ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଆଜି ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଲୋୟର ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଅଣ ସଂଗଠିତ ଶ୍ରମିକମାନଙ୍କ ମୌଳିକ ଅଧିକାରକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ମନରେଗାରେ ନିଯୁକ୍ତ ଶ୍ରମିକ, ଉଠା ଦୋକାନୀ ଓ ଘରୋଇ ଶ୍ରମିକ ଭାବେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୧.୬୨ କୋଟି ଅଣ ସଂଗଠିତ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମାତ୍ର ୮୦ ଲକ୍ଷ ଅଣ ସଂଗଠିତ ଶ୍ରମିକଙ୍କ ନାମ ପଞ୍ଜୀକୃତ କରିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା।

ଆଜି ପୂର୍ବାହ୍ଣରେ କଂଗ୍ରେସ ଭବନଠାରୁ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଲୋୟର୍‌ ପିଏମ୍‌ଜିରେ ବିକ୍ଷୋଭ କରାଯାଇଥିଲା। ମନରେଗାରେ ଚାଲିଥିବା ମାଫିଆ ରାଜ୍‌ ବନ୍ଦ କରିବା, ମନରେଗା ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବା ଓ ସେମାନଙ୍କୁ କୋଭିଡ୍‌ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରାଯାଇଥିଲା। ସେହିଭଳି ସମସ୍ତ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରି ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା ସହିତ ଦୁର୍ଘଟଣାଜ ଓ ମୃତ୍ୟୁକାଳୀନ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରାଯାଇଥିଲା। ଏହି ଅବସରରେ ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ବିଧାୟକ ସୁରେଶ କୁମାର ରାଉତରାୟ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ଏଆଇୟୁଡବ୍ଲୁସିର ରାଜ୍ୟ ଉପଧ୍ୟକ୍ଷା ଜ୍ୟୋତ୍ସ୍ନା ସେନାପତି, କୈଳାସଚନ୍ଦ୍ର ସାହୁ, ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସ କମିଟିର ବିଜୟ କୁମାର ବୋଇତାଇ, କୃଷ୍ଣଚନ୍ଦ୍ର ସାହୁ, ଭବାନୀ ଶଙ୍କର ଜେନା, ନିରୁପମା ଦାସ, ପରମାନନ୍ଦ ସେଠୀ, ବିକାଶ କୁମାର ଦାସ, ନିରଞ୍ଜନ ଲେଙ୍କା, ଦୀପ୍ତିରଞ୍ଜନ ପଣ୍ଡା, ଜେମ୍‌ସ ବାହାଲା, ଗଣେଶ ମଲ୍ଲିକ, ରାଜେଶ ସାହିସ, ଫିଲିପ୍‌ କୁମାର, ରଞ୍ଜନ ତରାଇ, ମୀରା ମୁର୍ସିଦ, ସୁଦର୍ଶନ ପଲାଇ, ଶିବପ୍ରସାଦ ନାଥ, ବନମାଳୀ ମହାରଣା, ସୁବାଶିଷ ନାୟକ, ସ୍ୱର୍ଣ୍ଣଲତା ବଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର