ସବୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନଦୀ ସହ ସଂଯୋଗ ହେବ

ୱାଟ୍‌କୋ ପକ୍ଷରୁ ‘ବିଶ୍ବ ଜଳ ଦିବସ’

ଭୁବନେଶ୍ବର: ୱାଟର୍‌ କର୍ପୋରେସନ ଅଫ୍‌ ଓଡ଼ିଶା (ୱାଟ୍‌କୋ) ପକ୍ଷରୁ ଆଜି ରାଜ୍ୟସ୍ତରୀୟ ବିଶ୍ବ ଜଳ ଦିବସ ପାଳିତ ହୋଇଯାଇଛି। ଉନ୍ନତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମା‌ଥିଭାଥନନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ପ୍ରସଙ୍ଗ ‘ଭୂତଳ ଜଳ-ଅଦୃଶ୍ୟକୁ ଦୃଶ୍ୟମାନ କରାଇବା’ ଉପରେ ଆଲୋକପାତ କରିଥିଲେ। ଏହାସହ କହିଥିଲେ ଯେ ରାଜ୍ୟର ଭୂତଳ ଜଳ ସଂରକ୍ଷଣକୁ ସ୍ଥାୟୀ ଭାବେ ପରିଚାଳନା କରିବା ସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ନଦୀ ଜଳସ୍ରୋତ ସହିତ ଯୋଡ଼ିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଆମର ପରବର୍ତ୍ତୀ ପିଢ଼ି ପାଇଁ ଏହି ମୂଲ୍ୟବାନ ସମ୍ପଦକୁ ସଂରକ୍ଷଣ କରି ରଖିବାକୁ ହେଲେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ।

ୱାଟ୍‌କୋର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ପ୍ରଦୀପ୍ତ କୁମାର ସ୍ବାଇଁ କହିଥିଲେ ଯେ ଆମେ ୨୪ଘଣ୍ଟିଆ ଜଳ ଯୋଗାଣ ପ୍ରକଳ୍ପ ତଥା ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିସନ୍‌ରେ ଜଳ ସାଥୀମାନଙ୍କୁ ନିୟୋଜିତ କରିଛୁ। ଯାହା ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ସେହିପରି କଟକର ପ୍ରତାପନଗରୀଠାରେ ଥିବା ଜଳ ବିଶୋଧନାଗାରର ରକ୍ଷଣାବେକ୍ଷଣ କାର୍ଯ୍ୟରେ କିନ୍ନରମାନଙ୍କୁ ନିୟୋଜିତ କରିବୁ। ଏହା ସାରା ଦେଶରେ ପ୍ରଥମ ହେବ।

କାର୍ଯ୍ୟକ୍ରମରେ ୱାଟ୍‌କୋ-ପିଏମ୍‌ସିର ପ୍ରକଳ୍ପ ପରିଚାଳକ ଚିନ୍ମୟ ତ୍ରିପାଠୀ, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ପୁରୋହିତ, ସାଗରିକା ପଟ୍ଟନାୟକ, ପିଏଚ୍‌ଇଓର ସର୍ବୋଚ୍ଚ ଯନ୍ତ୍ରୀ ଇଂ.ରବୀନ୍ଦ୍ର ନାଥ ନାୟକ, ଓଡବ୍ଲୁଏସ୍‌ଏସ୍‌ବିର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ହାଡ଼ିବନ୍ଧୁ ବେହେରା, ୱାଟକୋର ପରିଚାଳନା ନିର୍ଦ୍ଦେଶକ ଇଂ. ଶରତ ଚନ୍ଦ୍ର ମିଶ୍ର, ଓଡ଼ିଶା ୱାଟର୍‌ ଏକାଡେମିର ନିର୍ଦ୍ଦେଶକ ଶାନ୍ତନୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର