ସବୁ ନିର୍ମାଣ କାମ ଅଧା, ସରକାରୀ କାମ କରିବାକୁ ଠିକାଦାର ନାରାଜ
ମିସ୍ତ୍ରି, ଶ୍ରମିକ ପଳାଇଲେ, ମୁଖ୍ୟତଃ ଟାଇଲ୍, ପ୍ଲାଇ ମିସ୍ତ୍ରି ମିଳୁନାହାନ୍ତି
ଭୁବନେଶ୍ବର: କରୋନା ପାଇଁ ମାର୍ଚ୍ଚ ତୃତୀୟ ସପ୍ତାହରୁ ରାଜଧାନୀରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା। ପ୍ରାୟ ମାସକ ପରେ ନିର୍ମାଣ କାମ ଉପରୁ କଟକଣା ହଟିଲା। ୧୦ ଦିନରୁ ଅଧିକ ହେଲା କଟକଣା କୋହଳ ହେଲାଣି। ହେଲେ ଯେଉଁଭଳି ନିର୍ମାଣ କାମ ଚାଲିଥିଲା, ଏବେ ସେମିତି ଆଉ ହେଉନି। କେଉଁଠି ଅର୍ଥ ଅଭାବ ତ କେଉଁଠି ମିସ୍ତ୍ରି ଓ ଶ୍ରମିକ ଅଭାବ। ରାଜଧାନୀରେ ବହୁ ନିର୍ମାଣ କାମ କିନ୍ତୁ ଅଣ ଓଡ଼ିଆ ମିସ୍ତ୍ରି ଓ ଶ୍ରମିକଙ୍କ ପାଇଁ ବନ୍ଦ ପଡ଼ିଯାଇଛି। ଲକ୍ଡାଉନ୍ ପାଇଁ ନିର୍ମାଣ କାମ ବନ୍ଦ ହୋଇଯିବାରୁ ଏବଂ ସେମାନଙ୍କର ଖାଇବାରେ ଅସୁବିଧା ହେବାରୁ ବହୁ ଅଣଓଡ଼ିଆ ଶ୍ରମିକ ଓଡ଼ିଶା ଛାଡ଼ି ପଳାଇଛନ୍ତି। ଯିଏ ଅଛନ୍ତି, ସେମାନଙ୍କ ଠିକାଦାର ନଥିବାରୁ ସେମାନଙ୍କୁ କାମ ମିଳୁନି। ଫଳରେ ବହୁ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ଏବେ ଅଧପନ୍ତରା ହୋଇପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀରେ ଯେତେ ବି ନିର୍ମାଣ କାର୍ଯ୍ୟ ହେଉଛି, ସେଥିରେ ଅଧାରୁ ଅଧିକ ସ୍ଥାନରେ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଶ୍ରମିକ ନିୟୋଜିତ ହୋଇଛନ୍ତି। କୋଠା ନିର୍ମାଣ କାମରୁ ଆରମ୍ଭ କରି ଇଣ୍ଟେରିୟର ଡିଜାଇନ୍, ଟାଇଲ୍, ମାର୍ବଲ ମିସ୍ତ୍ରି ଓ ଶ୍ରମିକ ବାହାର ରାଜ୍ୟର। ଏମାନେ ସେମାନଙ୍କ ଅଞ୍ଚଳର ଠିକାଦାରଙ୍କ ମାଧ୍ୟମରେ ଏଠାରେ କାମ କରୁଥିଲେ। ହେଲେ ବହୁ ଠିକାଦାର ଲକ୍ଡାଉନ୍ ପରେ ବାଇକ୍ରେ ଏବଂ ବିଭିନ୍ନ ଗାଡ଼ିରେ ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଯେଉଁମାନେ ଏବେ ଅଛନ୍ତି, ସେମାନଙ୍କ ପାଖରେ ପୂର୍ବରୁ କାମ କରୁଥିବା ଅଧିକାଂଶ ମିସ୍ତ୍ରି ଓ ଶ୍ରମିକ ଓଡ଼ିଶା ଛାଡ଼ି ପଳାଇଛନ୍ତି। ତେଣୁ ଯେଉଁ ଠିକାଦାରମାନେ ଅଛନ୍ତି, ସେମାନଙ୍କ ପାଖରେ ଶ୍ରମିକ ନାହାନ୍ତି ନଚେତ୍ ଯେଉଁ ଶ୍ରମିକ ଅଛନ୍ତି, ସେମାନଙ୍କ ଠିକାଦାର ନାହାନ୍ତି। ବହୁ ସରକାରୀ କାମ ମାର୍ଚ୍ଚ ମାସରେ ହେଉଥିବା ବେଳେ ପ୍ରାୟ ୧୫ଦିନ କାମ ବନ୍ଦ ହୋଇଯିବାରୁ ବହୁ କାମ ଅଧପନ୍ତରା ପଡ଼ିଗଲା। ଫଳରେ ଠିକାଦାରମାନଙ୍କୁ ସେମାନଙ୍କ କାମର ବିଲ୍ ମିଳିନି। ଯେଉଁମାନେ କାମ ସାରିଥିଲେ, ସେମାନଙ୍କୁ ବି ପୂର୍ତ୍ତ, ଜନସ୍ବାସ୍ଥ୍ୟ ବିଭାଗ, ଜଳସମ୍ପଦ ବିଭାଗ ଅର୍ଥ ଦେଇନି। ଏବେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ବାକି ଥିବାରୁ ନୂଆ କାମ ବି କରିବାକୁ କେତେକ ଆଗ୍ରହ ଦେଖାଉନାହାନ୍ତି। ଲୋକସେବା ଭବନ, ନ’ତାଲା, ତୋଷାଳି ଭବନ ଭଳି ସରକାରୀ କୋଠାରେ ବହୁ କାମ ଅଧପନ୍ତରା ହୋଇପଡ଼ିଛି। ଏଠାରେ କାମ ଶେଷ କରିଥିବା ଠିକା ସଂସ୍ଥାଙ୍କର ବିଲ୍ ମଞ୍ଜୁର ହୋଇନି। ସେହିପରି ବହୁ ସ୍ଥାନରେ ଡ୍ରେନ୍, ରାସ୍ତା ନିର୍ମାଣ ଅଧାଖଣ୍ଡିଆ ହୋଇପଡ଼ିଛି। ସରକାର ଟଙ୍କା ଦେଉନଥିବାରୁ ଲକ୍ଡାଉନ୍ ଭଳି ଜଟିଳ ସ୍ଥିତିରେ କେହି କାମ କରିବାକୁ ରାଜି ହେଉନାହାନ୍ତି।
ଏହାବାଦ୍ ବହୁ ଆବାସିକ ଅଞ୍ଚଳରେ ମୁଖ୍ୟତଃ ଅକ୍ଟୋବରରୁ ଜୁନ୍ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇଥାଏ। କିଛି ଦିନ ହେଲା ସବୁ ନିର୍ମାଣ ସାମଗ୍ରୀ ମିଳୁଥିଲେ ହେଁ ମିସ୍ତ୍ରି ଓ ଶ୍ରମିକ ମିଳୁନାହାନ୍ତି। ବଡ଼ ବଡ଼ ପ୍ରକଳ୍ପଗୁଡ଼ିକ ବାହାର ରାଜ୍ୟର ଠିକା ସଂସ୍ଥା ଦ୍ବାରା ନିର୍ମାଣ କରୁଥିବା ଲୋକମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯେଉଁମାନେ ଲକ୍ଡାଉନ୍ ସମୟରେ ଶ୍ରମିକମାନଙ୍କୁ ଖାଇବାକୁ, ପିଇବାକୁ ଦେଇ ରଖିଥିଲେ, ସେମାନଙ୍କ ପାଖରେ କିଛି ଶ୍ରମିକ ଅଛନ୍ତି। ରାଜ୍ୟରେ ଟାଇଲ୍, ମାର୍ବଲ୍ ଓ ଇଣ୍ଟେରିଅର ଡିଜାଇନ୍ କାମ ମୁଖ୍ୟତଃ ବିହାରୀ ଓ ବଙ୍ଗାଳି ମିସ୍ତ୍ରିମାନେ କରୁଥିବାବେଳେ ସେମାନେ ଏବେ କାମ କରୁନାହାନ୍ତି। ଏପଟେ ପ୍ରକଳ୍ପ ସ୍ଥାନରେ ଯେଉଁଠି ଶ୍ରମିକ ଥିବେ ସେଠାରେ କାମ କରିବାକୁ ଅନୁମତି ମିଳିଥିବା ବେଳେ ବାହାର ଜିଲ୍ଲାରୁ କି ଦୂରରୁ ଶ୍ରମିକ ଆଣିବା ଉପରେ ରୋକ୍ ଲାଗିଛି। ତେଣୁ ଲକ୍ଡାଉନ୍ ଆରମ୍ଭରୁ ଯେଉଁମାନେ ନିଜ ଗାଁକୁ ଫେରି ଯାଇଥିଲେ, ସେମାନେ ଏବେ ରାଜଧାନୀ ଫେରି ପାରୁନାହାନ୍ତି। ତେଣୁ ଓଡ଼ିଆ ଶ୍ରମିକ ବି ସହଜରେ ମିଳୁନାହାନ୍ତି।
ବିହାରରୁ ଆସି ଭୁବନେଶ୍ବରରେ ମାର୍ବଲ୍ ମିସ୍ତ୍ରି କାମ କରୁଥିବା ସେକ୍ ମୁବାରକ କହିଛନ୍ତି, ତାଙ୍କ ପାଖରେ ୧୦ରୁ ଅଧିକ ପିଲା କାମ କରନ୍ତି। ଲକ୍ଡାଉନ୍ ସମୟରେ ୫ଜଣ ଲୁଚି ବାଇକ୍ରେ ବିହାର ପଳାଇଥିଲେ। ଆଉ ୫ ଜଣଙ୍କୁ ୧୫ ଦିନ ଖାଇବାକୁ ଦେଇ ରଖିଲି। କିନ୍ତୁ ମେ’ ୩ ପର୍ଯ୍ୟନ୍ତ ଲକ୍ଡାଉନ୍ ବଢ଼ିବାରୁ ଆଉ ଖାଇବାକୁ, ଘର ଭଡ଼ା ଦେଇ ରଖିବା ସମ୍ଭବ ନଥିଲା। ତେଣୁ ସେମାନଙ୍କୁ ନିଜ ବ୍ୟବସ୍ଥା କରିବାକୁ କହିଥିଲି। ଏହାପରେ ସେମାନଙ୍କର ଖାଇବାରେ ଓ ରହିବାରେ ଅସୁବିଧା ହେବାରୁ ସେମାନେ ବି ଲୁଚି ବିହାର ପଳାଇଲେ। ବହୁ ସଂସ୍ଥା ମାର୍ଚ୍ଚ ମାସ ପାଇଁ ଜୋରଦାର୍ କାମ କରାଉଥିଲେ। କିନ୍ତୁ ହଠାତ୍ କାମ ବନ୍ଦ ହୋଇଯିବାରୁ ସେମାନଙ୍କୁ ବି ବିଲ୍ ମିଳିଲାନି। ତେଣୁ ଆମକୁ ଟଙ୍କା ଦେଲେନି। ଏବେ କିଛି କାମ ମିଳୁଥିଲେ ବି ପାଖରେ କୁଶଳୀ ଶ୍ରମିକ ନଥିବାରୁ କାମ କରି ହେଉନି। ସେହିପରି ଝାଡ଼ଖଣ୍ଡରୁ ଆସି ଏଠାରେ କାମ କରୁଥିବା ପ୍ଲାଇ ମିସ୍ତ୍ରି ପଙ୍କଜ ସିଂହ କହିଛନ୍ତି ଯେ ତାଙ୍କ ଠିକାଦାର ଲକ୍ଡାଉନ୍ ହେବାର ଦୁଇ ଦିନ ପରେ ବାଇକ୍ ନେଇ ବିହାର ପଳାଇଲା। ଆମକୁ କିଛି ଜଣାଇଲାନି କି ଟଙ୍କା ଦେଲାନି। ପାଖରେ ଯେତିକି ଟଙ୍କା ଥିଲା, ସେଥିରେ ୮/୧୦ ଦିନ ଚଳିଗଲୁ। ଏହାପରେ ଧାର ଉଦ୍ଧାର କରି ୧୫ଦିନ ଚଳିଲୁ। ହେଲେ ଏବେ ପାଖରେ କାମ ନାହିଁ କି ଘରକୁ ଯିବାର ବାଟ ନାହିଁ। ଠିକାଦାର ମାଧ୍ୟମରେ କାମ କରୁଥିବାରୁ ଆମକୁ କାମ ମିଳୁନି। ତେଣୁ ଚଳିବା ଏବେ କଷ୍ଟକର ହୋଇପଡ଼ିଛି।