ସର୍ବକ୍ଷମାରେ ସମସ୍ତଙ୍କୁ ମିଳିଲାନି କ୍ଷମା

ଶେଷ ଦିନରେ ଆବେଦନ କରିବା ମହଙ୍ଗା ପଡ଼ିଲା

ବିଡିଏରେ ଶେଷ ଦିନରେ ୩୯୦୧ ଜଣ, ବିଏମ୍‌ସିରେ ପ୍ରାୟ ହଜାରେ ଆବେଦନ
୧୫ଦିନିଆ ନୋଟିସ୍‌ ଦେଇଛି ବିଡିଏ
ମାର୍ଚ୍ଚ ୩୧ ସୁଦ୍ଧା ବିଏମ୍‌ସି ଅନୁମତି ଦେବ

ଭୁବନେଶ୍ବର : ସହରାଞ୍ଚଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା କୋଠାକୁ ନିୟମିତ କରିବା ପାଇଁ ନଗର ଉନ୍ନୟନ ବିଭାଗ ‘ସର୍ବକ୍ଷମା ଯୋଜନା’ ଆରମ୍ଭ କରିଥିଲା। ଏଥିରେ ରାଜଧାନୀରେ ୧୧୬୮୭ ଜଣ ଆବେଦନ କରିଥିବାବେଳେ ଏଥିରୁ ପ୍ରାୟ ୩୯୦୦ଜଣଙ୍କ ଆବେଦନକୁ ବିଡିଏ ଓ ବିଏମ୍‌ସି ଅନୁମୋଦନ କରିଛନ୍ତି। କିନ୍ତୁ ୭୭୮୭ଜଣଙ୍କୁ ଏ ପର୍ଯ୍ୟନ୍ତ କ୍ଷମା ମିଳିନି। ଏଥିରୁ ବିଏମ୍‌ସିରେ ୭୦୦ ଆବେଦନ ଥିବାବେଳେ ବିଡିଏରେ ୭ହଜାର ଆବେଦନକାରୀ ଅଛନ୍ତି। ତେଣୁ ସେମାନଙ୍କୁ ସର୍ବକ୍ଷମା ମିଳିବ କି ନାହିଁ, ଏ ନେଇ ଆବେଦନକାରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ତେବେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଅଧିକାଂଶ ଆବେଦନକାରୀଙ୍କୁ ସର୍ବକ୍ଷମା ଯୋଜନାରେ କ୍ଷମା ମିଳିବ, ହେଲେ ଏଥିପାଇଁ ସେମାନଙ୍କୁ ଟିକେ କସରତ କରିବାକୁ ପଡ଼ିବ। ଶେଷ ଦିନରେ ଆବେଦନ କରିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। କିଏ ଆବଶ୍ୟକ ଡକୁମେଣ୍ଟ ଦେଇନାହାନ୍ତି ତ କିଏ ଡିଜାଇନ୍‌ରେ ଯେପରି ସଂଶୋଧନ ଆଣିବା କଥା ଆଣିନାହାନ୍ତି। ତେଣୁ ବିଡିଏ ପକ୍ଷରୁ ୧୫ଦିନିଆ ମହଲତ୍ ଦେଇ ନୋଟିସ୍‌ କରାଯାଇଛି। ସମସ୍ତ ତ୍ରୁଟି ୧୫ଦିନରେ ମଧ୍ୟରେ ସଂଶୋଧନ କରି ଜଣାଇବା ପରେ ହିଁ ସର୍ବକ୍ଷମା ଯୋଜନାରେ କ୍ଷମା ମିଳିବ ବୋଲି କୁହାଯାଇଛି।

ବିଡିଏର ପ୍ଲାନିଂ ମେମ୍ବର ‌ଗୌରୀ ଶଙ୍କର ଭୂୟାଁଙ୍କ କହିବାନୁଯାୟୀ, ରାଜ୍ୟର ସବୁ ସହରାଞ୍ଚଳ ପାଇଁ ସର୍ବକ୍ଷମା ଯୋଜନା ହୋଇଥିଲା। କିନ୍ତୁ ସବୁଠୁ ଅଧିକ ଆବେଦନ ବିଡିଏରେ ହୋଇଥିଲା। ବିଡିଏରେ ୯୫୬୪ଜଣ ସେମାନଙ୍କ ବେଆଇନ ନିର୍ମାଣକୁ ନିୟମିତ କରିବା ପାଇଁ ଆବେଦନ କରିଥିବାବେଳେ ଫେବ୍ରୁଆରି ୨୮ତାରିଖ ସୁଦ୍ଧା ସବୁ ଫାଇଲ୍‌ ଖୋଲାଯାଇଛି। ଏଥିରୁ ୨୫୭୦ଜଣଙ୍କ ସଂଶୋଧିତ ପ୍ଲାନ୍ ଅନୁମୋଦନ ହୋଇଥିବାବେଳେ ବାକି ଆବଦେନକାରୀଙ୍କୁ ଜବାବ୍ ଦାଖଲ କରିବା ପାଇଁ କୁହାଯାଇଛି। ଫେବ୍ରୁଆରି ୨୮ତାରିଖ ସୁଦ୍ଧା ପ୍ରାୟ ୭ହଜାର ଆବେଦନକାରୀଙ୍କୁ ‌୧୫ଦିନିଆ ନୋଟିସ୍ କରାଯାଇଛି। ଯେଉଁମାନେ କିଛି ଡକୁମେଣ୍ଟ ଦେଇନାହାନ୍ତି କିମ୍ବା ସଂଶୋଧିତ ଡିଜାଇନ୍ ଦେଇନାହାନ୍ତି ସେମାନଙ୍କୁ ଏହି ନୋଟିସ୍ କରାଯାଇଛି। ସେମାନଙ୍କ ଉତ୍ତର ମିଳିବା ପରେ ଯଥାସମ୍ଭବ ଶୀଘ୍ର ସେମାନଙ୍କ ପ୍ଲାନ୍ ମଞ୍ଜୁର କରାଯିବ।

ବିଡିଏ ପ୍ଲାନିଂ ମେମ୍ବରଙ୍କ କହିବାନୁଯାୟୀ, ୨୦.୦୬.୨୦୧୮ରୁ ୨୦.୦୨.୨୦୨୦ ପର୍ଯ୍ୟନ୍ତ ଲୋକଙ୍କଠାରୁ ଆବେଦନ ଆହ୍ବାନ କରାଗଲା। ହେଲେ ଅଧାରୁ ଅଧିକ ଲୋକ ଶେଷ ମୁହୂର୍ତ୍ତରେ ଆବେଦନ କରିଛନ୍ତି। କେବଳ ଫେବ୍ରୁଆରିରେ ୫୨୯୧ଜଣ ଆବେଦନ କରିଛନ୍ତି। ଏଥିରୁ ୩୯୦୧ଜଣ ଫେବ୍ରୁଆରି ୨୦ତାରିଖରେ ହିଁ ଆବେଦନ କରିଛନ୍ତି। ଶେଷ ସମସୟରେ ଆବେଦନ କରିବାରୁ ଆମେ କୌଣସି ଡକୁମେଣ୍ଟ ଯାଞ୍ଚ କରିପାରିଲୁନି। ଏହାପରେ କୋଭିଡ୍ ଯୋଗୁଁ ଅଫିସ୍‌ ବନ୍ଦ ରହିଲା। କମ୍‌ କର୍ମଚାରୀଙ୍କୁ ନେଇ କାମ କରିବାକୁ ପଡ଼ିଲା। ତେଣୁ କିଛି ବିଳମ୍ବ ହେଲା। ଫେବ୍ରୁଆରି ୨୮ତାରିଖ ସୁଦ୍ଧା ଆମେ ସବୁ ଆବେଦନକୁ ଖୋଲି ଯାଞ୍ଚ କରିଛୁ। ସେମାନଙ୍କର ଯାହା ଅସୁବିଧା ଅଛି ତାହା ଜଣାଇଛୁ। ବର୍ତ୍ତମାନ ସୁଦ୍ଧା ଯେତେ ଲୋକଙ୍କ ଆବେଦନ ମଞ୍ଜୁର ହୋଇଛି ସେମାନଙ୍କୁ ବି ଏମିତି ନୋଟିସ୍‌ କରି ଉତ୍ତର ରଖିବାକୁ କୁହାଯାଇଥିଲା। ତାହାପରେ ସେମାନଙ୍କ ପ୍ଲାନ୍ ଅନୁମୋଦନ ହୋଇଛି। ତେଣୁ ଲୋକ ଭୟଭୀତ ନ ହୋଇ ଯାହା ଡକୁମେଣ୍ଟ ମଗାଯାଇଛି ତାହା ଦାଖଲ କରନ୍ତୁ।

ସେହିପରି ବିଏମ୍‌ସି ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର କହିଛନ୍ତି ଯେ, ଆମ ନିକଟରେ ୨୧୨୩ଜଣ ସର୍ବକ୍ଷମା ଯୋଜନାରେ ଆବେଦନ କରିଛନ୍ତି। ଏଥିରୁ ପ୍ରାୟ ୮୦% ଫାଇଲ୍‌ ଖୋଲା ସରିଛି। ୭୦% ଲୋକଙ୍କ ପ୍ଲାନ୍ ଅନୁମୋଦନ ହୋଇସାରିଲାଣି। ବାକି ଲୋକଙ୍କୁ ‌େନାଟିସ୍ କରାଯାଇଛି। ଏଥିପାଇଁ ବିଏମ୍‌ସିକୁ ଅଧିକ କର୍ମଚାରୀ ଯୋଗାଯାଇଛି। ଆମେ ଯଥାସମ୍ଭବ ଶୀଘ୍ର ତ୍ରୁଟିଶୂନ୍ୟ ଆବେଦନଗୁଡ଼ିକୁ ଅନୁମୋଦନ କରିବୁ। ଲୋକମାନେ ଶେଷ ମୁହୂର୍ତ୍ତରେ ଆବେଦନ କରିବା ଆମ ପାଇଁ ସମସ୍ୟା ହେଲା। କରୋନା ପାଇଁ ସବୁ କାମ ବିଳମ୍ବ ହେଲା। କିନ୍ତୁ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ଆମେ ଟାର୍ଗେଟ୍ ରଖିଛୁ।

ସମ୍ବନ୍ଧିତ ଖବର