ଭୁବନେଶ୍ୱର : ଚଳିତ ମାସ ୨୦ ତାରିଖରୁ ବିଧାନସଭାର ୧୬ତମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ବିଧାନସଭା ପୂର୍ବରୁ ସମସ୍ତ ବିଧାୟକଙ୍କ ସମେତ ପିଏସ୍ଓ, ଡ୍ରାଇଭରଙ୍କ ଆରଟି-ପିସିଆର ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ଆସନ୍ତା ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ନମୁନା ସଂଗ୍ରହ କରାଯିବ। ତେଣୁ ବିଧାନସଭା ପରିସରରେ ନମୁନା ସଂଗ୍ରହ ନେଇ ଆବଶ୍ୟକସଂଖ୍ୟକ ସ୍ବାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ନିୟୋଜିତ କରାଯିବ। ଏନେଇ ବିଏମ୍ସି, କ୍ୟାପିଟାଲ ହସ୍ପିଟାଲ ଓ ରାଜ୍ୟ ଔଷଧ ନିଗମକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ୧୭ ଓ ୧୮ତାରିଖରେ ସକାଳ ସାଢ଼େ ୮ଟାରୁ ଦିନ ସାଢ଼େ ୧ଟା ଓ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯିବ। ସେହିପରି ୧୯ ତାରିଖରେ ସକାଳ ସାଢ଼େ ୮ଟାରୁ ଦିନ ସାଢ଼େ ୧ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ବିଧାନସଭା ଅଧିବେଶନ ଶେଷ ହେବା ପରେ ପୁନର୍ବାର ସମସ୍ତ ସଦସ୍ୟଙ୍କ ଆରଟି-ପିସିଆର ନମୁନା ସଂଗ୍ରହ ହେବ। ଏଥିରେ ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ବିରୋଧୀ ଦଳ ନେତା, ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକଙ୍କ ସମେତ ଅନ୍ୟମାନଙ୍କ ମଧ୍ୟ ପରୀକ୍ଷା ହେବ। ତେବେ ବିଧାନସଭା ଚାଲିଥିବା ବେଳେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରନ୍ତି, ତାହାଲେ ସଙ୍ଗେ ସଙ୍ଗେ ତାଙ୍କର ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କରାଯିବ। ଏହାସହ ବିଧାନସଭା କର୍ମଚାରୀ ଓ ଗୃହର ଅନ୍ୟ ସଦସ୍ୟମାନେ ବିଧାନସଭାରେ ପ୍ରବେଶ କରିବା ପାଇଁ ଫେସ୍ ସିଲ୍ଡ, ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ରହିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ଲାଗି କୁହାଯାଇଛି। ସେହିପରି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଆବଶ୍ୟକସଂଖ୍ୟକ କିଟ୍, ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯିବାକୁ କୁହାଯାଇଛି। ଏପରିକି ବିଧାନସଭା ଚାଲିଥିବା ବେଳେ ଯଦି କୌଣସି ସଦସ୍ୟ ଅସୁସ୍ଥ ହୋଇପଡ଼ନ୍ତି, ତାହାଲେ ତାଙ୍କର ଚିକିତ୍ସା ପାଇଁ ଏକ ଡାକ୍ତରୀଦଳ ନିୟୋଜିତ କରିବା ଲାଗି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।