଟି ରାପିଡ୍‌ ରେସ୍ପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି।

ସେହିପରି ବିଏମ୍‌ସିର ସୂଚନା ଅନୁଯାୟୀ, ଏବେ ବିମାନବନ୍ଦରରେ ସମସ୍ତଙ୍କ ପାଇଁ କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସବୁ ବ୍ରିଟେନ୍ ଫେରନ୍ତାଙ୍କର କୋଭିଡ୍ ‌ପରୀକ୍ଷା ହେଉଛି। ସକାଳୁ ଅପରାହ୍‌ଣ ୨ଟା ମଧ୍ୟରେ ଯେଉଁମାନେ ଫେରୁଛନ୍ତି, ସେମାନଙ୍କର ବିମାନବନ୍ଦରରେ ଆର୍‌ଟି-ପିସିଆର୍‌ ପରୀକ୍ଷା ହେଉଛି। ଏହାପରେ ଫେରୁଥିବା ଯାତ୍ରୀଙ୍କର ଆଣ୍ଟିଜେନ୍ ଟେଷ୍ଟ ହେଉଛି। ଏହାପରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରିବାକୁ କୁହାଯାଉଛି। ବିମାନବନ୍ଦରରେ ଯେକେହି ବି ଯାାତ୍ରୀ ଆଣ୍ଟିଜେନ୍ ଟେଷ୍ଟ ମାଗଣା‌ରେ କରିପାରିବେ। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଗୃହ ସଙ୍ଗରୋଧରେ ଇଂଲଣ୍ଡ ଫେରନ୍ତା ଦମ୍ପତି
ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାବ୍ ପରୀକ୍ଷା କରାଇଥିବା ଇଂଲଣ୍ଡ ଫେରନ୍ତା ଦମ୍ପତିଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଶ୍ରୀଏନ୍‌କ୍ଲ‌େଭ୍‌ର ବାସିନ୍ଦା ଏହି ଦମ୍ପତିଙ୍କ ସ୍ବାବ୍‌ ରିପୋର୍ଟ କୋଭିଡ୍‌ ପରୀକ୍ଷ‌ା କେନ୍ଦ୍ରରୁ ଆସି ନଥିବାରୁ ସେମାନେ କରୋନା ପଜିଟିଭ୍‌ କି ନୁହେଁ, ସ୍ପଷ୍ଟ ହୋଇନାହିଁ। ହସ୍ପିଟାଲ୍‌ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ,ଇଂଲଣ୍ଡରୁ ଏହି ଦମ୍ପତି ବାଲିଅନ୍ତା ପଞ୍ଚାୟତକୁ ଆସିଥିବା ସଂପର୍କରେ ଖବର ମିଳିବା ପରେ ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ପଠାଯାଇ ସେମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଏଠାରେ ତାଙ୍କର ସ୍ବାବ୍‌ ସଂଗ୍ରହ କରାଯାଇ ଅରୁଗୁଳ କୋଭିଡ୍‌ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି।

ସମ୍ବନ୍ଧିତ ଖବର