ପ୍ରଥମ ଦିନରେ ତିନିଟି ମେଡିକାଲ୍ କଲେଜ୍ରେ ଲାଇଭ୍ ସର୍ଜରି
ଚନ୍ଦ୍ରଶେଖରପୁର : ଗୁରୁବାର ସନ୍ଧ୍ୟାରେ ଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଫୋଗ୍ସି) ଆନୁକୂଲ୍ୟରେ ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଏଓଜିଓ) ପକ୍ଷରୁ ୬୧ତମ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀକୁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତା ମଇଦାନରେ ଉଦ୍ଘାଟନ କରିବେ। ଏହି ଅବସରରେ ଏଆଇସିଓଜି ପକ୍ଷରୁ ଆଜି ରାଜଧାନୀର ତିନିଟି ମେଡିକାଲ୍ କଲେଜରେ ୧୧ଟି କର୍ମଶାଳାର ଆୟୋଜନ କରାଯାଇଛି। ଅସ୍ତ୍ରୋପଚାର ଗୃହରୁ ଅସ୍ତ୍ରୋପଚାରର ସିଧା ପ୍ରସାରଣ କରାଯାଇଥିଲା। ଏଥିରେ ବିଶେଷଜ୍ଞମାନେ ଲାଇଭ୍ ସର୍ଜରି କରିବା ସହିତ ଅସ୍ତ୍ରୋପଚାରର ବିଭିନ୍ନ ପଦ୍ଧତିଗୁଡ଼ିକ ସଂପର୍କରେ ବର୍ଣ୍ଣନା କରିଥିଲେ।
କିମ୍ସ, ସମ୍ ହସ୍ପିଟାଲ୍ ଏବଂ ହାଇଟେକ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଏହି କର୍ମଶାଳାଗୁଡ଼ିକ ଆୟୋଜିତ ହୋଇଥିଲା। କିମ୍ସ ହସପିଟାଲ୍ରେ ଭାଜିନାଲ୍ ହିଷ୍ଟେରେକ୍ଟୋମି, ୟୁରୋଗାଇନାକୋଲୋଜି, କସମେଟିକ୍ ଭାଜିନାଲ୍ ସର୍ଜରି, ଅତି ବିପଦପୂର୍ଣ୍ଣ ଗର୍ଭଧାରଣ ଏବଂ ମେନୋପଜ୍ ଭଳି ୫ଟି ଅପରେଟିଭ୍ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାଗୁଡ଼ିକରେ ୧୨୦୦ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ହାଇଟେକ୍ ହସପିଟାଲ୍ରେ ଅଙ୍କୋଲୋଜି ସର୍ଜରିର ସିଧାପ୍ରସାରଣ କରାଯାଇଥିଲା। ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଆୟୋଜନ କମିଟିର ଅଧ୍ୟକ୍ଷ ଡ. ପି ସି ମହାପାତ୍ର ଓ ଡ. ଏସ୍ କେ ଗିରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାରେ ଏହି କର୍ମଶାଳାଗୁଡ଼ିକ ଆୟୋଜିତ ହୋଇଥିଲା ଏବଂ ସେମାନଙ୍କୁ ମେଡିକାଲ୍ କଲେଜଗୁଡ଼ିକର ଉତ୍ସର୍ଗୀକୃତ ଡାକ୍ତରୀ ଟିମ୍ ସବୁ ପ୍ରକାର ସହଯୋଗ ପ୍ରଦାନ କରିଥିଲେ। ସମସ୍ତ ଫାକଲ୍ଟି ଏବଂ ପ୍ରତିନିଧିମାନଙ୍କୁ ଅଧ୍ୟକ୍ଷ ଡ. ପି ସି ମହାପାତ୍ର ଏବଂ ସମ୍ପାଦକ ଡ. ହର ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟଯେ ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୮୦୦୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ ଅଂଶଗ୍ରହଣ କରିବା ନେଇ ଆୟୋଜନ କମିଟି ପକ୍ଷରୁ ସୂଚନା ମିଳିଛି।