ବୈଷୟିକ ଜ୍ଞାନର ବ୍ୟବହାର ବଢ଼ିଛି, ଦୃଷ୍ଟିକୋଣ ବଦଳିନି

ନାଇଜର୍‌ରେ ୧୬ତମ ସର୍ବଭାରତୀୟ ଜନବିଜ୍ଞାନ କଂଗ୍ରେସ

ଭୁବନେଶ୍ୱର/ଜଟଣୀ : ମଣିଷର ଦୈନନ୍ଦିନ ଜୀବନରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ରୁତବେଗରେ ବଢ଼ିଛି। ମାତ୍ର ପରିତାପର କଥା ମଣିଷର ଦୃଷ୍ଟିକୋଣରେ ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ। ସାଧରଣ ମଣିଷ କଥା ତ ଭିନ୍ନ, ଏମିତିକି ନିଜେ ବୈଜ୍ଞାନିକ ଓ ବିଜ୍ଞାନର ଗବେଷଣାରତ ଛାତ୍ରଟିଏର ବି ଦୃଷ୍ଟିକୋଣ ବଦଳିନି। ମଣିଷ ଭିତରେ ଉନ୍ନତ ଚିନ୍ତାଧାରର ବିକାଶ ଘଟିନାହିଁ। ଏବେ ବି ସମାଜରେ କୁସଂସ୍କାର, ଅଜ୍ଞତା, ଅନ୍ଧବିଶ୍ୱାସ ଓ ସବୁ ବର୍ଗର୍ରେ ଧର୍ମାନ୍ଧତା ମଣିଷକୁ କବଳିତ କରି ରଖିଛି। ମଣିଷ ସଂକୀର୍ଣ୍ଣତାରୁ ମୁକୁଳିପାରିନାହିଁ। ବରଂ ମଣିଷ ଅଧିକରୁ ଅଧିକ ଅଜ୍ଞତା ଓ କୁସଂସ୍କାରର ଅନ୍ଧଗଳି ଭିତରକୁ ଠେଲି ହୋଇଯାଉଛି। ସାଧରଣ ଜନତାର ଟିକସରୁ ଗଢ଼ି ଉଠିଥିବା ବିଜ୍ଞାନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ବିଜ୍ଞାନର ଛାତ୍ରମାନେ କେବଳ ଜୀବିକା ଅର୍ଜନ କରିବାକୁ ବଡ଼ ବୋଲି ଧରି ନେଇଛନ୍ତି। ଫଳରେ ଶହ ଶହ ବର୍ଷ ଧରି ବିଜ୍ଞାନ ମଣିଷ ସହ ଯୋଡ଼ି ହୋଇଥିଲେ ବି ସାମଗ୍ରିକ ଭାବେ ବାସ୍ତବ ଉନ୍ନତି ହୋଇପାରିନାହିଁ। ଶୁକ୍ରବାର ଭୁବନେଶ୍ୱର ନାଇଜର୍‌ ପରିସରରେ ଉଦ୍‌ଘାଟିତ ହୋଇଥିବା ୧୬ ତମ ସର୍ବଭାରତୀୟ ଜନବିଜ୍ଞାନ କଂଗ୍ରେସରେ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟଅତିଥି ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ କହିଲେ ଯେ ବିଜ୍ଞାନ ହେଉଛି ସମଗ୍ର ମାନବ ସଭ୍ୟତା ପାଇଁ ବରଦାନ। ସମାଜରେ ଶାନ୍ତି, ସମୃଦ୍ଧି ରକ୍ଷା କରିବା ପାଇଁ ବିଜ୍ଞାନର ଉପଯୋଗ ହେବା ଜରୁରି। ମଣିଷକୁ ସଂକୀର୍ଣ୍ଣତାର ମୁକୁଳାଇବା ପାଇଁ ସବୁ ବର୍ଗର ମଣିଷ ନିକଟରେ ବିଜ୍ଞାନଭିତ୍ତିକ ଚିନ୍ତାଧାରାର ଉଦ୍ରେକ କରାଇବା ଦରକାର। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ କମିସନର ଜିଭିଜି ଶର୍ମା ବିଜ୍ଞାନକୁ ମଣିଷର ଦୈନନ୍ଦିନ ଜୀବନରେ ଯୋଡ଼ିବା ଜରୁରି ବୋଲି କହିଥିଲେ। ନାଇଜର୍‌ର ନିର୍ଦେଶକ ପ୍ରଫେସର ସୁଧାକର ପଣ୍ଡା ନିଜ ବକ୍ତବ୍ୟଛଳରେ କହିଲେ ଯେ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ସରକାର ସ୍ୱତନ୍ତ୍ର ବଜେଟ୍‌ର ବ୍ୟବସ୍ଥା କରିବା ଉଚିତ୍‌। ବେଙ୍ଗାଲୁର୍‌ ନେସନାଲ୍‌ କଲେଜର ନିର୍ଦେଶକ ପ୍ରଫେସର ଜି ରାମକ୍ରିଷ୍ଣନ ପ୍ରାଚୀନ ଭାରତର ବିଜ୍ଞାନ ବା ଦର୍ଶନ ଉପରେ ବକ୍ତବ୍ୟ ରଖିବା ଅବସରରେ ଆର୍ଯ୍ୟଭଟ୍ଟ, ବରାହମିହିର, ଚରକ ଆଦିଙ୍କ ବିଜ୍ଞାନ ଭିତ୍ତିିକ ଦୃଷ୍ଟିକୋଣ ପ୍ରସାରର ଉଦାହରଣ ଦେଇଥିଲେ।

ସାମ୍ପ୍ରତିକ ପରିସ୍ଥିତିରେ ସମାଜରେ ଦେଖା ଦେଉଥିବା ଧର୍ମାନ୍ଧତା ଓ ତାହାର ପ୍ରସାର କରୁଥିବା ଗୋଷ୍ଠୀକୁ ସେ ପରୋକ୍ଷରେ ସମାଲୋଚନା କରିଥିଲେ। ବିଶିଷ୍ଟ ବୈଜ୍ଞାନିକ ପ୍ରାଂଜଲ୍‌ ଶାସ୍ତ୍ରୀ ବୈଜ୍ଞାନିକ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ନାଇଜରର ରେଜିଷ୍ଟ୍ରାର୍‌ ଡ. ଅଭୟ କୁମାର ନାୟକ ସମାଜ ପାଇଁ ବିଜ୍ଞାନ ଶିକ୍ଷାନୁଷ୍ଠାନର ଅବଦାନ ଉପରେ କହିଥିଲେ। ପ୍ରାରମ୍ଭରେ ସର୍ବ ଭାରତୀୟ ଜନ ବିଜ୍ଞାନ କଂଗ୍ରେସର ସଭାପତି ସବ୍ୟସାଚୀ ଚାଟାର୍ଜୀ, ଆୟୋଜକ କମିଟିର ଅଧ୍ୟକ୍ଷ ଡ. ଅରବିନ୍ଦ ବେହେରା ଏହି ସମ୍ମିଳନୀର ଗୁରୁତ୍ୱ ଉପରେ ମତ ରଖିଥିଲେ। ଶେଷରେ ବ୍ଲୋରିନ୍‌ ମହାନ୍ତି ଧନ୍ୟବାଦ ଦେଇଥିଲେ। ୪ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତର ସବୁ ରାଜ୍ୟରୁ ପ୍ରାୟ ୧ ହଜାରରୁ ଅଧିକ କର୍ମୀ ଏଥିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବହୁ ବୈଜ୍ଞାନିକ, ସମାଜସେବୀ, ବୁଦ୍ଧିଜୀବୀ ସାମିଲ୍‌ ଅଛନ୍ତି।

ସମ୍ବନ୍ଧିତ ଖବର