ଭୁବନେଶ୍ବର : ଲକ୍ଡାଉନ୍ କୋହଳ କରାଯାଇଥିଲେ ହେଁ ଜିମ୍ ସେଣ୍ଟର୍ ଖୋଲିବାକୁ ଅନୁମତି ମିଳି ନାହିଁ। ଏହାର ପ୍ରତିବାଦରେ ଆଜି ଅଲ୍ ଓଡ଼ିଶା ଜିମ୍ ମାଲିକ ସଂଘ ପକ୍ଷରୁ ଲୋୟର୍ ପିଏମ୍ଜିଠାରେ ଆମରଣ ଅନଶନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ କରୋନା ଜନିତ ଲକ୍ଡାଉନ୍/ସଟ୍ଡାଉନ୍ ଯୋଗୁଁ ଫିଟ୍ନେସ୍ ସେଣ୍ଟର୍ଗୁଡ଼ିକ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଜିମ୍ଗୁଡ଼ିକ ବନ୍ଦ ରହିଥିଲେ ହେଁ ମାଲିକଙ୍କୁ ଘରଭଡ଼ା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଦେବାକୁ ପଡ଼ୁଛି। ତେଣୁ ପ୍ରାୟ ସବୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଜିମ୍ ସେଣ୍ଟର୍ କାହିଁକି ଖୋଲା ଯାଇପାରିବ ନାହିଁ ବୋଲି ସଂଘ ପ୍ରଶ୍ନ କରିଛି।
ସଂଘର ସଭାପତି ସତ୍ୟଜିତ ଦାଶ କହିଛନ୍ତି ଯେ ଗତ ୧୫ମାସ ଭିତରେ ମାତ୍ର ୬ମାସ ଜିମ୍ ଖୋଲିଛି। ବହୁ ଦିନ ଧରି ଜିମ୍ ସେଣ୍ଟର ବନ୍ଦ ଥିବାରୁ ଘରଭଡ଼ା ଏବଂ ଜିମ୍ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ସମ୍ଭବ ହେଉନାହିଁ। ଏହାବାଦ୍ ପୁଣି ବ୍ୟାଙ୍କ ଲୋନ୍ ଶୁଝିବାକୁ ପଡ଼ୁଛି। ତେଣୁ ସରକାର ଏଥିପ୍ରତି ଧ୍ୟାନ ଦେଇ ଜିମ୍ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ଶ୍ରୀ ଦାଶ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଜିମ୍ ଖୋଲିବା ପାଇଁ ଗତ ଜୁନ୍ ୨୪ ତାରିଖରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିମ୍ ଖୋଲିବା ପାଇଁ ଅନୁମତି ଦେବା ସହ ବର୍ଷେ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ୍ ଯୋଗାଇଦେବା ପାଇଁ ସଂଘ ଦାବି କରିଥିଲା। ଏହାସହ ଜିମ୍କୁ ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ କରିବା, ଏମଏସ୍ଏମଇ ଯୋଜନାରେ ସାମିଲ କରିବା ସହ ମାଲିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସଂଘ ଦାବି କରିଥିଲା।